ରାଜେନ୍ଦ୍ର କଲେଜରେ ଖାଲିଥିବା ଅଧ୍ୟାପକ ପଦବି ଶୀଘ୍ର ପୂରଣ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ବଦଳି ହୋଇଥିବା ଅଧ୍ୟାପକଙ୍କୁ ତୁରନ୍ତ ରିଲିଭ କରିବାକୁ ନିର୍ଦ୍ଦେଶ, ରାଜ୍ୟର ବିଭିନ୍ନ କଲେଜରେ ପାଖାପାଖି ହଜାରେ ନୂଆ ଅଧ୍ୟାପକ ନିଯୁକ୍ତି ପାଇଁ ବାଟ ଫିଟିଲା
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର ସ୍ବୟଂଶାସିତ କଲେଜରେ ଅଗ୍ରାଧିକାର ଭିତ୍ତିରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ନିକଟରେ ସରକାରୀ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଁ ପିଏସ୍ସି ୧୩୪ କୃତୀ ପ୍ରାର୍ଥୀଙ୍କ ନାମ ସରକାରଙ୍କୁ ସୁପାରିଶ କରିଥିବାରୁ ତନ୍ମଧ୍ୟରୁ ଅଧିକ ସଂଖ୍ୟକ ଅଧ୍ୟାପକଙ୍କୁ ଏହି କଲେଜକୁ ପଠାଇବା ସହଜ ହେବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ବିଶ୍ବବିଦ୍ୟାଳୟ ମାନ୍ୟତା ହାସଲ କରିବାକୁ ହେଲେ ନାକ୍-ଏ ଗ୍ରେଡ୍ ପାଇବା ନିହାତି ଦରକାର। ୨୦୧୦ରେ ଶେଷଥର ପାଇଁ ଏହି କଲେଜ ନାକ୍ ‘ବି-ଡବଲ ପ୍ଲସ’ ଗ୍ରେଡ୍ ହାସଲ କରିଥିଲା। ଶନିବାର ମଧ୍ୟାହ୍ନରେ ରାଜେନ୍ଦ୍ର କଲେଜର ଆଲୁମିନି ଏସୋସିଏସନର ସଭାପତି ଲଳିତ ନାୟକ ଓ ସଂପାଦକ ଅରବିନ୍ଦ ଦାସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ କଲେଜର ଅଧ୍ୟକ୍ଷଙ୍କ ସମେତ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ କଲେଜର ବହୁ ନ୍ୟାଯ୍ୟ ଦାବି ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରି ତୁରନ୍ତ ସମାଧାନ ଲୋଡ଼ିବାକୁ ଥିବାରୁ କର୍ମକର୍ତ୍ତାଦ୍ବୟ ସେଥିପାଇଁ ମନ୍ତ୍ରୀଙ୍କର ସମୟ ମାଗିଥିଲେ। ମନ୍ତ୍ରୀ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ତାରିଖ ନିର୍ଧାରଣ କରି ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ, ଆସନ୍ତା ୧୬ ନଭେମ୍ବରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ବିଭିନ୍ନ କଲେଜରୁ ଅଧ୍ୟାପକମାନଙ୍କ ବଦଳି ନେଇ ଜାରି ବିଜ୍ଞପ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ନିେର୍ଦ୍ଦଶକଙ୍କୁ ମନ୍ତ୍ରୀ ନିେର୍ଦ୍ଦଶ ଦେଇଥିଲେ। ସଂପୃକ୍ତ ଅଧ୍ୟକ୍ଷମାନେ ଯେପରି ସରକାରଙ୍କ ନିେର୍ଦ୍ଦଶନାମା ଅନୁସାରେ ବଦଳି ହୋଇଥିବା ଉକ୍ତ ଅଧ୍ୟାପକମାନଙ୍କୁ ତୁରନ୍ତ ରିଲିଭ କରିବେ, ସେ ନେଇ ସାନି ନିେର୍ଦ୍ଦଶନାମା ଜାରି କରିବାକୁ କହିଥିଲେ। ଏଥିପାଇଁ ସଂପୃକ୍ତ ଅଧ୍ୟକ୍ଷମାନଙ୍କୁ ଉତ୍ତରଦାୟୀ କରିବାକୁ ସେ ଉଚ୍ଚଶିକ୍ଷା ନିେର୍ଦ୍ଦଶକଙ୍କୁ କହିଥିଲେ। ଆହୁରି ମଧ୍ୟ, ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ ପାଇଁ ୮୩୩ ପ୍ରାର୍ଥୀଙ୍କ ଚୟନ ନେଇ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।