ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ : ୨ ଲକ୍ଷ କୋଟି ନିବେଶ ଆଶା
୫୦ ବିଦେଶୀ କଂପାନି ଯୋଗଦେବେ, ୨୮ ଦେଶର ରାଷ୍ଟ୍ରଦୂତ, ୨୫ ଶିଳ୍ପପତି ଆସିବେ, ୧୨ରେ ଆସିବେ ମୁକେଶ, ଆଦାନି, ମହିନ୍ଦ୍ରା, ଏକ୍ସପୋରେ ପ୍ରଦର୍ଶିତ ହେବ ମାନୁଫାକ୍ଚରିଂ ଶକ୍ତି
ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮ ଚଳିତ ମାସ ୧୧ରୁ ଆରମ୍ଭ ଜନତା ମଇଦାନ ଠାରେ ଆରମ୍ଭ ହେବ। ଏଥର ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କନ୍କ୍ଲେଭ୍ରେ ୫୦ ବିଦେଶୀ କଂପାନି ଓ ୨୮ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ସୂଚନା ଅନୁଯାୟୀ, ୧୧ ତାରିଖରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ସ୍ବାଗତ ସମାରୋହ ଅନୁଷ୍ଠିତ ହେବ। ସକାଳ ୬ଟାରେ କୋଣାର୍କରେ କୋଷ୍ଟାଲ୍ ଫନ୍ ରନ୍, ସକାଳ ସାଢ଼େ ୬ଟାରେ ଖଣ୍ଡଗିରି ଓ ଉଦୟଗିରି ଐତିହ୍ୟ ପଦଯାତ୍ରା, ପୂର୍ବାହ୍ନ ୯ଟାରେ ଗଲ୍ଫ କ୍ଲବ୍ରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା ଏକ୍ସପୋକୁ ଉଦ୍ଘାଟନ କରିବେ। ଉଦଘାଟନ ପରେ ଓଡ଼ିଶାର ଐତିହ୍ୟ ଓ ଆଧୁନିକ କଳାକୁ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟାଂଶରେ ‘ଦେଓମାଳୀ’ ନାମକ ଥିମ୍ ପାଭିଲିଅନ୍ ରହିବ। ଏହି ବୃତ୍ତାକାର ଗମ୍ବୁଜ ରାଜ୍ୟର ଫୋକସ୍ କ୍ଷେତ୍ର ଓ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଦର୍ଶାଇବ। ଏତଦବ୍ୟତୀତ ଏଠାରେ କାଇନେଟିକ୍ ଇନଷ୍ଟାଲେସନ ଭଳି ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହା ଦର୍ଶକଙ୍କୁ ୧୦୮ ଗୋଲକର ଏକ ସୁନ୍ଦର ଏକୀକରଣର ଚମତ୍କାରିତା ଦେଖାଇବ। ଦର୍ଶକଙ୍କୁ ଭର୍ଚୁଆଲ ରିଅଲିଟି ଜରିଆରେ ଓଡ଼ିଶାର ଭବିଷ୍ୟତର ସ୍ମାର୍ଟସିଟି ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରାଯିବ।
କନ୍କ୍ଲେଭ୍ର ଦ୍ବିତୀୟ ଦିନରେ ପ୍ଲେନାରି ଅଧିବେଶନ ଆୟୋଜନ କରାଯିବ। ସେହିଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି, ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କ ସମେତ ୨୫ ଜଣ ବିଶିଷ୍ଟ ଆସିବାର କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଚଳିତ ମାସ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ୍ସପୋ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ପରିଦର୍ଶନ ସମୟ ପୂର୍ବାହ୍ନ ୧୧ଟାରୁ ରାତି ୮ ଟା ୩୦ ପର୍ଯ୍ୟନ୍ତ ରହିବ। ଏକ୍ସପୋ ପାଇଁ ଇପିକଲ୍ ହାଉସ୍ କିମ୍ବା ଓଏମ୍ସିରୁ ପାସ୍ ସଂଗ୍ରହ କରାଯାଇପାରିବ।