ବାୟୁସେନାକୁ ୨୧ ବିରୋଧୀ ଦଳର ସଲାମ: ସହିଦଙ୍କ‌ୁ ନେଇ ରାଜନୀତି କରୁଥିବାରୁ ବିଜେପିକୁ ସମାଲୋଚନା

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ଭିତରେ ପଶି ବାଲାକୋଟସ୍ଥିତ ଜୈସର ବୃହତ୍ତମ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ବଂସ କରିଥିବା ଭାରତୀୟ ବାୟୁସେନାକୁ ଆଜି ୨୧ଟି ପ୍ରମୁଖ ବିରୋଧୀ ଦଳର ବରିଷ୍ଠ ନେତାମାନେ ସଲାମ ଜଣାଇଛନ୍ତି। ଅପରପକ୍ଷେ, ବାୟୁସେନାର ଅଭିଯାନ ବେଳେ ଆଜି ନିଖୋଜ ହୋଇଯାଇଥିବା ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି। ସେହିପରି ଏହି ନେତାମାନେ ଗତ ୧୪ ତାରିଖର ପୁଲଵାମା ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନକୁ ଆଧାର କରି ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ ଆଣି କ୍ଷୋଭ ପ୍ରକାଶ କରିଛନ୍ତି। ଜୈସ ଶିବିର ଉପରେ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ସହ ଶତ୍ରୁତା ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ପରିସ୍ଥିତିର ଗମ୍ଭୀରତା ବିଷୟରେ ଆଲୋଚନା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ଅଣବିଜେପି ଦଳର ନେତାମାନେ ସମବେତ ହୋଇଥିଲେ। ସେମାନେ ଏକ ମିଳିତ ବିବୃତିରେ ସାମ୍ପ୍ରତିକ ସ୍ଥିତିରେ ସେମାନେ ଦେଶ ସହିତ ଅଛନ୍ତି ଏବଂ ଶତ୍ରୁପକ୍ଷର କୌଣସି ପଦକ୍ଷେପକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି। ଅପରପକ୍ଷେ, ଏଭଳି ସଂଗିନ ସ୍ଥିତିରେ ସର୍ବଦଳୀୟ ବୈଠକ ଡାକିନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନେ କଟୁ ସମାଲୋଚନା କରିଛନ୍ତି। ନିଜର ଆକ୍ରୋଶମୂଳକ ମନୋଭାବକୁ ଆଡ଼ କରି ମୋଦୀ ବିରୋଧୀମାନଙ୍କୁ ଭରସାକୁ ନେଇ ଦେଶର ସାର୍ବଭୌମ ରକ୍ଷା ପାଇଁ ଯେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ବିରୋଧୀ ନେତାମାନେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର