ଭୁବନେଶ୍ବର : ସବୁ କଳ୍ପନାଜଳ୍ପନାର ଶେଷ ହୋଇଛି। ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିକୁ ଫେରିଛନ୍ତି। ବେଶ୍ କିଛି ଦିନର ବ୍ୟାପକ ଆଲୋଚନା, ବୁଝାସୁଝା ପରେ ଶ୍ରୀ ମହାପାତ୍ର ପୁଣି ବିଜେପିରେ ସାମିଲ ହୋଇଛନ୍ତି। କହିଛନ୍ତି, ପୁରୁଣା କଥାକୁ ଭୁଲିଯାଇଛି। ଓଡ଼ିଶାରେ ପରିବର୍ତ୍ତନ ପାଇଁ ନୂଆ ଅଭିଯାନରେ ବାହାରିଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେଲା ବିଜେପିର ବରିଷ୍ଠ ନେତାମାନେ ଶ୍ରୀ ମହାପାତ୍ରଙ୍କ ସହ ଯୋଗାଯୋଗରେ ଥିଲେ। ଏକାଧିକ ଥର ତାଙ୍କ ଘରକୁ ଯାଇ ବୁଝାଇଥିଲେ। ଏପରିକି ଗତ ନଭେମ୍ବର ୩୦ ତାରିଖରେ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ ବି ତାଙ୍କ ଇସ୍ତଫା ଗୃହୀତ ହୋଇ ନାହିଁ ବୋଲି ଦଳୀୟ ନେତାମାନେ ଇଙ୍ଗିତ େଦଇଥିଲେ। ନିଜେ ପ୍ରଭାରୀ ଅରୁଣ ସିଂହ ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ ଯେ କେହି ଦଳ ଛାଡ଼ି ଯାଇ ନାହାନ୍ତି। ଏହା ପରେ ବିଜୟଙ୍କ ଫେରିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ବିଜୟ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ।
ଆଜି ସକାଳେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ପ୍ରଭାରୀ ଅରୁଣ ସିଂହ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିଥିଲେ। ଶ୍ରୀ ମହାପାତ୍ର ଘର ବାହାରେ ସେମାନଙ୍କୁ ସ୍ବାଗତ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ତେବେ କେହି ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ନ ଦେଇ ସିଧା ବାସଭବନ ଭିତରକୁ ଯାଇଥିଲେ। ପ୍ରାୟ ଅଧ ଘଣ୍ଟା ଆଲୋଚନା କରି ବାହାରିଥିଲେ। ଏହା ପରେ ବିଜେପିକୁ ଫେରୁଥିବା ନେଇ ଶ୍ରୀ ମହାପାତ୍ର ନିଜେ ଘୋଷଣା କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କ ସହ କଥା ହୋଇଛନ୍ତି ବୋଲି ସୂଚନା ଦେଇଥିଲେ। କେଉଁ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଥିଲେ, ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାହାକୁ ମାନି ନେବି। ଶ୍ରୀ ସିଂହ ଓ ଶ୍ରୀ ପଣ୍ଡା ମଧ୍ୟ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ଖୁସି ଖବର ବୋଲି କହିଥିଲେ।
ଏହା ପରେ ଶ୍ରୀ ମହାପାତ୍ର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ବହୁ ନେତା ଓ କର୍ମୀଙ୍କ ସହ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। କିଛି ସମୟ ପରେ ନିର୍ବାଚନୀ ଭିଡିଓ, ପୋଷ୍ଟର୍ ଉନ୍ମୋଚନ ଉତ୍ସବରେ ଅନ୍ୟ ନେତାମାନଙ୍କ ସହ ଶ୍ରୀ ମହାପାତ୍ର ମଞ୍ଚରେ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ଜୟପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର ଯୋଗ ଦେବେ ବୋଲି ଜଣାପଡ଼ିଛି।