ଭୁବନେଶ୍ୱର: ଅନ୍ତରୀଣ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ପୀଡ଼ିତାଙ୍କ ନାମରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ସ୍ଥାୟୀ ଜମା ଆକାରରେ ରାଜ୍ୟ ସରକାର ରଖି ସାରିଛନ୍ତି ବୋଲି ଆଜି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ରାଜ୍ୟ ମାନବାଧିକାର କମିଶନଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୀଡ଼ିତାଙ୍କୁ ଏହି ଅନ୍ତରୀଣ ସହାୟତା ରାଶି ପ୍ରଦାନ କରିବାକୁ ପୂର୍ବରୁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି, ରାଜ୍ୟ ମାନବାଧିକାର କମିଶନଙ୍କ କୁନ୍ଦୁଲି ଗଣଦୁର୍ଷମ ଘଟଣାର ଶୁଣାଣି ଚାଲିଥିବା ବେଳେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଏହି ସୂଚନା କମିଶନଙ୍କୁ ପ୍ରଦାନ କରିଥିଲେ। ତେବେ, ପୀଡ଼ିତାଙ୍କ ପାଠପଢ଼ା ସଂପର୍କରେ କ’ଣ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁୁ କୌଣସି ରିପୋର୍ଟ କମିଶନଙ୍କୁ ପ୍ରଦାନ କରାଯାଇ ନ ଥିବାରୁ କମିଶନ କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୀଡ଼ିତାଙ୍କ ପାଠପଢ଼ାକୁ ସୁନିଶ୍ଚିତ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାର ସବିଶେଷ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ କାର୍ଯ୍ୟରେ କେତେଦୂର ଅଗ୍ରସର ହୋଇଛି ଏବଂ ତଦନ୍ତ ପ୍ରକ୍ରିୟା ଏବେ କେଉଁ ଅବସ୍ଥାରେ ଅଛି ସେ ସଂପର୍କରେ ମଧ୍ୟ ଡିସେମ୍ବର ୧୫ ସୁଦ୍ଧା କମିଶନଙ୍କୁ ଲିଖିତ ଭାବେ ଜଣାଇବା ପାଇଁ କ୍ରାଇମ୍ବ୍ରାଞ୍ଚ୍ର ଅତିରିକ୍ତ ଡିଜିଙ୍କୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଡିସେମ୍ବର ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ମାନବାଧିକାର କମିଶନ ଅଦାଲତରେ ପୀଡିତାଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଛନ୍ତି ସମାଜସେବୀ ଓ ଆଡ୍ଭୋକେଟ୍ ପ୍ରବୀର ଦାସ।