ଓଡ଼ିଶା ପୁନଃନିର୍ମାଣରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ୧୩ରେ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଭୁବନେଶ୍ବର : ଫନି ପ୍ରଭାବିତ ଓଡ଼ିଶାର ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ। ଏଥି ପା‌ଇଁ ଭାରତ ସରକାରଙ୍କ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆ‌ୟୋଜନ କରାଯାଇଥିଲା। ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ରହି ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଓ‌ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଆଲୋଚନା କରିଥିଲେ।

ବୈଠକ ପରେ ଗଣମା‌ଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ରାଜ୍ୟ ସରକାର ନିଜର ପୂର୍ଣ୍ଣାଙ୍ଗ ଦାବିପତ୍ର ପଠାଇବା ପୂର୍ବରୁ ପରମ୍ପରାକୁ ଭାଙ୍ଗି ଭାରତ ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶାରେ ପହଞ୍ଚିବେ। ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ କେନ୍ଦ୍ରୀୟ ଟିମ୍ ୧୩ରୁ ୧୫ ତାରିଖ ମଧ୍ୟରେ ସମୀକ୍ଷା କରିବେ। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଭାରତ ସରକାର ଦାୟିତ୍ବ ନେବେ। ଭାରତ ସରକାରଙ୍କ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଶକ୍ତି ସଚିବଙ୍କ ‌େନତୃତ୍ବରେ ଟେଲିକମ୍ ସଚିବ, ବ୍ୟାଙ୍କ ସଚିବ ଓଡ଼ିଶା ଆସିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ବି‌େଶଷ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍ ଓ ସହର ତଥା ଗ୍ରାମାଞ୍ଚଳରେ ବିଜୁଳି କାମରେ ଏନ୍‌ଟିପିସି ଓ ପିଜିସିଏଲ୍‌ ପରି କମ୍ପାନିକୁ ପୁନରୁଦ୍ଧାର କାମରେ ଲଗାଇବା ପାଇଁ କୁହାଯାଇଛି।

କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି, ଫନି ପ୍ରଭାବିତ ଅଞ୍ଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ୍‌ ଟେଲିଫୋନ୍ ଟାୱାର(କାଓ) ଓ ମୋବାଇଲ୍‌ ଏଟିଏମ୍‌ ଲଗାଯିବା ଉପରେ ନିଷ୍ପତ୍ତି ନିଆଗଲା। ବୀମା କମ୍ପାନିମାନେ ମନିଟରିଂ କରି କ୍ଲେମ୍ ସେଟେଲମେଣ୍ଟ୍‌ କିପରି ଶ୍ରୀଘ କରିହେବ, ତାହା ଉପରେ ଆଲୋଚନା କରାଯାଇଛି। ନଡ଼ିଆ, ଗୁଆ, କାଜୁ, ଉଦ୍ୟାନକୃଷି, ପଶୁସମ୍ପଦ, ଧାନ ଚାଷୀ, ଖୁଚୁରା ଦୋକାନୀ ଯେଉଁମାନେ ଋଣନେଇଛନ୍ତି, ତାହା କିପରି ସରଳୀକରଣ ହେବ ଏବଂ ‌େଯଉଁମାନେ ଋଣ ନେବେ ତାଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ, ଏହା ଉପରେ ଜୋର୍‌ ଦିଆଯାଇଛି। ଏ ନେଇ ଗାଇଡ୍‌ଲାଇନ୍ କରି କାମ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାଶଙ୍କୁ ଅନୁରୋଧ କରିଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ବାତ୍ୟା ଦ୍ବାରା ଭୁବନେଶ୍ବର ଓ ପୁରୀରେ ହୋଟେଲ୍‌ କ୍ଷତିଗ୍ରସ୍ତ ହୋଇଛି। ବି‌େଶଷ କରି ପୁରୀ ସହର ହୋଟେଲ୍‌ଗୁଡ଼ିକ ବିଶେଷ କ୍ଷତି ହୋଇଛି। ଏହାର ବୀମା କ୍ଲେମ୍ ସହ ନୂଆ ଋଣ ପାଇଁ ନୂଆ ଆପ୍ରୋଚ୍ ଉପରେ ଆଲୋଚନା ହୋଇଛି। ଏଗୁଡ଼ିକ ବାତ୍ୟା ପରର ଓଡ଼ିଶାର ଅର୍ଥନୀତି ପାଇଁ ପ୍ରମୁଖ ଭୂମିକା ନେବ। ଏହା ସହ ରାଜ୍ୟକୁ କିପରି ଅଧିକ ଘର, ସ୍ବାସ୍ଥ୍ୟ ସମସ୍ୟାର ସମାଧାନ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ବିଭାଗ ଅଧିକ ସମନ୍ବୟ ରକ୍ଷା କରି ଓଡ଼ିଶାର ପୁନଃନିର୍ମାଣରେ ଭାରତ ସରକାରଙ୍କ ଏକ ପ୍ରଭାବୀ ଭୂମିକା ରହିବ, ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ, ଶକ୍ତି ସଚିବ ଓ ଟେଲିକମ୍‌ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର