ଯାଜପୁରଟାଉନ:ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ନବଜାତକର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ବି ମେଡ଼ିକାଲର କେତେକ କର୍ମଚାରୀ ୫ ଶହ ଟଙ୍କା ଦାବି କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ମଙ୍ଗଳପୁର ଥାନା ଅଧୀନସ୍ଥ କଟିକଟା ଗ୍ରାମର ରାହାସ ବିହାରୀ ଖଟୁଆଙ୍କ ସ୍ତ୍ରୀଙ୍କୁ ଗତ ୨୯ ତାରିଖ ଦିନ ପ୍ରସବ ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ତ୍ରୀଙ୍କର ନର୍ମାଲ ଡେଲିଭରୀ ହେବ ବୋଲି କହି ଜଣେ ନର୍ସ ରାହାସଙ୍କଠାରୁ ୧ ହଜାର ଟଙ୍କା ନେଇଥିଲେ। ପ୍ରସୂତିଙ୍କର ପ୍ରବଳ ଯନ୍ତ୍ରଣା ହୋଇଥିଲା। ଏଥିରେ ବିଚଳିତ ହୋଇ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଡାକ୍ତର ଓ ନର୍ସଙ୍କୁ ଯୋଗାଯୋଗ କରିଥିଲେ। କୌଣସି ଅସୁବିଧା ହେବନାହିଁ ନର୍ମାଲ ଡେଲିଭରି ହୋଇଯିବ ବୋଲି ସେମାନେ କହିଥିଲେ। ସାରାରାତି ପ୍ରସୂତି ଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମଧ୍ୟ କୌଣସି ନର୍ସ କିମ୍ବା ଡାକ୍ତର ତାଙ୍କୁ ଦେଖି ନଥିଲେ। ପରଦିନ ସକାଳ ୭ଟା ବେଳେ ଜଣେ ନର୍ସ ଆସି ରାହାସଙ୍କୁ କହିଥିଲେ ଯେ ଆପଣଙ୍କ ସ୍ତ୍ରୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି। ଡାକ୍ତର ନ ଡାକି ନର୍ସମାନେ ଜୋରଜବରଦସ୍ତ ପ୍ରସବ କରାଇଥିଲେ। ଏଭଳି ସ୍ଥିତିରେ ନବଜାତ ଶିଶୁଟି ମୃତ୍ୟୁବରଣ କରିଛି ବୋଲି କହିଥିଲେ ବୋଲି ଯାଜପୁର ଥାନାରେ ପ୍ରସୂତିଙ୍କ ସ୍ୱାମୀ ରାହାସ ଲିଖିତ ଅଭିଯୋଗ କରିଛନ୍ତି ।
ସବୁଠାରୁ ଦୁଃଖଦାୟକ ଘଟଣା ହେଉଛି ମୃତ ଶିଶୁ ଜନ୍ମ ହେବାପରେ ୧ହଜାର ଟଙ୍କା ନେଇଥିବା ନର୍ସ ୫ ଶହ ଟଙ୍କା ଫେରାଇବା ସହିତ ଆଉ୫୦୦ ଟଙ୍କା ମଲାଛୁଆ ଜନ୍ମ ପାଇଁ ନିଆଯାଇଛି ବୋଲି କହିଥିଲେ। ଏ ସଂପର୍କରେ ପ୍ରସୂତିଙ୍କ ସ୍ୱାମୀ ରାହାସ ଅଭିଯୋଗ କରିବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଏଡିଏମ୍ଓ (ମେଡିକାଲ) କହିଛନ୍ତି। ସେହିଭଳି, ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ଯାଜପୁର ଥାନା ଅଧିକାରୀ ମଧ୍ୟ ମତ ଦେଇଛନ୍ତି।