ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କ ପିତୃ ବିୟୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଶନିବାର ଦିନ ଚିତ୍ରକୋଣ୍ଡାର ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପିତା ଡମ୍ବରୁ ବାକାଙ୍କର ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ। ତାଂକୁ ବିଶାଖାପାଟଣମ୍ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଂକର ମୃତ୍ୟୁ ଘଟିଛି। ଆଜି ସକାଳେ ତାଂକର ମରଶରୀର ମାଥିଲି ନିକଟସ୍ଥ ମାଳିଗୁଡ଼ାରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ନିଜର ପୈତୃକ ଗ୍ରାମରେ ହିଁ ତାଂକର ଶବ ସତ୍କାର କରାଯାଇଥିଲା। ମୃତ୍ୟୁ ବେଳକୁ ଡମ୍ବରୁ ବାକାଙ୍କୁ ୬୪ ବର୍ଷ ହୋଇଥିଲା।

ସେ ଜଣେ ମେଳାପି, ସମାଜସେବୀ ଏବଂ ପରୋପକାରୀ ବ୍ୟକ୍ତି ଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଏହି ଅଂଚଳରେ ବେଶ ଜଣାଶୁଣା ବ୍ୟକ୍ତି ଥିଲେ। ଗୋଟିଏ ପଟେ ଲକ୍ଷ୍ମୀପ୍ରିୟା ନିଜର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ହଠାତ୍ ଏହି ଦୁଃଖଦ ଘଟଣା ତାଂକୁ ମର୍ମାହତ କରିଛି। ନିର୍ବାଚନକୁ ଆଉ ହାତ ଗଣତି କିଛି ଦିନ ରହିଥିବା ବେଳେ ଲକ୍ଷ୍ମୀଙ୍କ ଉପରେ ଏବେ ପାହାଡ ଛିଣ୍ଡିକୁ ପଡିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରକାଶ ଥାଉକି ସ୍ବର୍ଗତ ଡମ୍ବରୁ ବାକା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କର ବଡ଼ଭାଇ ଅଟନ୍ତି।

ସମ୍ବନ୍ଧିତ ଖବର