ସମ୍ବଲପୁର : ନଭେମ୍ବର ୧ ତାରିଖରେ କଳାହାଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏହାର ପଡୋଶୀ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଥିଲା। ଏ ମଧ୍ୟରେ ଗୋଟିଏ ମାସ ଶେଷ ହୋଇଛି। ହେଲେ ପ୍ରଥମ ମାସର ଗ୍ରାଉଣ୍ଡ ରିପୋର୍ଟ ଧାନ କିଣା ପଛର ଅବ୍ୟବସ୍ଥା, ଚାଷୀ ଶୋଷଣର ନିଚ୍ଛକ ଚିତ୍ରକୁ ପଦାକୁ ଟାଣିଆଣିଛି। ଖୋଦ୍ ଚାଷୀଙ୍କ ଅଭିଯୋଗ ସଙ୍କେତ ଦେଉଛି ଯେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ମିଲ୍ ମାଲିକଙ୍କ କବ୍ଜାକୁ ଚାଲିଯାଇଛି ମଣ୍ଡି। ମିଲ୍ ମାଲିକ, ଦଲାଲ, ଯୋଗାଣ ବିଭାଗ ଓ ପାକ୍ସ (ପ୍ରାଥମିକ କୃଷି ସମବାୟ ସମିତି) କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଚାଷୀକୁ ଶୋଷଣ ମୁହଁକୁ ଠେଲି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ, ଗୋଟିଏ ପଟେ ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିବା ଯୋଗୁଁ, ଚାଷୀ ଧାନ ବିକି ପାରୁ ନାହାନ୍ତି। ହେଲେ କଳହାଣ୍ଡିରେ ପରିସ୍ଥିତି ଏମିତି ହୋଇଛି ଯେ ଚାଷୀ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଥିବା ନେଇ ଚାଞ୍ଚଲ୍ୟକର ଖବର ମିଳିଛି। ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ନେଇ ବିଧାନସଭାରେ ତମ୍ବିତୋଫାନ ହେଉଥିବା ବେଳେ ଏହି ତଥ୍ୟ ଧାନ କିଣାବିକା ପଛର କେଳେଙ୍କାରୀ ଅଭିଯୋଗକୁ ଦୃଢୀଭୂତ କରୁଛି।
ମିଳିଥିବା ସୂଚନା ଅନୁସାରେ, ବାହାର ଜିଲ୍ଲାରୁ ସମ୍ବଲପୁରକୁ ପଶିଆସୁଛି ଧାନ। ଆର୍ଏମ୍ସି ଓ ପାକ୍ସର ସମ୍ବଲପୁର ସଦର ଉପଖଣ୍ଡରେ ଧାନ ସଂଗ୍ରହର ତଥ୍ୟ ମେଳ ଖାଉ ନଥିବା ଏଭଳି ସନ୍ଦେହ ସୃଷ୍ଟି କରିଛି। ଆର୍ଏମ୍ସି ତଥ୍ୟ କହୁଛି, ଡିସେମ୍ବର ୧ ସୁଦ୍ଧା ସମ୍ବଲପୁରର ୩୧ ମଣ୍ଡି ଓ କ୍ରୟକେନ୍ଦ୍ରରୁ ୭୪୪୫ ଜଣ ଚାଷୀଙ୍କଠାରୁ ୧୨ ଲକ୍ଷ ୧୧ ହଜାର ୨୨୭ ପକେଟ୍ ଧାନ ସଂଗ୍ରହ ହୋଇଛି। ସମବାୟ ବିଭାଗର ପରିସଂଖ୍ୟାନ କିନ୍ତୁ ଭିନ୍ନ। ଏହି ସମୟ ମଧ୍ୟରେ ବିଭିନ୍ନ ପାକ୍ସ ଜରିଆରେ ୧୨ ଲକ୍ଷ ୩୭ ହଜାର ପ୍ୟାକେଟ୍ ଧାନ କ୍ରୟ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଉଛନ୍ତି। ସେହିପରି ଡିସେମ୍ବର ପହିଲାରେ ଆର୍ଏମ୍ସି ୨୭୧ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୧୦ ହଜାର ୭୯୯ ପକେଟ ଧାନ କିଣାଯାଇଥିବା କୁହାଯାଉଛି। ହେଲେ ପାକ୍ସ ତଥ୍ୟ ସୂଚାଉଛି, ଏହାଠାରୁ ଅଧିକ ୧୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି।
ସାଧାରଣତଃ ମଣ୍ଡି ଓ କ୍ରୟ କେନ୍ଦ୍ରଗୁଡ଼ିକରେ ଯୋଗାଣ ବିଭାଗ, ଆର୍ଏମ୍ସି ଓ ପାକ୍ସ କର୍ମଚାରୀ ନିୟୋଜିତ ହୋଇଥାନ୍ତି। ଆର୍ଏମ୍ସିର କାଗଜପତ୍ରରେ ପାକ୍ସ ଓ ଯୋଗାଣ ବିଭାଗ କର୍ମଚାରୀଙ୍କ ଦସ୍ତଖତ ବି ରହିଛି। ଏଭଳି ସ୍ଥିିିତିରେ ପାକ୍ସ ଅଧିକ ୨୬ ହଜାର ବସ୍ତା ଧାନ କିଣାଯାଇଥିବା ନେଇ ତଥ୍ୟ ଦେବା ବ୍ୟାପକ ଅନିୟମିତତାକୁ ସୂଚାଉଛି।
କୋର୍ଟ ନିର୍ଦେଶ ମୁତାବକ, ଜିଲ୍ଲା ସୀମାରେ ଆଉ ଆର୍ଏମ୍ସିର ଚେକ୍ଗେଟ୍ ରହୁ ନାହିଁ। ସେପଟେ ସୋନପୁର ଜିଲ୍ଲାର ଅଧା ମଣ୍ଡି ଖୋଲିନାହିଁ। ଏହାର ସୁଯୋଗ ନେଇ ସେଠାକାର ଦଲାଲମାନେ ଅଣ୍ଡରରେଟ୍ରେ ବା ଏମ୍ଏସ୍ପିଠାରୁ କମ୍ ମୂଲ୍ୟରେ ଧାନ କିଣି ସମ୍ବଲପୁର ଜିଲ୍ଲାକୁ ଆଣୁଥିବା ସୂଚନା ମିଳିଛି। ବରଗଡ଼ ସୀମାନ୍ତ ଅଂଚଳରେ ବି ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ପ୍ରଥମେ ଏସବୁ ଧାନକୁ ଏମାନେ ସମ୍ବଲପୁରଯାଏ ଆଣି ଗୁପ୍ତ ଜାଗାରେ ରଖୁଛନ୍ତି ଓ ପରେ ସ୍ଥାନୀୟ ଗାଡ଼ିରେ ବିଭିନ୍ନ ମଣ୍ଡିକୁ ନେଇ ବିକ୍ରି କରୁଛନ୍ତି। ଅଣ୍ଡରରେଟ୍ କିଣା ହୋଇଥିବା ଧାନକୁ ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି)ରେ ବିକି ବେଶ୍ ଅର୍ଥ କମାଉଛନ୍ତି ଦଲାଲ। ଯେହେତୁ ଜିଲ୍ଲାରେ ଧାନ ଉତ୍ପାଦନ ପ୍ରଭାବିତ ହୋଇଛି, ଏଣୁ ଦଲାଲ ଓ ମିଲ୍ ମାଲିକ ଗରିବ ଚାଷୀଙ୍କଠାରୁ ପରିଚୟ ପତ୍ର ଭଡ଼ାରେ ଆଣି ଏହାକୁ ବ୍ୟବହାର କରୁଥିବା ସନ୍ଦେହ ହେଉଛି।
ଧାନ କିଣା ବିକା ପଛର ଏ କେଳେଙ୍କାରୀକୁ ନେଇ ଚାଷୀ ଆଶଙ୍କା ଭିତରେ ଛନ୍ଦି ହୋଇଗଲାଣି। କାରଣ ଶେଷରେ ଏହା ସୂଚାଇବ ଯେ ସମ୍ବଲପୁରରେ ଧାନ ଉତ୍ପାଦନ ଅଧିକ ହୋଇଛି। ଆଉ ମରୁଡ଼ି, ଲେଡ଼ା ଓ ଚକଡ଼ା ପୋକ ଫସଲହାନିର ସମ୍ମୁଖୀନ ହୋଇଥିବା କ୍ଷତିଗସ୍ତ ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ତଥା ବୀମାରାଶି ପାଇବା କଷ୍ଟସାଧ୍ୟ ହୋଇଯିବ। ଏଣୁ ଧାନ କିଣାବିକା ସହ ସଂପୃକ୍ତ ନଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରିବାରୁ କୃଷକ ସଂଗଠନମାନେ ଦାବି କଲେଣି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ବରଗଡ଼ରେ ମିଲ୍ ମାଲକଙ୍କ ମନମୁଖୀ କାରବାର ଝଲକ ଦେଖିବାକୁ ମିଳିଛି। ଜିଲ୍ଲାର ଅଧିକାଂଶ ମଣ୍ଡି ଓ କ୍ରୟ କେନ୍ଦ୍ରରେ ଧାନ ଓଜନ ହେଉନାହିଁ। ବରଂ ମଣ୍ଡିକୁ ଧାନ ଆଣୁଥିବା ଗାଡ଼ି ନାମରେ ଟ୍ରାନ୍ଜିଟ୍ ପାସ୍ ଇସ୍ୟୁ କରାଯାଇ ସିଧାସଳଖ ମିଲ୍ ହେଡ୍କୁ ନିଆଯାଉଛି। ଥରେ ସେଠାରେ ଧାନ ପହଞ୍ଚିବା ପରେ ମିଲ୍ ମାଲିକ କଟ୍ନି ଛଟ୍ନି ଆଦି ଆଳ ଦେଖାଇ ବସ୍ତା ପ୍ରତି ଅତିକମ୍ରେ ୩/୪ କିଲୋଗ୍ରାମ ଧାନ କାଟି ଦେଉଛନ୍ତି। ପ୍ରତିବାଦ କରୁଥିବା ଚାଷୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ୫୮ଟି ପାକ୍ସ ଏବଂ ୧୬୨ଟି ଧାନ କ୍ରୟ କେନ୍ଦ୍ରରେ ଏଯାଏଁ ୭୫.୯୫ ପ୍ରତିଶତ ଧାନ କିଣା ସରିଥିବା ଆମ ପ୍ରତିନିଧି ସୂଚନା ଦେଇଛନ୍ତି।
ବଲାଙ୍ଗୀର ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ, ଜିଲ୍ଲାର ୧ ଲକ୍ଷ ୮୦ ହଜାର ହେକ୍ଟର ଜମିରୁ ପାଖାପାଖି ୩୦ ହଜାର ହେକ୍ଟର ଜମିରେ ଚାଷ ହୋଇନାହିଁ। ଅପରପକ୍ଷରେ ଏକ ଲକ୍ଷ ହେକ୍ଟର ଜମିରେ ମରୁଡ଼ି ହୋଇଥିବା ସରକାର ତଥ୍ୟ କହୁଛି। ଜିଲ୍ଲାସ୍ତରୀୟ କମିଟିର ନିଷ୍ପତ୍ତି ଅନୁସାରେ, ୬ ନଭେମ୍ବରରୁ ଜିଲ୍ଲାର ଧାନ କିଣା ଆରମ୍ଭ ହେବା କଥା। ମାତ୍ର ଏହା ପୂର୍ବରୁ ନିଜର ବିଭିନ୍ନ ଦାବି ନେଇ ପାକ୍ସ କର୍ମଚାରୀ ଆନ୍ଦୋଳନ ଆରମ୍ଭ କରିବା ଏବଂ ସିଏସ୍ଓ ଭିଜିଲାନସ୍ ହାତରେ ଗିରଫ ହେବା ଯୋଗୁଁ ଧାନ ସଂଗ୍ରହ ହୋଇ ପାରିନଥିଲା। କଷ୍ଟମ ମିଲର୍ସଙ୍କୁ ମଣ୍ଡି ସହ ଟ୍ୟାଗ୍ ବି କରାଯାଇପାରିନଥିଲା। ଫଳରେ ଯେଉଁ ଚାଷୀମାନଙ୍କ ଧାନ ଭଲ ହୋଇଥିଲା, ସେମାନେ ନିଜ କଷ୍ଟୋପାର୍ଜିତ ଧାନ ବିକି ପାରିନଥିଲେ। ଗତ ୨୮ ତାରିଖ ଦିନ ଜିଲ୍ଲାର ଲୁହାସିଂହା ମଣ୍ଡିରେ ପ୍ରଥମ କରି ଚାଷୀମାନେ ଧାନ ବିକିଛନ୍ତି। ଇତିମଧ୍ୟରେ ଯୋଗୀ ମୁଣ୍ଡାରେ ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଟୋକନ ବଣ୍ଟା ଯାଇଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ଦଲାଲଙ୍କ ପାଖରେ ଧାନ ବିକିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି।
କଳାହାଣ୍ଡିରେ ବର୍ଷା ଓ ଚକଡ଼ା ରୋଗ ଆଳରେ ମିଲ୍ ମାଲିକ ଚାଷୀଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି। ଧାନ ନିମ୍ନ ମାନର ଦର୍ଶାଇ କଟ୍ନିଛଟ୍ନି ଆରମ୍ଭ ହୋଇଯାଇଛି। ବିଭାଗୀୟ ଅଧିକାରୀ କିନ୍ତୁ ନିରବ ସମର୍ଥନ ଜଣାଉଥିବା ଆମ ଭବାନୀପାଟଣା ପ୍ରତିନିଧିଙ୍କ ଠାରୁ ପ୍ରକାଶ।