କର୍ଣ୍ଣାଟକ ସଙ୍କଟ, ୫ ବିଧାୟକ ପୁଣି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ

୧୪ ବିଦ୍ରୋହୀ ବିଧାୟକ ସିରିଡ଼ିରେ, ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ: ‌ୟେଦୁରପ୍ପା

ବେଙ୍ଗାଲୁରୁ/ସିରିଡି: କର୍ଣ୍ଣାଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଉନଥିବାରୁ ଆଜି ୫ ଜଣ ବିଧାୟକ ଏ ନେଇ ପୁଣି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ଡେରା ପକାଇଥିବା ୧୪ ଜଣ ବିଧାୟକ ଆଜି ଅପରାହ୍ନରେ ସିରିଡି ପହଞ୍ଚି ସାଇବାବାଙ୍କ ଦର୍ଶନ କରିଛନ୍ତି। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେବେ ଏବଂ ଦଳର ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ ଇସ୍ତଫା ପ୍ରତ୍ୟାହାର କରିବାକୁ କହିବେ। କର୍ଣ୍ଣାଟକରେ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ଡି.କେ. ଶିବକୁମାରଙ୍କ ସହ ଆଲୋଚନା ପରେ ସେ ଏଭଳି ମତ ରଖିଛନ୍ତି। ଅନ୍ୟପକ୍ଷରେ ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦୁରପ୍ପା କହିଛନ୍ତି। ବିଧାନସଭାରେ ସରକାର ଆସ୍ଥା ଭୋଟ୍‌ ଲୋଡ଼ୁଥିବାରୁ ଆମେ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଏବଂ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏବେ ଆସ୍ଥା ଭୋଟ୍‌ ବୁଧବାର କରାଯିବା ପାଇଁ ଆଜି ପ୍ରସ୍ତାବ ଦେଇଛନ୍ତି। ଏ ସଂକ୍ରାନ୍ତରେ ସୋମବାର ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ବୁଧବାର ଆସ୍ଥା ଭୋଟ୍‌ ପାଇଁ କୁମାରସ୍ବାମୀଙ୍କ ପ୍ରସ୍ତାବ

ଗୃହରେ ଶକ୍ତି ପରୀକ୍ଷା ପୂର୍ବରୁ ବିଧାୟକଙ୍କ ସମର୍ଥନ ହାସଲ ପାଇଁ ଛକାପଂଝା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଡି.କେ. ଶିବକୁମାର କଂଗ୍ରେସ ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜୋର୍‌ଦାର କରିଥିବା ବେଳେ ଅନ୍ୟପଟେ ବିଜେପି ନେତା ୟେଦୁରପ୍ପା ନିଜ ବିଧାୟକଙ୍କୁ ଏକଜୁଟ ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଜି କଂଗ୍ରେସ ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛନ୍ତି ଦୁଇ ଜଣ ସ୍ବାଧୀନ ବିଧାୟକ। କଂଗ୍ରେସ-ଜେଡିଏସ୍‌ ସରକାରକୁ ସମର୍ଥନ ଦେଉଥିବା ଆର୍‌. ଶଙ୍କର ଏବଂ ଏଚ୍‌. ନାଗେଶ ବାଚସ୍ପତିଙ୍କୁ ପତ୍ର ଲେଖି ସେମାନଙ୍କୁ ବିରୋଧୀ ଦଳରେ ସ୍ବତନ୍ତ୍ର ସ୍ଥାନ ଦେବାକୁ ନିବେଦନ କରିଛନ୍ତି। କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୬ ବିଧାୟକଙ୍କ ଇସ୍ତଫା ପରେ କୁମାରସ୍ବାମୀ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଏବଂ ଏଥିପାଇଁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ୟେଦୁରପ୍ପା କହିଛନ୍ତି। ଅନ୍ୟପକ୍ଷରେ ବିଧାୟକଙ୍କ ଇସ୍ତଫା ବାବଦରେ ମଂଗଳବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ ବାଚସ୍ପତିଙ୍କୁ ସୁପ୍ରିମ କୋର୍ଟ କହିଥିବାରୁ ମାମଲା ଏବେ ରୋଚକ ମୋଡ଼ ନେଇଛି। ଜଣେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପ୍ରତ୍ୟାହାର ନିଷ୍ପତ୍ତି ସଂପର୍କରେ ୟେଦୁରପ୍ପା କହିଛନ୍ତି ଯେ ଉକ୍ତ ବିଧାୟକ ଇସ୍ତଫା ଗ୍ରହଣ କରାଯିବା ଦାବିରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ତାଙ୍କ ନିଷ୍ପତ୍ତି ଏତେ ସହଜରେ ବଦଳିବ ନାହିଁ।

ସମ୍ବନ୍ଧିତ ଖବର