ଆଜି ପାଟକୁରା ଭୋଟ୍‌

କେନ୍ଦ୍ରାପଡା : ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ପାଟକୁରା ନିର୍ବାଚନ। ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ୩୦୯ ବୁଥରେ ୨ ଲକ୍ଷ ୩୭ ହଜାର ୫୯୯ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ। ନିର୍ବାଚନ ମଣ୍ଡଳୀର ୧୩୮ଟି ବୁଥ ସମ୍ବେଦନଶୀଳ ରହିଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଉତ୍ତେଜନାର କାରଣ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପାଟକୁରା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଆସିଥିବା ଏକ ୱେବ୍‌ଚ୍ୟାନେଲର ପ୍ରତିନିଧିଙ୍କୁ ମାର୍ଶାଘାଇ ବ୍ଲକର କରିଲୋପାଟଣାରେ ଆକ୍ରମଣ ହୋଇଛି। ସେହିପରି ବେଡ଼ାରୀଠାରେ ପାଟକୁରା ନିର୍ବାଚନରେ ଲଢୁଥିବା ସମାଜବାଦୀ ପାର୍ଟିର ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କୁ କେତେକ ଦୁର୍ବୃତ୍ତ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏକ ‌ୱେବ ଚ୍ୟାନେଲ୍‌ର ପ୍ରତିନିଧି ଗାଡ଼ି ଧରି କରିଲୋପାଟଣାକୁ ଆସିଥିଲେ। ସେଠାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଏହି ଚ୍ୟାନେଲ୍‌ ପ୍ରତିନିଧିଙ୍କ ଗାଡ଼ି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏସ୍‌ପି ନୀତିଶେଖର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସେହିପରି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କୁ କେତେକ ବ୍ୟକ୍ତି ବେଡାରୀ ନିକଟରେ ଅଟକାଇ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ କହିଛନ୍ତି ଯେ ଅଭିଯୋଗ ମିଳିବା ପରେ ପୃଥକ୍‌ ପୃଥକ୍‌ ଦୁଇଟି ମାମଲା ରୁଜୁ କରାଯାଇଛି। ଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନ ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଏବଂ ପରେ ଫନି ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଦୁଇ ଥର ପରିବର୍ତ୍ତନ ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ସ୍ବର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ।

ସମ୍ବନ୍ଧିତ ଖବର