ବାସ୍ତବ ଦୁନିଆରେ ସାମିଲ ହେବା ପାଇଁ ଗାନ୍ଧୀ ଜୟନ୍ତୀ ଅବସରରେ ପାଳନ କରନ୍ତୁ ସାଇବର୍‌ ଉପବାସ

ନୂଆଦିଲ୍ଲୀ: ଆଜିକାଲି ଲୋକେ ଏତେ ପରିମାଣର ଇଣ୍ଟର୍‌ନେଟ୍‌ଖୋର୍‌ ହୋଇଗଲେଣି ଯେ ନିଜର ପ୍ରିୟତମମାନଙ୍କ ସହ ବସି ଗପସପ କରିବାର ଗୁରୁତ୍ୱକୁ ଭୁଲିଗଲେଣି।

ଲୋକମାନଙ୍କୁ ଇଣ୍ଟର୍‌ନେଟ୍‌ ପାଲରୁ ମୁକୁଳାଇବାକୁ ୧୪୮ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅନ୍‌ଲାଇନ୍‌ ୟୋଥ୍‌ ପ୍ଲାଟ୍‌ଫର୍ମ ‘ପିସ୍‌ ଗଙ୍ଗ୍‌’ ଆରମ୍ଭ କରିଛି ‘ସାଇବର ଫାଷ୍ଟିଙ୍ଗ୍‌’ ବା ‘ସାଇବର ଉପବାସ’। ଇଣ୍ଟର୍‌ ନେଟ୍‌ଠାରୁ ଦୂରେଇ ରହି ଆମ ଚାରିପଟେ ଥିବା ବାସ୍ତବ ଦୁନିଆରେ ସାମିଲ ହୋଇ ତାହାର ଆନନ୍ଦ ଆସ୍ୱାଦନ କରାଇବା ଏହି ଅଭିଯାନର ଉଦ୍ଦେଶ୍ୟ।

ଏହି ‘ପାନ୍‌-ଇଣ୍ଡିଆ’ ଅଭିଯାନର ସମୟ ଅବଧି ହେଉଛି ସକାଳ ୬ଟାରୁ ସନ୍ଧ୍ୟା ୬ଟା। ଅଭିଯାନର ନେତୃତ୍ୱ ନେଉଥିବା ଏକାଦଶ ଶ୍ରେଣୀର ଛାତ୍ରୀ ନୂପୁର ସୋନି କହନ୍ତି: ଆମେ ଏଭଳି ଏକ ଦୁନିଆରେ ଜିଇଁଛୁ ଯେଉଁଠି ଯୋଗାଯୋଗର ବିଭିନ୍ନ ଯନ୍ତ୍ର ପ୍ରତି ଆମ ଭିତରୁ ଅନେକଙ୍କ ଆସକ୍ତି ବଢ଼ିଚାଲିଛି।

ଘରେ ହେଉ, ଶେଯରେ ହେଉ, ବସ୍‌ରେ ହେଉ, ରେଳରେ ହେଉ, ଅଫିସ୍‌ରେ ହେଉ, ଆମେ ଚାଲୁଥିଲେ ହେଉ କି, ଆମେ ଖାଉଥିଲେ ହେଉ- ସବୁଠି ଏବଂ ସବୁବେଳେ ଆମେ ଆମ ଫୋନ୍‌ର ସ୍କ୍ରିନ୍‌କୁ ଚାହିଁ ରହିଛେ।

ଏ ଅଭ୍ୟାସ ଏବେ ଅତିରକ୍ତ ହୋଇଗଲାଣି। ଆମେ ଇଣ୍ଟର୍‌ନେଟ୍‌ଖୋର୍‌ ହୋଇ ଯାଇଛନ୍ତି। ତାହା ବିନା ଦିନଟିଏ ବଞ୍ଚିବାକୁ କଥା ଆମ କଳ୍ପନା ବାହାରେ। ବାସ୍ତବ ଦୁନିଆଠାରୁ ଆମେ ସେଥିରେ ଅଧିକ ଉପସ୍ଥିତ ଏବଂ ସକ୍ରିୟ। ଏବେ ନିଜକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ସେ କହନ୍ତି।

ଇଣ୍ଟର୍‌ନେଟ୍‌ ଆସକ୍ତିକୁ ମନୋବିଜ୍ଞାନୀମାନେ ଏକ ସାଙ୍ଘାତିକ ସମସ୍ୟା ବୋଲି କହିଲେଣି। ଏବେ ଅସଙ୍ଗତି ବୋଲି କୁହାଯାଉଥିବା ଏହି ଆସକ୍ତି ଯୋଗୁଁ ମସ୍ତିଷ୍କ ଏବଂ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ମାନସିକ ଅବସାଦ ସୃଷ୍ଟି କରୁଛି।
ସୋନି କହନ୍ତି ଯେ ‘ସାଇବର୍‌ ଉପବାସ’ ଅଭିଯାନ ଏକ ମାସିକ କାର୍ଯ୍ୟକ୍ରମ। ଏହା ମହାତ୍ମାଗାନ୍ଧୀଙ୍କ ଉପବାସ ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ। ଉପବାସ ଦେହ, ମନ ଏବଂ ଆତ୍ମାକୁ ଶୋଧନ କରେ। ତେଣୁ ଏହାକୁ ବର୍ଷକୁ ମାତ୍ର ଦିନକରେ ସୀମିତ କରାଯାଇପାରିବ ନାହିଁ।

‘ପିସ୍‌ ଗଙ୍ଗ୍‌’ର ଅନ୍ୟତମ ସଦସ୍ୟ କାନୁପ୍ରିୟା କହନ୍ତି: ସାମାଜିକ ଗଣମାଧ୍ୟମର ମାତ୍ରାଧିକ ବ୍ୟବହାର ଆମ ସାମାଜିକ ଜୀବନ, ଆମ ସମ୍ପର୍କ ଉପରେ କୁପ୍ରଭାବ ପକାଉଛି। ଏବେ ଇଣ୍ଟର୍‌ନେଟ୍‌ ଆମ ପାଇଁ ମୁଖ୍ୟ ଭୋଜନ। ବାସ୍ତବରେ ତାହା ବିନା ଆମେ ଦିନଟିଏ ବଞ୍ଚି ପାରିବା ନାହିଁ।

ଉପବାସ ଆମକୁ ମମନ କରିବାକୁ ଏବଂ ଅନ୍ତରାତ୍ମାକୁ ଚାହିଁବାକୁ ସମୟ ଦିଏ। ବିଭିନ୍ନ ଧାର୍ମିକ ଦିବସମାନଙ୍କରେ ଆମେ ଉପବାସ ପାଳନ କରୁଁ। ଆମେ ସୁଖ ପାଉଥିବା ଏବଂ ସ୍ୱଳ୍ପ ସମୟ ପାଇଁ ମଧ୍ୟ ଛାଡ଼ି ରହିପାରୁ ନ ଥିବା ଜିନିଷକୁ ଆମେ ଏହି ସମୟରେ ଛାଡ଼ି ଦେଇଥାଉଁ। ସାଇବର୍‌ ମିଡିଆ ସେମିତି ଏକ ଚିଜ, ଦିନଟିଏ କିଂବା ସେମିତି କିଛି ସମୟ ପାଇଁ ଆମେ ଏହାକୁ ଛାଡ଼ି ରହିବା ବାଞ୍ଛନୀୟ।

ଏହି ପରିକଳ୍ପନାକୁ ରୂପାୟନ କରିଥିବା ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଫାଉଣ୍ଡେସନ୍‌ର ପ୍ରଫେସର୍‌ ଟିକେ ଟୋମାସ୍‌ କହନ୍ତି: ସାଇବର୍‌ ଉପବାସ ଦିନ ଆମେ ସମସ୍ତ ପ୍ରକାର ସାମାଜିକ ଗଣମାଧ୍ୟମ ଠାରୁ ଦୂରେଇ ରହିବା ଏବଂ ଆପଣାକୁ ସାଇବର୍‌ ମିଡିଆଠାରୁ ନିବୃତ ରଖିବା। ଯୋଗାଯୋଗର ଏହି ସ୍ୱରୂପ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଥିବାରୁ ଏହାକୁ ଛାଡ଼ିବା ଦୂରୁହ ବ୍ୟାପାର ହୋଇପାରେ। କିନ୍ତୁ, ଅସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର