ପାକିସ୍ତାନ ବିଚଳିତ : ଭାରତୀୟ ହାଇକମିସନରଙ୍କୁ ବହିଷ୍କାର କଲା

ବାଣିଜ୍ୟ କାରବାର ଅଚଳ

ଇସ୍‌ଲାମାବାଦ : ଜମ୍ମୁ-କଶ୍ମୀର ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ଆହୁରି ତିକ୍ତ ହୋଇଛି। ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ଏହାର ହାଇକମିସନରଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଏହାସହିତ ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ମଧ୍ୟ ସସପେଣ୍ଡ କରିଛି। ଭାରତର ୩୭୦ ଘୋଷଣାରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ନୂଆଦିଲ୍ଲୀ ସହ କୂଟନୈତିକ ସଂପର୍କ ସ୍ତରକୁ ଆହୁରି ହ୍ରାସ କରିବ।

ଆଜି ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି ଯେ ଭାରତ ସହ କୂଟନୈତିକ ସମ୍ପର୍କ ପର୍ଯ୍ୟାୟକ୍ରମେ ଛିନ୍ନ ହେବ ଏବଂ ସମସ୍ତ ଦ୍ବିପାକ୍ଷିକ ସମ୍ପର୍କକୁ ବାତିଲ୍‌ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମ‌େହମୁଦ କୁରେଶି ଭାରତୀୟ ହାଇକମିସନରଙ୍କ ବହିଷ୍କାର ଘୋଷଣା କରି କହିଛନ୍ତି ଆମେ ମଧ୍ୟ ଭାରତରୁ ଆମ ହାଇକମିସନରଙ୍କୁ ଫେରାଇ ଆଣିବୁ ଏବଂ ଏଥିପାଇଁ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବୁ।

ଅଜୟ ବିସାରିଆ ଇସଲାମାବାଦରେ ଭାରତର ହାଇକମିସନର ଅଛନ୍ତି। ସେହିଭଳି ମୋଇନୁଲ ହକ୍ ନୂଆଦିଲ୍ଲୀରେ‌ ପାକିସ୍ତାନର ହାଇକମିସନର ଅଛନ୍ତି। କିନ୍ତୁ ହକ୍ ତାଙ୍କର ଦାୟିତ୍ବ ଗ୍ରହଣ କରି ନାହାନ୍ତି।

ଇମ୍ରାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ସାମରିକ ଓ ବେସାମରିକ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଇମ୍ରାନ୍‌ ପାକ୍‌ ସେନାକୁ ଅତ୍ୟନ୍ତ ସତର୍କ ରହି କାର୍ଯ୍ୟ କରିବାକୁ କହିଛନ୍ତି। ଭାରତର ନିଷ୍ପତ୍ତିକୁ ଜାତିସଂଘ ସୁରକ୍ଷା ପରିଷଦରେ ଚ୍ୟାଲେଂଜ କରାଯିବ ବୋଲି ଇମ୍ରାନ୍‌ କହିଛନ୍ତି। ‌ସେହିପରି ପାକିସ୍ତାନ ପକ୍ଷରୁ ଅନ୍ୟ ଏକ ବିବୃତି ଜାରି କରି କୁହାଯାଇଛି କଶ୍ମୀର ବାସିନ୍ଦାଙ୍କ ସମର୍ଥନରେ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯିବ ଏବଂ ଭାରତର ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ। ଅନ୍ୟପକ୍ଷେ କଶ୍ମୀରରେ କୌଣସି ମାନବାଧିକାର ଉଲ୍ଲଂଘନ ନେଇ ଇମ୍ରାନ୍‌ ସମସ୍ତ କୂଟନୈତିକ ଚ୍ୟାନେଲ୍‌ଗୁଡ଼ିକୁ ସକ୍ରିୟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର