ଚିଲିକାରେ ଜାହାଜ ଫସିବା ଘଟଣା: ୩୬ ଦିନ ପରେ ସମୁଦ୍ରକୁ ଗଲା ମାଲେସିଆ ଜାହାଜ
ଉଦ୍ଧାର କଲା ସିଙ୍ଗାପୁର ଜାହାଜ, ନିୟୋଜିତ ଥିଲେ ୧୫ ଜଣିଆ ଟିମ୍
ବ୍ରହ୍ମଗିରି: ଚିଲିକା ହ୍ରଦର ରାଜହଂସ ନିକଟରେ ଫସିବାର ୩୬ ଦିନ ପରେ ମାଲେସିଆ ଜାହାଜ ‘ଜିନ୍ ହ୍ଵା-୩୨’ ରବିବାର ଉଦ୍ଧାର ହୋଇଛି। ସିଙ୍ଗାପୁରରୁ ଏକ ସ୍ୱତନ୍ତ୍ର ଜାହାଜ ଆସିବା ପରେ ବାଲିରେ ପୋତି ହୋଇଯାଇଥିବା ଜାହାଜକୁ ଉଦ୍ଧାର କରାଯାଇଛି। ବାଲିରେ ପୋତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରତିବନ୍ଧକ ଦେଖାଯାଇଥିଲା। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ପରିଶ୍ରମ କରିବା ପରେ ମାଲେସିଆର ୧୫ ଜଣିଆ ଟିମ୍ ଏହି କାମରେ ସଫଳ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଗତ ଅଗଷ୍ଟ ୯ରେ ମାଲେସିଆର ମାଲବାହୀ ଜାହାଜ ଦିଗହରା ହୋଇ ଚିଲିକାର ରାଜହଂସ ନିକଟରେ ଲାଗିଥିଲା। ଏହି ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସରେ ଅଟକି ଯାଇଥିଲା।
ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଥିଲେ। ଏହାରି ମଧ୍ୟରେ ବିଭିନ୍ନ ପ୍ରକାର ଘଟଣା ଘଟିଥିଲା। ଚିଲିକା ଜଳରାଶିକୁ କାଳେ କ୍ଷତି ପହଞ୍ଚାଇ ମନେ କରି ଜାହାଜରୁ ତେଲ ମଧ୍ୟ କଢ଼ାଯାଇଥିଲା।