ନିଉଜିଲ୍ୟାଣ୍ଡ୍‌ର ଜୁଳୁଜୁଳା ଗୁମ୍ଫା : ରାତି ଅନ୍ଧାରରେ ତାରା ଭଳି ଗୁମ୍ଫା ଭିତରେ ଝଲମଲ ହେଉଥାଏ ଜୁଳୁଜୁଳା ବୁଢ଼ିଆଣୀ

ନିଉଜିଲ୍ୟାଣ୍ଡ୍‌ର ଉତ୍ତର ଦ୍ୱୀପାଞ୍ଚଳ ବିଚିତ୍ର ବିଭବରେ ଭରା। ସେଥିରୁ ଗୋଟିଏ ହେଲା  ଓ୍ଵତୋମୋ ଗୁମ୍ଫା। ରାତି ଅନ୍ଧାରରେ ତାରା ଭଳି ଗୁମ୍ଫା ଭିତରେ ଝଲମଲ ହେଉଥାଏ ଜୁଳୁଜୁଳା ବୁଢ଼ିଆଣୀ।

ନିଉଜିଲ୍ୟାଣ୍ଡ୍‌ରେ ଦିଶୁଥିବା ୩ ସେଣ୍ଟିମିଟର ଲମ୍ବର ଏଇ ଜୁଳୁଜୁଳା ବିଭିନ୍ନ ପର୍ଯ୍ୟାୟ ଦେଇ ବଢ଼ିଥାଏ। ପ୍ରଥମେ ଅଣ୍ଡା, ତା’ପରେ ଶୂକ-କୀଟ (ଲାର୍ଭା), ପ୍ୟୁପା ଓ ଶେଷରେ ବଡ଼ ଜୁଳୁଜୁଳା। କେବଳ ଅଣ୍ଡା ଅବସ୍ଥାକୁ ଛାଡ଼ିଦେଲେ ବାକି ସବୁବେଳେ ଏହା ଝଲସୁଥାଏ। ମାତ୍ର ଶୂକ-କୀଟ ଅବସ୍ଥାରେ ଏହା ଖୁବ୍‌ ଉଜ୍ଜ୍ୱଳ ଦେଖାଯାଏ। ଏଇ ଉଜ୍ଜ୍ୱଳତା ଯୋଗୁଁ ଶୂକ-କୀଟ ପାଖକୁ ଶିକାର ଚାଲି ଆସେ। ଏହାକୁ ଯେତେ ଜୋର୍‌ ଭୋକ ଲାଗେ ସେ ସେତେ ଅଧିକ ଉଜ୍ଜ୍ୱଳ ହୋଇଯାଏ। ଶିକାର ଧରିବାକୁ ଶୂକ-କୀଟ ଅଠାଳିଆ ଲାଳ ବୋଳା ପଶମ ପରି ସୂତାଖିଅ ଓହଳାଇଥାଏ। ତା’ର ଉଜ୍ଜ୍ୱଳ ଆଲୁଅ ଦେଖି କୀଟମାନେ ଆକୃଷ୍ଟ ହେଇ ତା’ ଆଡ଼କୁ ଚାଲିଯାଆନ୍ତି। ଶୂକ-କୀଟ ପାଖକୁ ଗଲା ମାତ୍ରେ ସେମାନେ ଲାଳ ବୋଳା ସୂତାଖିଅରେ ଲାଖିଯାଆନ୍ତି। ତା’ପରେ ସୂତାଖିଅକୁ ଉପରକୁ ଟାଣିନେଇ ଶିକାରକୁ ଆନନ୍ଦରେ ଗିଳି ପକାଏ ସେ।

viator.com

ଖାଲି ସେତିକି ନୁହେଁ ଜୁଳୁଜୁଳା ବୁଢ଼ିଆଣୀମାନେ ବେଶ୍‌ ଚାଲାକ୍‌ ମଧ୍ୟ। ସାମାନ୍ୟ ଶବ୍ଦ ଶୁଭିଲେ କିମ୍ବା ବିପଦର ଆଭାସ ପାଇଲେ ସେମାନେ ନିଜର ଆଲୁଅ ଲିଭାଇ ଦିଅନ୍ତି।

ଅନେକ ଦେଖଣାହାରୀ ଛୋଟ ଛୋଟ ଡଙ୍ଗାରେ ବସି ଏ ଗୁମ୍ଫା ଭିତରେ ପ୍ରବେଶ କରିଥାନ୍ତି। ଗୁମ୍ଫା ଭିତର ଘନ ଅନ୍ଧାରରେ ତାରାଟିଏ ଚକମକ ହେଲା ଭଳି ଜୁଳୁଜୁଳା ବୁଢ଼ିଆଣୀ ଝଲସୀ ଉଠୁଥାଏ। ଏ ଦୃଶ୍ୟ ବେଶ୍‌ ଆକର୍ଷଣୀୟ।

ସମ୍ବନ୍ଧିତ ଖବର