କେଉଁଠି ସାରିବି?
କଥାଟିଏ - ଯାଯାବର
ଦୁଇ ଯୁବକ ପାଣ୍ତିତ୍ୟ ଅର୍ଜନ କଲା ପରେ ଗୁରୁଙ୍କ ଠାରୁ ବିଦାୟ ନେଲେ। ଦୁହେଁ ଥିଲେ ମହାଜ୍ଞାନୀ। ସେମାନଙ୍କ ଭିତରୁ ଜଣେ ସ୍ଥିର କଲେ ଯେ ପ୍ରବଚନ ଦେଇ ତାଙ୍କର ଜ୍ଞାନକୁ ବିତରଣ କରିବେ। ଆର ଜଣକ ସ୍ଥିର କଲେ ଯେ ପୁସ୍ତକ ରଚନା କରିବେ ଏବ˚ ତାଙ୍କର ଜ୍ଞାନକୁ ଲୋକମାନଙ୍କ ଭିତରେ ପ୍ରସାରିତ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଯାହାହେଉ, ଦୁହେଁ ନିଜ ନିଜ କ୍ଷେତ୍ରରେ ଲାଗିଲା ପରେ ଦେଖାଗଲା ଯେ ପ୍ରବଚକ ଖୁବ୍ ଶୀଘ୍ର ପ୍ରସିଦ୍ଧ ହୋଇଗଲେ। ତାଙ୍କର ଅନୁଗାମୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଲା। କିନ୍ତୁ ଲେଖକଙ୍କ ପୁସ୍ତକ ସେମିତି ଚାଲିଲା ନାହିଁ। ତେଣୁ ଦିନେ ଲେଖକ ଭାବିଲେ- ମୁଁ ତ ତା ଠାରୁ ଅଧିକ ଜ୍ଞାନୀ। ମୋର ତ ଗଳା ବି ବେଶ୍ ଓଜନିଆ। ତେବେ ମୁଁ ପ୍ରବଚନ ନଦେଇ ବହି ଲେଖୁଛି କିଆଁ?
ଏହା ଭାବିି ସେ ବି ମଇଦାନକୁ ଓହ୍ଲାଇ ପଡ଼ିଲେ। କିଛି ମାସ ବିତିଗଲା। କିନ୍ତୁ ଲେଖକରୁ ପ୍ରବଚକ ହୋଇଥିବା ଯୁବକ ପ୍ରବଚନ ଦେବା କ୍ଷେତ୍ରରେ ବି ସଫଳତା ପାଇଲେ ନାହିଁ। ସେ ତାଙ୍କ ପାଖରେ ଥିବା ଜ୍ଞାନର ଭଣ୍ତାରକୁ ଖୋଲିଦେଲେ। କିନ୍ତୁ କିଛି ଲାଭ ହେଲାନାହିଁ।
ତେଣୁ ସେ ଦିନେ ଗୁରୁଙ୍କ ପାଖକୁ ଯାଇ ପଚାରିଲେ- ଆପଣ ତ ଆମ ଦୁହିଁଙ୍କୁ ଭଲ ଭାବେ ଜାଣିଛନ୍ତି। ଆପଣ ନିଜେ ସ୍ବୀକାର କରନ୍ତି ଯେ ମୁଁ ତା ଠାରୁ ଅଧିକ ଜ୍ଞାନୀ। ତେବେ ମୋ ପ୍ରବଚନକୁ ଲୋକେ କାହିଁକି ଶୁଣୁ ନାହାନ୍ତି, ଅଥଚ, ତା ଠି ଥାଟପଟାଳ ଭାଙ୍ଗୁଛି।
ଗୁରୁ କହିଲେ- ବାବୁରେ ମୁଁ ମାନୁଛି ତୋର ଜ୍ଞାନ ଅଧିକ। କିନ୍ତୁ ତାର ବୁଦ୍ଧି ତୋ ଠାରୁ ବେଶୀ। ତୁ ପ୍ରବଚନ ଦେଲା ବେଳେ ତୋ ଜ୍ଞାନ ସରୁନାହିଁ କି ପ୍ରବଚନ ସରୁନାହିଁ। କିନ୍ତୁ ତା ଜ୍ଞାନ ସିନା ତୋ ଠାରୁ କମ୍ ହେଲେ ବୁଦ୍ଧି ଅଧିକ। ତେଣୁ ସେ ତାର ପ୍ରବଚନ କେଉଁଠି ସାରିବାକୁ ହେବ ତାହା ଜାଣିଛି। ତେଣୁ ତା ପାଖରେ ଶ୍ରୋତାଙ୍କ ଅଧିକ ଭିଡ଼।