ଭଲ ଲାଗିଲାନି ଲାଲବାହିନୀ କାର୍ଯ୍ୟକଳାପ, କ୍ୟାମ୍ପ ଛାଡି ଆତ୍ମସମର୍ପଣ କଲେ ନାବାଳିକା ମାଓବାଦୀ

ଫୁଲବାଣୀ: ଲାଲବାହିନୀ କାର୍ଯ୍ୟକଳାପ ଭଲ ଲାଗିଲା ନାହିଁ। ଶେଷରେ ମାଓ କ୍ୟାମ୍ପ ଛାଡ଼ି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲା ନାବାଳିକା ମାଓବାଦୀ। ଆତ୍ମସମର୍ପଣ କରିଥିବା ନାବାଳିକା ମାଓବାଦୀର ବୟସ ୧୬ବର୍ଷ। ତାର ଘର ହେଉଛି ତୁମୁଡିବନ୍ଧ ଥାନା ଅଞ୍ଚଳରେ।

ସୂଚନା ଅନୁସାରେ ନାବାଳିକା ମାଓବାଦୀ ୨୦୧୮ ମସିହା ସେପ୍ଟେମ୍ବର ୨୩ରେ ଘୁମୁସର ଏରିଆ କମିଟି ବିଜିଏନ ଡିଭିଜନରେ ଯୋଗ ଦେଇଥିଲା। ଲାଲବାହିନୀରେ ଯୋଗଦେବା ପରେ ଜଙ୍ଗଲରେ ତାର ଦେହ ଭଲ ରହୁ ନଥିଲା। ଲାଲବାହିନୀ ସଦସ୍ୟ ଗାଁରେ ପଶି ଗ୍ରାମବାସୀଙ୍କୁ ଧମକଚମକ ଦେଇ ଜବରଦସ୍ତ ଖାଦ୍ୟ ଜିନିଷ ଆଣିବାକୁ ସେ ପସନ୍ଦ କରୁ ନ ଥିଲା। ଲେଙ୍ଗରାମାହା ଜଙ୍ଗଲରେ ଗତ ମାର୍ଚ୍ଚ ୧୩ ତାରିଖରେ ଭୟଙ୍କର ଗୁଳି ବିନିମୟ ଘଟଣାରେ ସେ ଭୟଭୀତ ହୋଇ ପଡ଼ିିଥିଲା। ମାଓବାଦୀ ନେତାଙ୍କ ବ୍ୟବହାର ବି ବଡ କଦର୍ଯ୍ୟ ରହୁଥିଲା। ଏସବୁ କାରଣରୁ ନାବାଳିକା ମାଓବାଦୀ କ୍ୟାମ୍ପ ଛାଡିବାକୁ ମାନସିକସ୍ତରରେ ପ୍ରସ୍ତୁତ ଥିଲା।

ଗତ ୨୬ ତାରିଖରେ କ୍ୟାମ୍ପ ଛାଡି ଲୁଚି ପଳାଇ ଆସି ପୁଲିସ ନିକଟରେ ସେ ଆତ୍ମସମର୍ପଣ କରିଥିବା କଥା ଏସପି ପ୍ରତୀକ ଗୀତା ସିଂ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଗାଦିମାସ୍କାରେ ଗୁଳି ବିନିମୟ ଘଟଣା, ବାଲିଗୁଡା ଓ ଦାରିଙ୍ଗବାଡ଼ି ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ ଓ ଗତ ମାର୍ଚ୍ଚ ୧୩ରେ ଲେଙ୍ଗରାମାହାଠାରେ ଗୁଳି ବିନିୟମ ଘଟଣାରେ ସେ ସଂପୃକ୍ତ ଥିଲା ବୋଲି ଏସ୍‌ପି କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବା ନାବାଳିକା ମାଓବାଦୀକୁ ଥଇଥାନ ଓ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ସିଂ କହିଛନ୍ତି। ସାମ୍ବାଦିକ ସମ୍ମଳନୀରେ ଓପିଏସ୍‌ ପ୍ରୋବେସନର ମନୋଜ କୁମାର ପୁଜାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର