ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ ଲାଗୁ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ପ୍ରଶାସନ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ବିରୋଧରେ ଜନ ସୁରକ୍ଷା ଆଇନ (ପିଏସ୍‌ଏ) ଲାଗୁ କରିଛନ୍ତି। ଗତ ସେପ୍‌ଟେମ୍ବରରେ ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ପିଏସ୍‌ଏ ଲାଗୁ ହୋଇଥିଲା। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଅଗଷ୍ଟ ୫ରୁ ଏମାନଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ପିଏସଏ ନିର୍ଦ୍ଦେଶନାମା ଗ୍ରହଣ କରିବା ପରେ ମେହବୁବା କହିଛନ୍ତି, ଏହା ଏକଛତ୍ରବାଦୀ ନୀତିର ଉଦାହରଣ। ଏଭଳି ସ୍ଥିତିରେ କେତେଦିନ ଧରି ସେମାନଙ୍କୁ ନିରବଦ୍ରଷ୍ଟା ରହିବାକୁ ହେବ ବୋଲି ସେ ଟ୍ବିଟ୍‌ କରିଛନ୍ତି। ସେହିଭଳି ନ୍ୟାସନାଲ କନ୍‌ଫରେନ୍‌ସ ସାଧାରଣ ସମ୍ପାଦକ ଅଲ୍ଲୀ ମହମ୍ମଦ ସାଗର ଏବଂ ପିଡିପି ନେତା ସର୍‌ତାଜ ମଦାନିଙ୍କ ବିରୋଧରେ ମଧ୍ୟ ପିଏସ୍‌ଏ‌ ଲାଗୁ କରାଯାଇଛି। ମଦାନି ମେହବୁବା ମୁଫ୍‌ତିଙ୍କ ମାମୁ ଅଟନ୍ତି। ଉଭୟ ନେତାଙ୍କୁ ଅଗଷ୍ଟ ୫ରୁ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର