ରାଜଧାନୀରେ ବି ଏମିତି ଜାଗା ଅଛି: ଘର ପାଖକୁ ଯାଇପାରୁନି ଚାରିଚକିଆ ଗାଡ଼ି

ବାହାଘର ବେଳେ ଚାଲି ଚାଲି ଯାଉଛନ୍ତି ବରକନ୍ୟା, ପଶି ପାରୁନି ଆମ୍ବୁଲାନ୍ସ କି ଦମକଳ

ଭୁବନେଶ୍ବର: ଘର ପାଖକୁ ଚାରି ଚକିଆ ଗାଡ଼ି ଯିବା ସ୍ବପ୍ନ। ବାହାଘର ହେଲେ ଅଧାବାଟରୁ ବରକନ୍ୟା ଚାଲି ଚାଲି ଯାଆନ୍ତି। ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଦମକଳ ଯାଇପାରେନି। ଅଧିକାଂଶ ଉଚ୍ଚ ଶିକ୍ଷିତ, ଖଣ୍ଡେ ଦୁଇଖଣ୍ଡ ଗାଡ଼ି କିଣିବାକୁ ସମର୍ଥ ହେଲେ ମଧ୍ୟ ଘର ପାଖକୁ ଗାଡ଼ି ଯିବା ପାଇଁ ରାସ୍ତା ନଥିବାରୁ ଗାଡ଼ି କିଣା ହେଉନାହିଁ। ଏ ସମସ୍ୟା ଆଉ କେଉଁଠି ନୁହେଁ, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ। ପିଢ଼ି ପିଢ଼ି ଧରି ହଜାର ହଜାର ପରିବାର ସମସ୍ୟାରେ ଗୋଳେଇ ଘାଣ୍ଟି ହେଉଛନ୍ତି। ଯାହାର ସମାଧାନ ନା ପୁରୁଣା ଭୁବନେଶ୍ବରବାସୀଙ୍କ ନିକଟରେ ଅଛି ନା ସରକାରଙ୍କ ନିକଟରେ। ୧୧ଶ ଶତାବ୍ଦୀରେ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।

ପ୍ରଭୁଙ୍କ ନାନାଦି ସେବା ପୂଜା ପାଇଁ ରାଜା ସେବାୟତଙ୍କୁ ଖଞ୍ଜି ଥିଲେ। ‌ଅଲଗା ଅଲଗା ସେବାୟତଙ୍କୁ ନେଇ ମନ୍ଦିର ନିକଟରେ ଗଢ଼ି ଉଠିଥିଲା ବିଭିନ୍ନ ସାହି। ଶହଶହ ବର୍ଷ ତଳେ କୁଡ଼ିଆ ଘର କରି ରହୁଥିଲେ ସେବାୟତ। ଯିବା ଆସିବା ଏବଂ ଠାକୁରଙ୍କ ବିମାନ ଯାତାୟାତ ପାଇଁ ଦୁଇପାଖ ଘର ମଝିରେ କମ୍‌ ଓସାରର ରାସ୍ତା ରହୁଥିଲା। ତେବେ ଗତ ୨୦୦ରୁ ୩୦୦ ବର୍ଷ ମଧ୍ୟରେ ଚାଳଘରରୁ ଧୀରେ ଧୀରେ ମହଲା ମହଲା କୋଠାଘର ଗଢ଼ି ଉଠିଛି। ଏବେ ସେବାୟତମାନେ ସେବାପୂଜା ସହ ଉଚ୍ଚ ଶିକ୍ଷିତ ହୋଇ ସରକାରୀ ଓ ବେସରକାରୀସ୍ତରରେ ଉଚ୍ଚ ପଦପଦବିରେ ରହିଲେଣି। ସାମାଜିକ ଚଳଣି ଅନୁସାରେ ଘର, ଆସବାବପତ୍ର ଓ ବେଶ ପୋଷାକ ମଧ୍ୟ ବଦଳିଛି। ହେଲେ ଘର ପାଖକୁ ଯିବାକୁ ଓସାରିଆ ରାସ୍ତା ନଥିବାରୁ ଚାରିଚକିଆ ଗାଡ଼ି ଖଣ୍ଡେ କିଣି ପାରୁନାହାନ୍ତି।

ପୁରୁଣା ଭୁବନେଶ୍ବରରେ ପୂଜାପଣ୍ଡାସାହି, ବଡ଼ୁସାହି, ଗରାବଡ଼ୁସାହି, ମିଶ୍ରସାହି, ହରଚଣ୍ଡୀସାହି, ଦରଜୀସାହି, କପାଳିବେଦୀସାହି, ପାଟଣାସାହି, କୁଞ୍ଜପାଟଣାସାହି, ଗୋଡ଼ିପୋଖରୀସାହି, ନାରଦସାହି, ଚେମେଡ଼ିସାହି, ବାରିକସାହି, ଗଉଡ଼ସାହି, ହାଡ଼ିସାହି, ମଙ୍ଗଳାସାହି, ପଥୁରିଆବାଡୁସାହି, ମଠସାହି, ଶୀତଳଷଷ୍ଠୀସାହି, ବେଲୁଣିମଠସାହି, ହରିଜନସାହି ପରି ୩୦ରୁ ଅଧିକ ସାହି ରହିଛି। ଏ ସବୁ ସାହି ଭିତରକୁ ଯିବାକୁ ହେଲେ ଚାଲି ଚାଲି କିମ୍ବା ଦୁଇ ଚକିଆ ଗାଡ଼ିରେ ଯିବାକୁ ପଡ଼ିବ। ଏସବୁ ସାହିରେ ରାସ୍ତାର ଓସାର କେଉଁଠି ୫ ଫୁଟ ତ କେଉଁଠି ୭ ଫୁଟ ଆଉ କେଉଁଠି ସର୍ବାଧିକ ୧୦-୧୨ ଫୁଟ ରହିଛି। ଦୁଇ କଡ଼ରେ ଡ୍ରେନ୍‌ ଯାଇଛି। ହେ‌ଲେ କିଛି ଲୋକ ଡ୍ରେନ୍‌ ଉପରେ ସ୍ଥାୟୀ ଛାତ ପକାଇ ଘରର ବାରଣ୍ଡା ଆଗକୁ ବଢ଼ାଇଛନ୍ତି। ଏଥିସହ ନିଜ ବାଇକ୍‌ ଘର ସାମନାରେ ରଖୁଛନ୍ତି। କିଛି ସ୍ଥାନରେ ଗୋଟିଏ ମୋଟର ସାଇକେଲ୍‌ ଯିବାକୁ ଦୁଇ ଫୁଟ ରାସ୍ତା ବି ନଥିବା ଦେଖିବାକୁ ମିଳିଛି। ତେଣୁ ଏଠି ଚାରି ଚକିଆ ଗାଡ଼ି ଯିବା ସାତ ସପନ। ଯେଉଁ କେତେ ଜଣ ବାଧ୍ୟବାଧକତାରେ ୪ ଚକିଆ ଗାଡ଼ି କିଣିଛନ୍ତି ସେମାନେ ରଥ ଦାଣ୍ଡ କିମ୍ବା ଗାଡ଼ି ପାର୍କିଂରେ ରଖି ମାସକୁ ମାସ ଟଙ୍କା ଗଣୁଛନ୍ତି। ସେବାପୂଜା ଥିବାରୁ ଏମାନେ ମନ୍ଦିର ନିକଟରୁ ଘର ଛାଡ଼ି ଅନ୍ୟ କେଉଁଠିକୁ ଯାଇ ପାରୁନାହାନ୍ତି। ହେଲେ ପରବର୍ତ୍ତୀ ସମୟରେ ଜ୍ଞାନନଗର, ବ୍ୟାଙ୍କ କଲୋନି ଭଳି ଗଢ଼ି ଉଠିଥିବା କଲୋନିଗୁଡ଼ିକରେ ୪ ଚକିଆ ଗାଡ଼ି ଯିବା ପାଇଁ ରାସ୍ତା ରହିଛି।

ସମ୍ବନ୍ଧିତ ଖବର