ଆତ୍ମହତ୍ୟା ପୂର୍ବରୁ ନବବିବାହିତାଙ୍କ ଅଡ଼ିଓ କ୍ଲିପ୍ : ସେଲ୍ଫି ସହ ଭାଇରାଲ୍ କରି ଝୁଲିପଡ଼ିଲେ
କବିସୂର୍ଯ୍ୟନଗର/ଶେରଗଡ଼ : ‘ମୋତେ ମାରିଛନ୍ତି। ମୋର ନାକ, ହାତ ଓ ମୁଣ୍ଡରୁ ରକ୍ତ ବାହାରୁଛି। ମୋର ମମିକୁ ଟିକେ କହିଦେବେ। ମୁଁ ମରିଯିବି। ’ ଇଏ କୌଣସି ଚଳଚ୍ଚିତ୍ର କି ଧାରାବାହିକର ସଂଳାପ ନୁହେଁ। ବରଂ ମୃତ୍ୟୁର ଫାଶରେ ନିଜେ ଝୁଲିବା ପୂର୍ବରୁ ଜଣେ ନବବିବାହିତାଙ୍କ ଆକୁଳ ନିବେଦନ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସଭିଙ୍କୁ ସ୍ତବ୍ଧ କରିଛି। କବିସୂର୍ଯ୍ୟନଗର ବନଦେବୀପାଟଣା ସାହିରେ ସ୍ବାମୀର ଅକଥନୀୟ ନିର୍ଯାତନା ସହି ନପାରି ନବବିବାହିତା ଇତିଶ୍ରୀ ସାମନ୍ତରାୟ ଆଜି ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଆଉ ଜୀବନ ହାରିବା ପୂର୍ବରୁ ସେ ସୋସିଆଲ୍ ମିଡ଼ିଆରେ ନିଜର ଶେଷ ସେଲ୍ଫି ଫଟୋ ସହିତ ଉପରୋକ୍ତ ଅଡ଼ିଓ କ୍ଲିପ୍ ଭାଇରାଲ୍ କରିଛନ୍ତି। ଏହାକୁ ଆଧାର କରି ପୁଲିସ ତଦନ୍ତ ତ୍ବରାନ୍ବିତ କରିଛି। ସ୍ବାମୀ ସାଗର ସାମନ୍ତରାୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୩୬ ଅନୁସାରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁସାରେ, ସାଗର ଓ ମୃତକ ଇତିଶ୍ରୀ ହେଉଛନ୍ତି ଶେରଗଡ଼ ଥାନା ବଳିୟାରସିଂପୁରଶାସନ ଗ୍ରାମର ମୂଳବାସିନ୍ଦା। ସାଗରଙ୍କ ବାପା କାମାକ୍ଷା ପ୍ରସାଦ ସାମନ୍ତରାୟ ଏବଂ ଇତିଶ୍ରୀଙ୍କ ବାପା ସୀମାଞ୍ଚଳ ପାଣିଗ୍ରାହୀ। ଉଭୟ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି। ସାଗର ଏବଂ ଇତିଶ୍ରୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଆଉ ଗତବର୍ଷ ସେପ୍ଟେମ୍ବର ମାସରେ ଉଭୟ ହିଞ୍ଜିଳିକାଟୁ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ।
ଅଭିଯୋଗ ଅନୁସାରେ, ବିବାହ ପରେ ସାଗର ଓ ଇତିଶ୍ରୀ କବିସୂର୍ଯ୍ୟନଗର ବନଦେବୀପାଟଣା ସାହିରେ ଏକ ଭଡ଼ା ଘରେ ରହୁଥିଲେ। ସାଗର ବ୍ଲକ୍ ଯୋଗାଣ ବିଭାଗ ଏମ୍.ଆଇ ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାମ କରେ। ସବୁ କିଛି ଠିକ୍ଠାକ୍ ଚାଲିଥିଲା। ହେଲେ ସାଗର ହଠାତ୍ ଇତିଶ୍ରୀଙ୍କ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସାଗର ଉତ୍କ୍ଷିପ୍ତ ହୋଇ ଇତିଶ୍ରୀଙ୍କୁ ପ୍ରବଳ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଆଉ ଆଜି ସକାଳେ ଆହତ ଅବସ୍ଥା ବେଳର ଏକ ଫଟୋ ସହ ମରିବାକୁ ଯାଉଛନ୍ତି ବୋଲି କହି ଅଡ଼ିଓ କ୍ଲିପ୍ ରେକର୍ଡ଼ କରି ହ୍ବାଟ୍ସଆପ୍ ଯୋଗେ ନିଜ ପରିବାରବର୍ଗଙ୍କୁ ପଠାଇଥିଲେ। ତାପରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ଆଣିବା ବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ।