ଭଦ୍ରକ ମେଡିକାଲର ଦୂରାବସ୍ଥା: କୋଭିଡ୍ ଲାଗି ରୋଗୀ ସେବା ବିପର୍ଯ୍ୟସ୍ତ

ଭଦ୍ରକ : କୋଭିଡ୍ କଟକଣା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। କୋଭିଡ୍ କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଗତ ମାର୍ଚ୍ଚ ୨୪ ତାରିଖଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଆସୁନଥିଲେ ‌ରୋଗୀ। ଯେଉଁ ରୋଗୀ ଆସୁଥିଲେ ସେମାନଙ୍କୁ ସବୁ କଟକ ରେଫର କରି ଦିଆଯାଉଥିଲା। ବିଶେଷକରି ଭଦ୍ରକରେ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ କରୋନା ରୋଗର ଭୟ ଗ୍ରାସୀ ଥିଲା। କାଳେ କେହି ଥଣ୍ଡା, କାଶ, ଛିଙ୍କ ‌ରୋଗୀଙ୍କୁ କରୋନା ‌ହୋଇଥିବ ଭାବି ଅନେକ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରିବାକୁ ମନା ମଧ୍ୟ କରିଦେଇଥିଲେ । ଭଦ୍ରକ ମେଡିକାଲକୁ ଆସୁଥିବା ଅଧିକାଂଶ ରୋଗୀଙ୍କୁ କର୍ତ୍ତୃପକ୍ଷ କଟକ ରେଫର କରିଦେଉଥିଲେ। ଏହାଦ୍ୱାରା ଲକ୍ ଡାଉନ ସମୟରେ ଅନେକ ରୋଗୀ ଭଦ୍ରକରୁ କଟକ ଯାଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ନଥିବାରୁ ଏଠାରେ ମଧ୍ୟ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯେଉଁଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ମୁହଁ ଫେରାଇ ଘରୋଇ ଚିକିତ୍ସାଳୟକୁ ପଳାଉଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ରୋଗୀମାନଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ନାହାନ୍ତି। ଖାଲିଥିବା ଡାକ୍ତର ପଦବୀ ପୂରଣ ହୋଇ ପାରୁ ନାହିଁ। ପ୍ରତିଦିନ ୫ ଶହରୁ ୧୨ ଶହ ରୋଗୀ ମେଡିକାଲକୁ ଆସୁଛନ୍ତି। ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ଜିଲ୍ଲା ସ୍ବା‌ସ୍ଥ୍ୟ ବିଭାଗ ବିଫଳ ହୋଇଛି। ଅଲଟ୍ରାସାଉଣ୍ଡ ମେସିନ ନଥିବାରୁ ରୋଗୀମାନେ ବାହାରୁ ଅଲଟ୍ରାସାଉଣ୍ଡ କରି ଖର୍ଚ୍ଚାନ୍ତ ହେଉଥିବା ବେଳେ ଏବେ ଆନାସ୍ତେସିଆ ଡାକ୍ତର ନଥିବାରୁ ଗାଇନିଂ ଓ ସର୍ଜାରୀ ୱାର୍ଡର ରୋଗୀମାନେ ହଇରାଣ ହେଉଛନ୍ତି। ସେହିପରି ନିଶ୍ଚେତକ ବିଭାଗର ଡାକ୍ତର ଭଦ୍ରକରୁ ଅନ୍ୟତ୍ର ବଦଳି ହେବା ପରେ ଆଉ ନୂଆ ଡାକ୍ତର ଆସି ନାହାନ୍ତି। ଅସ୍ଥିଶଲ୍ୟ ବିଭାଗରେ କୌଣସି ରୋଗୀଙ୍କର ଅସ୍ତ୍ରୋ‌ପଚାର କରାଯାଇ ପାରୁ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୱାର୍ଡର ଅବସ୍ଥା ଆହୁରି ଶୋଚନୀୟ। ଏଠାରେ ଥିବା ଟ୍ରମା କେନ୍ଦ୍ର ମଧ୍ୟ ଚରମ ଅବହେଳାରେ ଚାଲିଛି। ନାମକୁ କବେଳ ଟ୍ରମା‌ କେନ୍ଦ୍ର ଖୋଲାଯାଇଥିବା ବେଳେ ଏଠି ଆବଶ୍ୟକ ଡାକ୍ତର ନାହାନ୍ତି କି ରୋଗୀଙ୍କ ପାଇଁ ଅବଶ୍ୟକ ଶଯ୍ୟା ନାହିଁ। ଯେଉଁଥି ପାଇଁ ରୋଗୀମାନଙ୍କୁ ତଳେ ଶୋଇ ଚିକିତ୍ସିତ ହେବାକୁ ପଡୁଛି।

image source- daily hunt

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଟ୍ରମା ୟୁନିଟ୍ ପାଇଁ ୨ ଜଣ ନିଶ୍ଚେତ ଡାକ୍ତରଙ୍କର ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଠାରେ ଜଣେ ହେଲେ ମଧ୍ୟ ନି‌ଶ୍ଚେତକ ଡାକ୍ତର ନାହାନ୍ତି। ଯେଉଁଥି ପାଇଁ କୌଣସି ରୋଗୀ ଦୁର୍ଘଟଣାଗ୍ରସ୍ତ ହୋଇ ଭଦ୍ରକ ମେଡିକାଲର ଟ୍ରମା ୟୁନିଟ୍‌ରେ ଭର୍ତ୍ତି ହେଲେ ତାଙ୍କର ଅସ୍ତ୍ରୋ‌ପଚାର କରାଯାଇ ପ‌ାରୁ ନାହିଁ। ଏପରି ରୋଗୀଙ୍କୁ ତୁରନ୍ତ କଟକ ଡକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ବହୁ ଗରିବ ରୋଗୀ ଯେଉଁମାନେ କଟକ ଯାଇ ପାରୁ ନାହାନ୍ତି। ସେମାନଙ୍କ କ୍ଷେତରେ ବହୁ ସମସ୍ୟା ସୃଷ୍ଟି ହେଉଛି। କେବଳ ନିଶ୍ଚେତକ ଡାକ୍ତର ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରତିଦିନ ଭଦ୍ରକ ଟ୍ରମା ୟୁନିଟକୁ ୨୦ରୁ ଉର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇ ପାରୁ ନାହିଁ। ସେହିପରି ଟ୍ରମା ୟୁନିଟରେ ଅସ୍ଥିଶଲ୍ୟ ବିଭାଗର ୨ଟି ଡାକ୍ତର ପଦବୀ ଥିବା ବେଳେ କେହି ଡାକ୍ତର ନାହାନ୍ତି। ସର୍ଜରୀ ବିଭାଗରେ ୩ ଜଣ ଡାକ୍ତର ରହିବା ସ୍ଥାନରେ ୨ ଜଣ ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଅବସର ପରେ ଠିକାରେ ରହି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ସେହିପରି ଏଠାରେ ୩ ଜଣ ସିନିୟର ଆଇସିୟୁ ମେଡିକାଲ ଅଫିସର ରହିବା କଥା। ମାତ୍ର କେହି ଜଣେ ହେଲେ ଡାକ୍ତର ନାହାନ୍ତି କି ଏଠାରେ ଆଇସିୟୁର ସୁବିଧା ନାହିଁ।

ଡାକ୍ତର ସମସ୍ୟା ଟ୍ରମା ୟୁନିଟକୁ ଅଚଳ କରି ରଖିଥିବା ବେଳେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ପଦବୀରେ ଆବଶ୍ୟକ କର୍ମଚାରୀ ନଥିବା ବେଳେ ଠିକା କର୍ମଚାରୀଙ୍କୁ ଗତ ୫ ମାସ ହେଲା ଛଟେଇ କରାଯିବା ପରେ ଟ୍ରମା ୟୁନିଟ୍ କେବଳ ନାମକୁ ମାତ୍ର ଚାଲିଛି। ଆବଶ୍ୟକ ବେଡ ନଥିବାରୁ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଭଦ୍ରକ ଟ୍ରମା ୟୁନିଟରେ ୧୦ଟି ବେଡ ରହିଥିବା ବେଳେ ଏଇ କେନ୍ଦ୍ରରେ ସର୍ଜରୀ ୱାର୍ଡରେ ୨୦ଟି ଶଯ୍ୟା, ଅସ୍ଥିଶଲ୍ୟରେ ୮ଟି ଶଯ୍ୟା ଏମିତି ମୋଟ ୩୮ଟି ଶଯ୍ୟାରେ ଚାଲିଛି ଏଇ କେନ୍ଦ୍ର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଭଦ୍ରକ ଜିଲ୍ଲାର ଟ୍ରମା କେନ୍ଦ୍ରର ଅଚଳାବସ୍ଥା ପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲାରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରାଯିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର