ଆରମ୍ଭ ହେଲାନି ସ୍ବାବ ଟେଷ୍ଟିଂ, ଅଧାରେ ଅଟକିଛି ଭେଣ୍ଟିଲେଟର୍ କାମ

ରାୟଗଡ଼ା: ଆରମ୍ଭ ହୋଇପାରୁନି ସ୍ବାବ ଟେଷ୍ଟିଂ। ଅଧାରେ ଅଟକିଛି ଆଇସିୟୁ, ଭେଣ୍ଟିଲେଟର୍ କାମ। ନିର୍ଧାରିତ ସମୟ ସୀମା ଭିତରେ ଉଭୟ କାମ ସରିନଥିବାରୁ ଗ୍ରୀନ ଜୋନ୍ ରାୟଗଡ଼ା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜିଲ୍ଲାକୁ ପ୍ରତିଦିନ ପ୍ରବାସୀଙ୍କ ସୁଅ ଛୁଟୁଥିବାରୁ କେତେବେଳେ ଯେ ବିପଦ ମାଡ଼ି ଆସିବ ତାହା କହି ହେବନି। ମୁକାବିଲା ପାଇଁ ଅଧିକ ସ୍ବାବ ଟେଷ୍ଟିଂ ସହ ଡାକ୍ତରଖାନାରେ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଯେଉଁଥିରେ ରାୟଗଡ଼ା ପଛରେ ପଡ଼ିଛି। ଓଡ଼ିଶାର ୨୯ ଜିଲ୍ଲାକୁ ଛୁଇଁଛି କରୋନା, ହେଲେ ରାୟଗଡ଼ାକୁ ପ୍ରବେଶ କରିପାରିନି। ଜିଲ୍ଲାରେ ଜଣେ ବି ରୋଗୀ ଚିହ୍ନଟ ହୋଇନଥିବାରୁ ଏହି ଧାରା ବଜାୟ ରଖିବାକୁ ରାଜ୍ୟ ସରକାର ନେଇଛନ୍ତି ସତର୍କତାମୂଳକ ପଦକ୍ଷେପ। ଭୁବନେଶ୍ବର ବଦଳରେ ରାୟଗଡ଼ାରେ ସ୍ବାବ ଟେଷ୍ଟିଂ ପାଇଁ ମେସିନ୍ ପହଞ୍ଚିଛି।

ଟେଷ୍ଟିଂ ମେସିନ୍ ସହ ବାଇଓ ସେଫଟି କ୍ୟାବିନର ଇନଷ୍ଟାଲସେନ୍ ପ୍ରକ୍ରିୟା ଶେଷ ହୋଇଛି। ଆଉ କିଛି ମେସିନ୍ ଆସିନଥିବାରୁ ପରୀକ୍ଷଣ ଆରମ୍ଭ ହୋଇନି। ପ୍ରଥମେ ମେ’ ୨୫ ପରେ ମେ’ ୩୧ ସୁଦ୍ଧା ପରୀକ୍ଷଣ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଥିଲା। କାମ ସରିବାରେ ବିଳମ୍ବ ଯୋଗୁ ଜୁନ୍ ଦ୍ବିତୀୟ ସପ୍ତାହ ସୁଦ୍ଧା ମଧ୍ୟ ପରୀକ୍ଷଣ ଆରମ୍ଭ ହେବା ନେଇ ସନ୍ଦେହ ଉପୁଜିଛି। ମେ’ ୧୫ ରେ କୋଭିଡ଼୍ ସ୍ଥିତି ସୀମକ୍ଷାରେ ଆସି ଉନ୍ନୟନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍ ରାୟଗଡ଼ା କୋଭିଡ଼୍ ମେଡ଼ିକାଲ ଭିତ୍ତିଭୂମିର ବିକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୧୦ରୁ ୧୫ ଦିନ ମଧ୍ୟରେ ୫ଟି ଭେଣ୍ଟିଲେଟର୍, ୧୦ଟି ଆଇସିୟୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଯାହା ଆଜି ସୁଦ୍ଧା ସଂପୂର୍ଣ୍ଣ ହୋଇ ପାରିନି।

iStock

ଲକଡାଉନ୍ କୋହଳ ପରେ ହଜାର ହଜାର ପ୍ରବାସୀ ଘରମୁହାଁ ହେଲେଣି। ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ପେଶାଲ୍ ଟ୍ରେନରେ ରାୟଗଡ଼ାକୁ ଆସି ନିଜ ଜିଲ୍ଲାକୁ ଯିବା ପରେ ପ୍ରବାସୀ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଅଥଚ ରାୟଗଡ଼ା ଆଜି ସୁଦ୍ଧା ଗ୍ରୀନ ଜୋନରେ ରହିଛି। ୯ଟି ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାର ୪୦୧ ଶ୍ରମିକ ଟ୍ରେନରେ ଫେରିଥିବା ବେଳେ ବ୍ଲକ୍ ଓ ପୌରାଞ୍ଚଳ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ହଜାରରୁ ଉର୍ଧ୍ବ ପ୍ରବାସୀ କ୍ବାରାଣ୍ଟିନରେ ଅଛନ୍ତି। କିନ୍ତୁ ଜିଲ୍ଲାରୁ ଆଜି ସୁଦ୍ଧା ପରୀକ୍ଷଣ ପାଇଁ ସଂଗ୍ରହ ହୋଇଛି ୨୦୧୭ ନମୁନା। ସେଥିରୁ ୧୭୭୪ ନମୁନା ନେଗେଟିଭ୍ ଥିବା ବେଳେ ୨୪୩ ନମୁନାର ରିପୋର୍ଟ ଆସିପାରିନି। ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି ଶହ ଶହ ପୁଲିସ୍ ଓ ସରକାରୀ କର୍ମଚାରୀ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ସୁଦ୍ଧା କାହାର ବି ସ୍ବାବ୍ ପରୀକ୍ଷଣ କରାଯାଇନି।

ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଦେଇ ଦିନକୁ ୨ ହଜାରରୁ ଉର୍ଧ୍ବ ପ୍ରବାସୀ ଶ୍ରମିକ ବିଭିନ୍ନ ଜିଲ୍ଲା ଓ ରାଜ୍ୟକୁ ଯାଉଛନ୍ତି। ସମସ୍ତଙ୍କ ଠିକଣା ଲେଖିବା ସହ ପଞ୍ଜିକରଣ ପରେ ପୁଲିସ୍ ସେମାନଙ୍କୁ ଛାଡ଼ୁଛି। ବହୁ ପ୍ରବାସୀଙ୍କ ସଂସ୍ପର୍ଶରେ ପୁଲିସ୍, ସରକାରୀ କର୍ମଚାରୀ ଆସୁଥିବାରୁ ସ୍ବାବ୍ ଟେଷ୍ଟିଂର ନିହାତି ଆବଶ୍ୟକତା ରହିଛି। କରୋନା ଆକ୍ରାନ୍ତ ଜିଲ୍ଲାର ସ୍ବାବ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଥିବାରୁ ରାୟଗଡ଼ା ପଛରେ ପଡ଼ିଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ଆବଶ୍ୟକ କିଛି ମେସିନ୍ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ସ୍ବାବ୍ ପରୀକ୍ଷଣ ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି। ରାୟଗଡ଼ାରେ କାର୍ଯ୍ୟକାରୀ ହେବାକୁ ଥିବା ସ୍ବାବ ଟେଷ୍ଟିଂ ମେସିନ ଦିନକୁ ଶହେ ସ୍ବାବ ପରୀକ୍ଷଣର କ୍ଷମତା ରଖିଥିବାରୁ ତୁରନ୍ତ ଉପଯୁକ୍ତ ଟେକ୍ନିସିଆନ୍, ମାଇକ୍ରୋ ବାଇଓଲୋଜିଷ୍ଟ୍ ନିୟୋଜିତ କରି ସ୍ବାବ୍ ପରୀକ୍ଷଣ ଆରମ୍ଭ କରିବାକୁ ଦାବି ହୋଇଛି। ନଚେତ୍ ଗ୍ରୀନ ଜୋନରେ ଥିବା ରାୟଗଡ଼ା ପ୍ରତି କେତେବେଳେ ଯେ ବିପଦ ମାଡ଼ି ଆସିବ ତାହା କହି ହେବନି।

ସମ୍ବନ୍ଧିତ ଖବର