ନବରଙ୍ଗପୁରରେ ବେକରେ ଗାମୁଛା ଦେଇ ଯୁବକର ଆତ୍ମହତ୍ୟା
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପାତ୍ରି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡ଼ ନିକଟ ଏକ ଜଙ୍ଗଲରେ ଜଣେ ଯୁବକ ଆଜି ଅପରାହ୍ନରେ ଏକ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ମୁଣ୍ଡାଗୁଡ଼ା ଗ୍ରାମର ଗୋବର୍ଦ୍ଧନ ଭତରା (୩୦) ବୋଲି ଜଣାପଡିଛି। ଏ ନେଇ ମୃତ ଗୋବର୍ଦ୍ଧନର ଭାଇ ଚନ୍ଦ୍ର ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଜବାଗୁଡ଼ା ନିକଟ ମୁଣ୍ଡାଗୁଡ଼ାର ଗୋବର୍ଦ୍ଧନ ଭତରା ଗାଈ ଚୋରାଇବାକୁ ଯିବି କହି ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଘରୁ ବାହାରିଥିଲା । ମୁଣ୍ଡାଗୁଡ଼ା ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଥିବା ଜଙ୍ଗଲ ମଧ୍ୟରେ ଏକ ଚାର ଗଛରେ ଗୋବର୍ଦ୍ଧନ ଭତରା ଭାରସାମ୍ୟ ହରାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା। ଅପରାହ୍ନ ୪ ଘଣ୍ଟା ସମୟରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଗ୍ରାମବାସୀ ଗୋବର୍ଦ୍ଧନ ଏକ ବୃକ୍ଷରେ ବେକରେ ଗାମୁଛା ବାନ୍ଧି ଓହଳି ହୋଇଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ଜଙ୍ଗଲକୁ ଯାଇ ଦେଖିବା ବେଳକୁ ଗୋବର୍ଦ୍ଧନ ମୃତ ଅବସ୍ଥାରେ ଗଛରେ ଝୁଲି ରହିଥିଲା। ମୁଣ୍ଡାଗୁଡ଼ା ଗ୍ରାମର ବୁଦନ ଭତରାର ବଡ଼ ପୁଅ ଗୋବର୍ଦ୍ଧନ ବିବାହିତ ଥିବା ବେଳେ ତାର ପୁଅ ଓ ଝିଅ ଟିଏ ଅଛନ୍ତି। ଏ ନେଇ ଗୋବର୍ଦ୍ଧନର ଭାଇ ଚନ୍ଦ୍ର ଭତରା ଡାବୁଗାଁ ଥାନାରେ ଆଜି ସନ୍ଧ୍ୟାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା କରିଛନ୍ତି। ଆସନ୍ତା ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।