ପରିତ୍ୟକ୍ତ ଘରେ ବନ୍ଧା ହୋଇ ପଡ଼ିଥିଲା ନାବାଳିକା, ଅପହର୍ତ୍ତା ଗିରଫ

ବାଲିଅନ୍ତା : ଜଣେ ୧୨ ବର୍ଷୀୟା ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋଗରେ ଆଜି ବାଳକାଟି ଫାଣ୍ଡି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗତ ୨୩ ତାରିଖରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ମାମଲାର ଅଭିଯୁକ୍ତ ହେଲେ ଚଢ଼େଇବର ଗ୍ରାମର ସେକ୍‌ ଅମୀରଉଦ୍ଦିନ (୨୭)। ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଛୋଟ ଝିଅଟିର ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ଏକ ଠାକୁରାଣୀ ମନ୍ଦିର ନିକଟସ୍ଥ ପରିତ୍ୟକ୍ତ ଘରେ ଛାଡ଼ି ପଳାଇଥିବା ଏହି ସଂଗିନ୍ ମାମଲା ପଛରେ ଅଭିଯୁକ୍ତର କି ଉଦ୍ଦେଶ୍ୟ ଥିଲା, ତାହାକୁ ନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

ନାବାଳିକାର ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ଅପରାହ୍‌ଣ ପ୍ରାୟ ୧ଟା ସମୟରେ ସେମାନଙ୍କ ଝିଅ ହଠାତ୍ ନିଖୋଜ ହୋଇଥିଲା। ସେମାନେ ବହୁ ଖୋଜାଖୋଜି କରିବା ପରେ ଝିଅକୁ ନ ପାଇବାରୁ ବାଳକାଟି ଫାଣ୍ଡିରେ ଜଣାଇଥିଲେ। ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଖୋଜିଥିଲେ। ରାତି ୧୧ଟା ବେଳେ ଚଢ଼େଇବର ଗାଁ ମଣ୍ଡେଇଶୁଣି ଠାକୁରାଣୀଙ୍କ ପୀଠ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ନାବାଳିକା ପଡ଼ିଥିବା ଦେଖିବାକୁ ମିଳିଥିଲା। ନାବାଳିକାର ହାତ, ଗୋଡ଼ ଓ ପାଟି ବନ୍ଧା ହୋଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲା। ତୁରନ୍ତ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସୁସ୍ଥ ହେବା ପରେ ସେ ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ନିକଟରେ ସବୁ କଥା କହିଥିଲା। ଅଭିଯୁକ୍ତ ଅମୀର ତାକୁ ଉଠାଇ ନେଇଥିଲା ବୋଲି ସେ କହିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ନାବାଳିକାର ପରିବାର ପକ୍ଷରୁ ଅମୀର ବିରୋଧରେ ଅପହରଣ ଅଭିଯୋଗ କରାଯାଇଥିଲା। ତେଣୁ ବାଳକାଟି ଫାଣ୍ଡି ପୁଲିସ ତୁରନ୍ତ ଅମୀରକୁ ପିଛା କରିଥିଲା ଓ ଯୋଜନାନୁସାରେ ସେ ଫେରାର୍‌ ହୋଇଯିବା ପୂର୍ବରୁ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର