କେବଳ ଏପ୍ରିଲ୍ ୧୫ରୁ ଜୁନ୍ ୧୫ ଭିତରେ ବଦଳି
ନିଜ ଜିଲ୍ଲାରେ ନିଯୁକ୍ତି ପାଇପାରିବେନି ଯୋଗାଣ ଅଧିକାରୀ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ଷେତ୍ର ସ୍ତରର ଅଧିକାରୀଙ୍କ ବଦଳି ପାଇଁ ବହୁ ସଂଖ୍ୟାରେ ଆବେଦନ ଓ ସୁପାରିସ୍ ଆସୁଛି। ବର୍ଷ ତମାମ ଏହା ଚାଲୁଥିବାରୁ ବିଭାଗରେ ସମସ୍ୟା ସୃଷ୍ଟି ହେଉଛି। ଏଣିକି ଆଉ ମନଇଚ୍ଛା ସେମାନଙ୍କ ବଦଳି ହୋଇପାରିବ ନାହିଁ। ବିଭାଗରେ ପ୍ରଶାସନିକ ଢାଞ୍ଚାକୁ ଦକ୍ଷ ଓ ସ୍ବଚ୍ଛ କରିବା ପାଇଁ କ୍ଷେତ୍ର ସ୍ତରର ଅଧିକାରୀଙ୍କ ବଦଳି ନିମନ୍ତେ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। କେବଳ ଏପ୍ରିଲ୍ ୧୫ରୁ ଜୁନ୍ ୧୫ ତାରିଖ ମଧ୍ୟରେ ବଦଳି ହୋଇପାରିବ ବୋଲି ବିଭାଗ ସ୍ପଷ୍ଟ କରିଛି। କେଉଁ ଅଧିକାରୀ ଗୋଟିଏ ଜାଗାରେ କେତେ ଦିନ ରହିପାରିବେ, ତାହାର ଏକ ସ୍ପଷ୍ଟ ଚିତ୍ର ଏହି ନୀତିରେ ଦିଆଯାଇଛି। ଆଜି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି।
ନିର୍ଦ୍ଦେଶନାମାରେ ଥିବା ବ୍ୟବସ୍ଥା ଅନୁଯାୟୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିଜ ଜିଲ୍ଲାରେ ନିଯୁକ୍ତି ପାଇପାରିବେ ନାହିଁ। ଗୋଟିଏ ଜିଲ୍ଲାରେ ଜଣେ ମୁଖ୍ୟ ଯୋଗାଣ ଅଧିକାରୀ ଲଗାତର ଦୁଇ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଯୋଗାଣ ଅଧିକାରୀ ଓ ଅତିରିକ୍ତ ଯୋଗାଣ ଅଧିକାରୀ ଗୋଟିଏ ଜିଲ୍ଲାରେ ଯଥାକ୍ରମେ ତିନି ଓ ଚାରି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେମାନେ ନିଜ ଜିଲ୍ଲାରେ ମଧ୍ୟ ନିଯୁକ୍ତି ପାଇବେ ନାହିଁ। ଯଦି କୌଣସି ଜରୁରି ପରିସ୍ଥିତିରେ ଅତିରିକ୍ତ ଯୋଗାଣ ଅଧିକାରୀ ନିଜ ଜିଲ୍ଲାରେ ନିଯୁକ୍ତି ପାଆନ୍ତି, ତେବେ ସେ ନିଜ ବ୍ଲକ୍ କିମ୍ବା ସବ୍ଡିଭିଜନ୍ରେ କାମ କରିପାରିବେ ନାହିଁ। ସେହିପରି ଯୋଗାଣ ନୀରିକ୍ଷକଙ୍କୁ ମଧ୍ୟ ନିଜ ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କୌଣସି ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହିଁ।
ଯେଉଁ ଅଧିକାରୀମାନେ କେବିକେ ଅଞ୍ଚଳ ଏବଂ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ପାଇଥିବେ, ସେମାନେ ତିନି ବର୍ଷର ଚାକିରି ପରେ ନିଜ ପସନ୍ଦର ଜିଲ୍ଲାକୁ ବଦଳି ହୋଇପାରିବେ। ସଂପୃକ୍ତ ଅଧିକାରୀ ନିଜ ପସନ୍ଦର ତିନିଟି ଜିଲ୍ଲା କହିବେ ଓ ଆବଶ୍ୟକ ସ୍ଥଳେ ତାହାକୁ ବିଚାରକୁ ନିଆଯିବ। କୌଣସି ବି କ୍ଷେତ୍ର ସ୍ତରର ଅଧିକାରୀ ନିଜ ଚାକିରି ଜୀବନରେ ଗୋଟିଏ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହିଁ। ଲୋକଙ୍କ ସ୍ବାର୍ଥ, ପ୍ରଶାସନିକ ସୁବିଧା ଓ ଜରୁରିକାଳୀନ ସ୍ଥିତିରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଏହି ନିୟମଗୁଡ଼ିକୁ କୋହଳ କରାଯାଇପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।