ଖୋଲିଗଲା ପାକିସ୍ତାନର ‘ମାନବିକତା’ ମୁଖା! ଲକ୍ଷ୍ୟରେ ଥିଲା ଆଇସିଜେର ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ‘ମାନବିକତା’ର ଦ୍ୱାହି ଦେଇ ସାକ୍ଷାତ ପାଇଁ ପାକିସ୍ତାନ ଡକାଇଥିବା କୁଳଭୂଷଣ ଯାଦବଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସେଠାରେ ଯେପରି ‘ଅମାନବୀୟ’ ଆଚରଣ ପ୍ରଦର୍ଶନ କଲା, ତାକୁ ନେଇ ଏବେ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଏପରିକି ଖୋଦ୍ ପାକିସ୍ତାନ ଭିତରୁ ମଧ୍ୟ ପାକିସ୍ତାନର ଏପ୍ରକାରର ଆଚରଣକୁ ନିନ୍ଦା କରା ଯାଇଛି। ଆଜି ସଂସଦରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ଏପ୍ରକାରର ନିନ୍ଦନୀୟ ଆଚରଣ ବାବଦରେ ବକ୍ତବ୍ୟ ରଖୁଥିବା ବେଳେ ସଂସଦର ଉଭୟ ସଦନର ସାଂସଦମାନେ ଘଟଣାର ତୀବ୍ର ନିନ୍ଦା କରିବା ସହ ‘ପାକିସ୍ତାନ ମୁର୍ଦ୍ଦାବାଦ’ ବୋଲି ସୁଦ୍ଧା ସ୍ଲୋଗାନ୍ ଦେବାକୁ କୁଣ୍ଠିତ ହୋଇନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ, ‘ମାନବିକତା’ର ଦ୍ୱାହି ଦେଇ କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ସାକ୍ଷାତ ପାଇଁ ପାକିସ୍ତାନ କାହିଁକି ଦୀର୍ଘ ୨୨ ମାସ ପରେ ଡକାଇଥିଲା, ଏବଂ ଏହା ପଛରେ କି ନିହିତ ଉଦ୍ଦେଶ୍ୟ ଥିଲା ତାହା ଏବେ ଧରା ପଡ଼ି ଯାଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆସନ୍ତା ମାସରେ ହଲାଣ୍ଡର ଠାରେ ଅବସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଓଜେ)ରେ ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ବନ୍ଦୀ ହୋଇ ମୃତ୍ୟୁ ଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ମୁକ୍ତି ପାଇଁ ଭାରତ କରିଥିବା ଆବେଦନର ପୁଣି ଶୁଣାଣି ଆରମ୍ଭ କରିବାକୁ ଯାଉଛି। ଗତ ମଇ ମାସରେ ଭାରତର ଆବେଦନକୁ ଭିତ୍ତି କରି ଏହି ଅଦାଲତ ଯାଦବଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ଉପରେ ରୋକ୍ ଲଗାଇ ପାକିସ୍ତାନକୁ ଅଡୁଆରେ ପକାଇ ଦେଇଥିଲେ।
ଏହାକୁ ଦୃଷ୍ଟିରେ ରଖି ଏଥର ବିଚାର ସମୟରେ, ପାକିସ୍ତାନ ନ୍ୟାୟାଳୟକୁ ନିଜ ସପକ୍ଷରେ ପ୍ରଭାବିତ କରିବା ଲକ୍ଷ୍ୟ ନେଇ ଗତ ୨୫ ତାରିଖରେ ଯାଦବଙ୍କ ମା ଓ ପତ୍ନୀଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଦେଇଥିଲା। ପାକିସ୍ତାନ ଆଶା ରଖିଥିଲା ମାନବିକତାର ଦ୍ୱାହିରେ ସାକ୍ଷାତକାର ପାଇଁ ସୁଯୋଗ ଦେଇଛି ବୋଲି ପ୍ରଚାର କରି ଆନ୍ତର୍ଜାତିକ ଅଦାଲତକୁ ନିଜ ସପକ୍ଷରେ ଆକୃଷ୍ଟ କରାଇ ପାରିବ! ମଇ ମାସରେ ଆନ୍ତର୍ଜାତିକ ଅଦାଲତ ଯାଦବଙ୍କ ଫାଶୀ ଉପରେ ରୋକ୍ ଲଗାଇ ଯେଉଁ ମଧ୍ୟବର୍ତ୍ତୀ ଆଦେଶ ଦେଇଥିଲେ ତାହାର ପ୍ରମୁଖ କାରଣ ଥିଲା, ପାକିସ୍ତାନରେ ଯାଦବଙ୍କର ବିଚାରରେ ନ୍ୟାୟିକ ପ୍ରଣାଳୀ ଠିକ୍ ଭାବରେ ଅନୁସୃତ ହୋଇଛି କି ନାହିଁ ଏବଂ ବନ୍ଦୀ ଅବସ୍ଥାରେ ଥିବା ଯାଦବଙ୍କ ପ୍ରତି ଉପଯୁକ୍ତ ଆଚରଣ ପ୍ରଦର୍ଶନ କରାଯାଇଛି ନା ନାହିଁ। ଏବଂ ଭାରତୀୟ ଦୂତାବାସ ପ୍ରତିନିଧିମାନଙ୍କୁ ଯାଦବଙ୍କୁ ଭେଟିବାକୁ ସୁଯୋଗ (କନସୁଲାର ଆକ୍ସେସ୍) ମିଳିଛି ନା ନାହିଁ। ୨୫ ତାରିଖର ଏହି ସାକ୍ଷାତ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ବାଜା ଆସିଫ୍ ଘୋଷଣା କରିଛନ୍ତି ଯେ ଏହି ଭେଟ ଅବସରରେ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ମଧ୍ୟ ପାକିସ୍ତାନର ଭାବମୂର୍ତ୍ତିରେ ଉନ୍ନତି ଆଣିବ ବୋଲି ପାକିସ୍ତାନ ଆଶା ରଖିଥିଲା।
ହେଲେ, ଏବେ ସେଇ ବହୁ ପ୍ରଚାରିତ ସାକ୍ଷାତକାରର ଯେଉଁ ଚିତ୍ର ପ୍ରକାଶ ପାଇଛି, ତାହା ପାକିସ୍ତାନର ଏହି ଉଦ୍ଦେଶ୍ୟ ପୂରଣରେ କେତେ ସହାୟକ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ସାକ୍ଷାତ ପାଇଁ ଯିବା ପୂର୍ବରୁ ଯାଦବଙ୍କ ପତ୍ନୀଙ୍କଠାରୁ ଛଡ଼ାଇ ନିଆଯାଇଥିବା ଜୋତା ମଧ୍ୟ ତାଙ୍କୁ ଫେରିବା ବେଳେ ଫେରସ୍ତ ଦିଆଯାଇ ନଥିଲା। ଭାରତୀୟ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ସୂଚନା ଦେଇ ଏହାକୁ ବ୍ୟବହାର କରି ପାକିସ୍ତାନ କିଛି ବଦମାସି ନ କରିବାକୁ ସତର୍କବାଣୀ ଶୁଣାଇଥିଲେ ମଧ୍ୟ ଏବେ ପାକିସ୍ତାନ କହିଲାଣି ଯେ ସେ ଜୋତା ଭିତରେ କିଛି ନିଷିଦ୍ଧ ପଦାର୍ଥ ଥିଲା। ଏହା ନିଶ୍ଚିତ ଭାବରେ ଏକ ସୁପରିକଳ୍ପିତ ଚକ୍ରାନ୍ତ।
ତେଣୁ, ପାକିସ୍ତାନର ଏ ସମସ୍ତ ନିର୍ବୋଧ ଚାଲବାଜି କେବଳ ମାତ୍ର ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ରେ ଆଗାମୀ ଶୁଣାଣି ସମୟରେ ବିଚାରପତିମାନଙ୍କୁ ଓ ବିଚାର ପ୍ରକ୍ରିୟାକୁ ପ୍ରଭାବିତ ଓ ବିଭ୍ରାନ୍ତ କରବାକୁ ଉଦ୍ଦିଷ୍ଟ ଥିଲା ବୋଲି କୂଟନୈତିକ ଓ ସୁରକ୍ଷା ବିଶାରଦମାନେ ଆଶଙ୍କା ପ୍ରକଟ କରିଛନ୍ତି।