ଓଡ଼ିଶା ସାହିତ୍ୟ ଏକାଡେମୀ- ପୁରସ୍କାରର ପ୍ରହସନ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ସଂଖ୍ୟା କେତେ? ପୁରସ୍କାରର ସଂଖ୍ୟାବୃଦ୍ଧି ଘୋଷଣା ଏବେ କେଉଁ ସ୍ଥିତିରେ ଅଛି?

ଏ ପ୍ରଶ୍ନର ଉତ୍ତର କେବଳ ଓଡ଼ିଶାର ସାହିତ୍ୟିକମାନଙ୍କୁ ନୁହେଁ; ଖୋଦ୍ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟମାନଙ୍କୁ ମଧ୍ୟ ଅଜଣା। କାରଣ ଆଜିର ସ୍ଥିତି ଏପରି ଯେ- ତିନିବର୍ଷିଆ, ପୁରୁଣା ସାଧାରଣ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୨୩ ଜୁଲାଇ, ୨୦୨୦ରୁ ପୂରିଯାଇଛି ଏବଂ ୨୪ ଜୁଲାଇରୁ ଆରମ୍ଭ ହୋଇଥିବା ନୂଆ ସାଧାରଣ ପରିଷଦ ଗଠନର ପ୍ରକ୍ରିୟା ତଥାପି ସଂପୂର୍ଣ୍ଣ ହୋଇ ନାହିଁ। ତରବରିଆ ଭାବରେ ୩୦ଟି ଜିଲାର ସାଧାରଣ ପରିଷଦ ସଦସ୍ୟଙ୍କୁ ସରକାର ମନୋନୀତ କରିସାରିଥିଲେ ହେଁ, ସେମାନଙ୍କର ବୈଠକ ଏ ଯାଏ ବସି ନାହିଁ। କୋଭିଡ୍ କଟକଣା ସତ୍ତ୍ୱେ ରାଜ୍ୟ ବିଧାନସଭାର ବୈଠକ ବସିପାରୁଥିଲେ ମଧ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ସଦସ୍ୟଙ୍କ ବୈଠକ ବସିପାରୁନାହିଁ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସମ୍ବାଦପତ୍ରରେ ଶେଷ ବିଜ୍ଞାପନ ପ୍ରକାଶ ପାଇଥିଲା ୧୨ ଅଗଷ୍ଟ, ୨୦୧୮ରେ। ସେଥିରେ ୨୦୧୭ ଓ ୨୦୧୮, ଏହି ଦୁଇବର୍ଷର ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ କରାଯାଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଚୟନଠାରୁ ଏ ପୁରସ୍କାର ଚୟନର ଭିନ୍ନତା ଏହି ଯେ କେନ୍ଦ୍ର ଅକାଦେମିରେ ଯୋଗ୍ୟ ପୁସ୍ତକ ଚୟନ ପାଇଁ ସ୍ୱତନ୍ତ୍ର ଓ ଗୋପନୀୟ ବ୍ୟବସ୍ଥାବଳୀ ଅଛି। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ପ୍ରକାଶକ ବା ସ୍ୱୟଂ ଲେଖକଙ୍କୁ ନିର୍ଦ୍ଧାରିତ ‘ପ୍ରୋଫର୍ମା’ରେ ଆବେଦନ କରିବାକୁ ପଡ଼େ। ତେଣୁ ପୁସ୍ତକର ପ୍ରକାଶକ ବା ପୁରସ୍କାର ଆଶାୟୀ ଲେଖକ, ପୁରସ୍କାରର ସଂଖ୍ୟା ଓ ବିଭାଗଗୁଡ଼ିକୁ ଖୋଲା ବିଜ୍ଞାପନ ମାଧ୍ୟମରେ ଜାଣିବାର ଅବକାଶ ପାଆନ୍ତି। ଏଣୁ ଉଲ୍ଲିଖିତ ବିଜ୍ଞାପନ ଅନୁସାରେ, ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ସଂଖ୍ୟା ୧୧।

କିନ୍ତୁ ୧୦ ଜୁଲାଇ, ୨୦୨୦ରେ ଯେଉଁ ଦୁଇବର୍ଷର (୨୦୧୫ ଓ ୨୦୧୬) ପୁରସ୍କାର ଘୋଷଣା ହୋଇଛି, ସେଥିରେ ପୁରସ୍କାରର ସଂଖ୍ୟା ରହିଛି ୯। ପୁରସ୍କାରର ସେହି ବିଭାଗଗୁଡ଼ିକ ହେଉଛି- ୧. ଉପନ୍ୟାସ, ୨. କ୍ଷୁଦ୍ରଗଳ୍ପ, ୩. କାବ୍ୟକବିତା, ୪. ନାଟକ ଓ ଏକାଙ୍କିକା, ୫. ପ୍ରବନ୍ଧ ଓ ସମାଲୋଚନା, ୬. ଜୀବନୀ ଓ ଭ୍ରମଣ ସାହିତ୍ୟ, ୭. ଅନୁବାଦ, ୮. ଶିଶୁସାହିତ୍ୟ ଓ ୯. ଗୀତିକବିତା। କିନ୍ତୁ ୨୦୧୭ ଓ ୨୦୧୮ ବର୍ଷର ପୁରସ୍କାର ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନରେ ଆଉ ଦୁଇଟି ନୂଆ ବିଭାଗ ଯୋଡ଼ା ହୋଇଛି। ସେହି ଦୁଇ ବିଭାଗ ହେଉଛି- ୧୦. ଐତିହାସିକ ଗବେଷଣା ଓ ୧୧. ବିଜ୍ଞାନ ସାହିତ୍ୟ।

କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ସଂଖ୍ୟା କ’ଣ ଏତିକି? ଆଗକୁ ଆଉ କେତୋଟି ପୁରସ୍କାର ‘ପାଇପ୍‌’ (ପ୍ରକ୍ରିୟା) ଭିତରେ ଅଛି? ଏହାର ଉତ୍ତର କିନ୍ତୁ ବିଗତ ସାଧାରଣ ପରିଷଦ ସଦସ୍ୟମାନଙ୍କ ପାଖରେ ନାହିଁ। ନୂଆ ସାଧାରଣ ପରିଷଦ ସଦସ୍ୟଙ୍କ ପାଇଁ ମଧ୍ୟ ଏହା ଅଜଣା।

ଓଡ଼ିଶା ସାହିତ୍ୟ ଏକାଡେମୀର ବ୍ୟବସ୍ଥାରେ ବିଚିତ୍ରତା ହେଉଛି, ଏହାକୁ ସ୍ୱୟଂଶାସିତ ବୋଲି କୁହାଯାଉଥିଲେ ମଧ୍ୟ, ବସ୍ତୁତଃ ଏହା ସରକାରଙ୍କର ମର୍ଜିରେ ହିଁ ଚାଲେ। ସଭାପତି ଓ ଉପସଭାପତି ଏବଂ ଅନ୍ୟମାନେ ବସ୍ତୁତଃ ସରକାରଙ୍କ ମର୍ଜିର କ୍ରୀଡ଼ନକ। ଏହାର କିଛି ନଜିର ଏହି ସ୍ତମ୍ଭର ଗତ ଅଧ୍ୟାୟ (୨୬/୯)ରେ ଦିଆଯାଇଛି। ଏକାଡେମୀର ସମ୍ବିଧାନ ଅନୁସାରେ, ‘ଜେନେରାଲ କାଉନସିଲ୍‌’ ବା ‘ସାଧାରଣ ପରିଷଦ’ ଏକାଡେମୀର ‘ଅଥରିଟି’ ବା କର୍ତ୍ତୃପକ୍ଷ ନମ୍ବର-୧। କିନ୍ତୁ ଏହାର ପ୍ରସ୍ତାବ ବି ସରକାର ଗ୍ରହଣ ନକରି, ନିଜ ମର୍ଜି ଅନୁସାରେ ଏକାଡେମୀ ବ୍ୟାପାରରେ ନିଷ୍ପତ୍ତି ନେଇଥାଆନ୍ତି। ଉଦାହରଣ ସ୍ୱରୂପ- ଏକାଡେମୀ ପୁରସ୍କାରର ମୂଲ୍ୟ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରିବାକୁ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସରକାର ପୁରସ୍କାର ପରିମାଣକୁ ୨ ଲକ୍ଷକୁ ବୃଦ୍ଧି କଲେ। ଏପରି ସ୍ଥଳେ, ସଭାପତି ଓ ଉପସଭାପତିଙ୍କ ଭୁବନେଶ୍ୱର ରହଣି ବାବଦ ଘରଭଡ଼ାକୁ ୫ ହଜାର ଟଙ୍କାରୁ ୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ, ସରକାର ତାହାକୁ ଗ୍ରହଣ କଲେ ନାହିଁ। ଏହା ମାଧ୍ୟମରେ ସରକାର ସୂଚାଇ ଦେଲେ ଯେ ସଭାପତି, ଉପସଭାପତି ବା ଏକାଡେମୀର ସାମ୍ବିଧାନିକ ବିଧି ବ୍ୟବସ୍ଥାର କୌଣସି ମୂଲ୍ୟ ନାହିଁ। ସବୁକିଛି ସରକାରଙ୍କ ‘ବୃଦ୍ଧାଙ୍ଗୁଷ୍ଠି’ ତଳେ ରହିବାପାଇଁ ଏବଂ ସରକାରଙ୍କ ମର୍ଜିରେ ଚାଲିବା ପାଇଁ ବାଧ୍ୟ।

ଓଡ଼ିଶା ସାହିତ୍ୟ ଏକାଡେମୀର ବାର୍ଷିକ ପୁରସ୍କାରର ସଂଖ୍ୟା ନେଇ ମଧ୍ୟ ଏହିପରି ଗୋଟିଏ ସ୍ଥିତି ସୃଷ୍ଟି ହୋଇଛି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି ପୁରସ୍କାରର ସଂଖ୍ୟାବୃଦ୍ଧି ପ୍ରସ୍ତାବ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆ ଯାଇ ନଥିଲା। ୨୬ ଡିସେମ୍ବର ୨୦୧୭ରେ ପୁରୀଠାରେ ପ୍ରଥମ କରି ବସିଥିବା ମନ୍ତ୍ରୀ ପରିଷଦ (କ୍ୟାବିନେଟ୍‌)ର ବୈଠକରେ ରାଜ୍ୟ ସରକାର ଏ ସଂକ୍ରାନ୍ତ ନିଷ୍ପତ୍ତି ନେଇଥିଲେ। ଏ ବାବଦରେ, ୫ ଫେବ୍ରୁଆରି ୨୦୧୮ରେ ଓଡ଼ିଶା ସାହିତ୍ୟ ଏକାଡେମୀକୁ ରାଜ୍ୟ ସରକାରଙ୍କ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’ ପକ୍ଷରୁ ଗୋଟିଏ ନିର୍ଦ୍ଦେଶ ଆସିଥିଲା। ବିଭାଗ ପକ୍ଷରୁ ଆୟୋଜିତ ସେତେବେଳର କେତୋଟି ସଭାରେ ମଧ୍ୟ ବିଭାଗୀୟ ପ୍ରମୁଖ ସଚିବ ସେ ବାବଦରେ ସୂଚନା ଦେଇଥିଲେ। “ଏଣିକି ‘ଓଡ଼ିଆ ୱେବ୍‌ସାଇଟ୍‌’ ଓ ‘ଓଡ଼ିଆ ବ୍ଲଗ୍ ଲେଖା’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ” ବୋଲି ସେ ନିର୍ଦ୍ଦିଷ୍ଟ ଭାବରେ ଘୋଷଣା ମଧ୍ୟ କରିଥିଲେ। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀର ‘କାର୍ଯ୍ୟକାରୀ ପରିଷଦ’ (ଏକଜିକ୍ୟୁଟିଭ୍ ବୋର୍ଡ) ବୈଠକର ଏକ ବିବରଣୀ କହେ ଭିନ୍ନ କାହାଣୀ।

୨୦୧୮ ମସିହା ମେ ମାସ ୪ ତାରିଖ, ଅପରାହ୍‌ଣ ୪ଟା ବେଳେ, ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏକାଡେମୀର ‘କାର୍ଯ୍ୟକାରୀ ପରିଷଦ’ ବୈଠକ। ତାହାର ବିବରଣୀର ତୃତୀୟ ବିନ୍ଦୁରେ ଏ ପ୍ରସଙ୍ଗର ଉଲ୍ଲେଖ ଅଛି। ତାହାର ବିଷୟ ହେଉଛି, “କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷଠାରୁ ପ୍ରଦାନ କରାଯିବାକୁ ଥିବା ୧୮ଗୋଟି ବିଭାଗର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ନିୟମାବଳୀର ପ୍ରଣୟନ।” ଏହା ସ୍ପଷ୍ଟ ସୂଚାଏ ଯେ ୨୦୧୮-୧୯ ଆର୍ଥିକ ବର୍ଷଠାରୁ ୧୮ଟି ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବା ପାଇଁ ରାଜ୍ୟ ମନ୍ତ୍ରୀପରିଷଦ ନିଷ୍ପତ୍ତି କରିଛି। ଯେଉଁସବୁ ନୂଆ ବିଭାଗରେ ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି- ସେଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ନିୟମ ପ୍ରଣୟନ କରିବ।

ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣଜୟନ୍ତୀ ସ୍ମରଣିକା ‘ସ୍ମୃତି ଓ ଅନୁଭବ’ରେ ଏକାଡେମୀର ପୁରୁଖା କର୍ମଚାରୀ ରବି ରାୟ ‘ପଚାଶବର୍ଷ: ଓଡ଼ିଶା ସାହିତ୍ୟ ଏକାଡେମୀ’ ଶୀର୍ଷକରେ ଏକାଡେମୀର ଅର୍ଦ୍ଧଶତାବ୍ଦୀର ଇତିହାସ ଉପରେ ସଂକ୍ଷିପ୍ତ ଆଲୋକପାତ କରିଛନ୍ତି। ତାହାର ସୂଚନା ଅନୁସାରେ, ଏକାଡେମୀର ପ୍ରତିଷ୍ଠା (୧୯୫୭)ଠାରୁ ୧୯୭୬-୭୭ ପର୍ଯ୍ୟନ୍ତ ମାତ୍ର ଚାରିଟି ବିଭାଗରେ ପୁରସ୍କାର ଦିଆଯାଉଥିଲା। ସେହି ଚାରିଟି ବିଭାଗ ହେଉଛି, ୧. ଗଳ୍ପ-ଉପନ୍ୟାସ, ୨. କାବ୍ୟ-କବିତା ଓ ନାଟକ, ୩. ସାହିତ୍ୟ-ସମାଲୋଚନା, ପ୍ରବନ୍ଧ, ଜୀବନୀ ଓ ଭ୍ରମଣବୃତ୍ତାନ୍ତ, ଏବଂ ୪. ବିଜ୍ଞାନ ସାହିତ୍ୟ ଓ ଶିଶୁ ସାହିତ୍ୟ। ୧୯୭୭ ମସିହାଠାରୁ ‘ନାଟକ-ଏକାଙ୍କିକା’କୁ ସ୍ୱତନ୍ତ୍ର ବିଭାଗ ଭାବରେ ଗ୍ରହଣ କରାଯାଇ ପୁରସ୍କାରର ସଂଖ୍ୟା ୫କୁ ବୃଦ୍ଧି କରାଯାଇଥିଲା। ୧୯୭୮ ମସିହାଠାରୁ ‘ପ୍ରବନ୍ଧ’ ସହିତ ‘ସାହିତ୍ୟ ସମାଲୋଚନା’କୁ ସଂଯୁକ୍ତ କରାଯିବା ସହିତ, ‘ଶିଶୁ ସାହିତ୍ୟ’କୁ ସ୍ୱତନ୍ତ୍ର ବିଭାଗ ରୂପେ ଗ୍ରହଣ କରାଗଲା। ଫଳରେ ପୁରସ୍କାରର ସଂଖ୍ୟା ୬କୁ ବୃଦ୍ଧି ପାଇଲା। ଆହୁରି ପରବର୍ତ୍ତୀ କାଳରେ, ୧୯୮୪ ଠାରୁ ‘କ୍ଷୁଦ୍ରଗଳ୍ପ’କୁ ସ୍ୱତନ୍ତ୍ର ବିଭାଗ କରାଯାଇ ପୁରସ୍କାରକୁ ୭କୁ ବୃଦ୍ଧି କରାଗଲା। ସେହିପରି ୧୯୯୬ ମସିହାଠାରୁ ‘ଅନୁବାଦ ସାହିତ୍ୟ’କୁ ଏବଂ ୨୦୦୧ ମସିହାଠାରୁ ‘ଗୀତି କବିତା’କୁ ଏକ ଏକ ସ୍ୱତନ୍ତ୍ର ବିଭାଗ କରାଯାଇ, ପୁରସ୍କାର ସଂଖ୍ୟା ୯ ହୋଇଛି। ୨୦୧୭ ଓ ୧୮ ବର୍ଷର ପୁରସ୍କାର ବିଜ୍ଞାପନ ଅନୁସାରେ, ୨୦୧୭ ବର୍ଷଠାରୁ ‘ଐତିହାସିକ ଗବେଷଣା’ ଓ ‘ବିଜ୍ଞାନ ସାହିତ୍ୟ’ ମିଶି ଏହି ପୁରସ୍କାରର ସଂଖ୍ୟା ଏବେ ୧୧ରେ ପହଞ୍ଚିଛି।

କିନ୍ତୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ୨୦୧୮, ମେ ମାସ ୪ ତାରିଖ ବୈଠକର ବିବରଣୀ ଅନୁସାରେ, ପୁରସ୍କାରର ସଂଖ୍ୟା ୧୮। ନିର୍ଦ୍ଦିଷ୍ଟ ଭାବରେ ୧୬ଟିର ତାଲିକା ସେହି ବିବରଣୀରେ ଲିପିବଦ୍ଧ ଅଛି। ତାହା ହେଉଛି- ୧. ଉପନ୍ୟାସ, ୨. ଗଳ୍ପ, ୩. କାବ୍ୟକବିତା, ୪. ନାଟକ ଓ ଏକାଙ୍କିକା, ୫. ପ୍ରବନ୍ଧ, ୬. ଜୀବନୀ, ୭. ଅନୁବାଦ (ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ), ୮. ଶିଶୁ ସାହିତ୍ୟ, ୯. ଗୀତିକବିତା, ୧୦. ସଂପାଦନା ଓ ସଂକଳନ, ୧୧. ହାସ୍ୟବ୍ୟଙ୍ଗ ସାହିତ୍ୟ, ୧୨. ଭ୍ରମଣ ସାହିତ୍ୟ, ୧୩. ସମାଲୋଚନା ସାହିତ୍ୟ, ୧୪. ଶିଶୁ ସାହିତ୍ୟ ବିଷୟକ ଆଲୋଚନା ଓ ପ୍ରବନ୍ଧ, ୧୫. ଐତିହାସିକ ଗବେଷଣା ଓ ୧୬. ଲୋକପ୍ରିୟ ବିଜ୍ଞାନ ସାହିତ୍ୟ।

ବୈଠକର ବିବରଣୀ ଅନୁସାରେ, ୧୮ଟି ବିଭାଗ ମଧ୍ୟରୁ, ଏହି ୧୬ଟି ବିଭାଗର ପୁରସ୍କାର ପାଇଁ ନିୟମାବଳୀ ପ୍ରଣୟନ ନିମନ୍ତେ ସେଦିନ ଏକ ସବ୍ କମିଟି ଗଠନ କରାଯାଇଥିଲା। ସେଥିରେ ବିଜୟାନନ୍ଦ ସିଂହ ଅଧ୍ୟକ୍ଷ ଥିବାବେଳେ, ଭାଗୀରଥି ମହାସୁଆର, ଚନ୍ଦ୍ରଶେଖର ହୋତା ଓ ସୁଶାନ୍ତ ନାୟକ ସଦସ୍ୟ ରହିଥିଲେ। ତାହାର ଏକ ବୈଠକ ୧୪ ମେ ୨୦୧୮ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବା ପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ଏକାଡେମୀର ସେଦିନର ସଂପାଦକ (ସଚିବ) ନିର୍ଦ୍ଧାରିତ ତାରିଖରେ ସେହି ବୈଠକ ଡାକି ନଥିଲେ। ତାହାର ପ୍ରୟୋଜନ ବି ପରେ ଆଉ ପଡ଼ି ନଥିଲା। କାରଣ ସରକାର ସେହି ପ୍ରସ୍ତାବିତ ପୁରସ୍କାର ତାଲିକାଟିକୁ ଗ୍ରହଣ କଲେ ନାହିଁ। ମାତ୍ର ଦୁଇଟି ନୂଆ ବିଭାଗର ପୁରସ୍କାରକୁ ଅନୁମୋଦନ ଦେଲେ। ଫଳରେ, ପୂର୍ବ ନଅଟି ପୁରସ୍କାର ସହିତ ୨୦୧୭-୧୮ ବର୍ଷ ପାଇଁ ୧୧ଟି ବିଭାଗର ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ କରାଯାଇଛି। ସେହି ଦୁଇ ନୂଆ ବିଭାଗ ହେଉଛି ‘ଐତିହାସିକ ଗବେଷଣା’ ଓ ‘ଲୋକପ୍ରିୟ ବିଜ୍ଞାନ ସାହିତ୍ୟ’। ଏହା ମାଧ୍ୟମରେ ରାଜ୍ୟ ସରକାର ପୁନଶ୍ଚ ସୂଚାଇ ଦେଇଛନ୍ତି ଯେ ଓଡ଼ିଶା ସାହିତ୍ୟ ଏକାଡେମୀର କୌଣସି ପ୍ରସ୍ତାବର ମୂଲ୍ୟ ସରକାରଙ୍କ ପାଖରେ କିଛି ବୋଲି କିଛି ନାହିଁ। କ’ଣ କରିବେ ବା ନକରିବେ, ତାହା ସଂପୂର୍ଣ୍ଣ ରୂପେ ସରକାରଙ୍କର ମର୍ଜି। କାରଣ ମାୟାଧର ମାନସିଂହଙ୍କ ଭାଷାରେ, ଓଡ଼ିଶା ସାହିତ୍ୟ ଏକାଡେମୀ ଥିଲା ଓ ଅଛି ରାଜ୍ୟ ସରକାରଙ୍କ ବୃଦ୍ଧାଙ୍ଗୁଷ୍ଠି ତଳେ।

ତେବେ, ଏ ତ ଗଲା ପ୍ରସ୍ତାବିତ ୧୬ଟି ପୁରସ୍କାରର କଥା- ପୁରୀର ମନ୍ତ୍ରୀପରିଷଦର ନିଷ୍ପତ୍ତି ଅନୁସାରେ, ବାକି ଦୁଇଟି ପୁରସ୍କାର କ’ଣ?

ଏ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକର ବିବରଣୀରେ ନାହିଁ। କିନ୍ତୁ ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ତାହା ଥିଲା ‘ଓଡ଼ିଆ ୱେବ୍‌ସାଇଟ୍‌’ ଓ ‘ଓଡ଼ିଆ ବ୍ଲଗ୍ ଲେଖା’ ବାବଦ ପୁରସ୍କାର। ବିଭାଗୀୟ ପ୍ରମୁଖ ଶାସନ ସଚିବ ସେ ସଂପର୍କରେ ବିଭିନ୍ନ ବିଭାଗୀୟ ସଭାରେ ଘୋଷଣା ମଧ୍ୟ କରିଥିଲେ। ତାହା ମାଧ୍ୟମରେ ସରକାର ଆଜିର ‘ଇ’ ଓ ‘ୱେବ୍‌’ ଯୁଗ ସହ ତାଳଦେଇ ଚାଲିଛନ୍ତି ଏବଂ ଓଡ଼ିଆ ରଚନାର ଏ ନୂଆ ଧାରାକୁ ମଧ୍ୟ ସ୍ୱୀକୃତି ଦେଉଛନ୍ତି ବୋଲି ରାଜ୍ୟବାସୀଙ୍କୁ ସୂଚାଇବାକୁ ଚାହିଥିଲେ। ବିଶ୍ୱସ୍ତ ସୂତ୍ରର ସୂଚନା ଅନୁସାରେ, ସେଦିନର କାର୍ଯ୍ୟକାରୀ ପରିଷଦ ବୈଠକରେ ସେହି ପୁରସ୍କାରର ଚୟନ ଦାୟିତ୍ୱ ପୂର୍ଣ୍ଣଭାବେ ରାଜ୍ୟ ସରକାରଙ୍କ ‘ବିଜ୍ଞାନ ଓ ପ୍ରଯୁକ୍ତି’ ବିଭାଗକୁ ଦିଆଯିବ ବୋଲି ସଂସ୍କୃତି ନିର୍ଦ୍ଦେଶକ ସୂଚନା ମଧ୍ୟ ଦେଇଥିଲେ। କିନ୍ତୁ ୧୬ ଟିକିଆ ନୂଆ ପୁରସ୍କାର ତାଲିକା ପରି, ସେ ଦୁଇ ପୁରସ୍କାର ବି ଏବେ ଶୀତଳ ଭଣ୍ଡାରରେ ବା ବାତିଲ୍।

ଏହା ପୁନଶ୍ଚ ଆମକୁ ସୂଚାଇ ଦେଇଛି ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ସାମ୍ବିଧାନିକ ସଭାପତି ବା ଉପସଭାପତି ଏବଂ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦ- ଏସବୁ କିଛି ବୋଲି କିଛି ନୁହେଁ। ରାଜ୍ୟ ସରକାରଙ୍କ ବୃଦ୍ଧାଙ୍ଗୁଷ୍ଠି ତଳେ ରହିବା ପରି ସେଦିନ ଗଢ଼ା ହୋଇଥିଲା ଏ ଅନୁଷ୍ଠାନ ଏବଂ ଆଜି ଦୀର୍ଘ ୬୩ ବର୍ଷ ପରେ ବି ଏହି ‘ତଥାକଥିତ’ ସ୍ୱୟଂଶାସିତ ଅନୁଷ୍ଠାନ ସରକାରଙ୍କର ବୃଦ୍ଧାଙ୍ଗୁଷ୍ଠି ତଳେ ହିଁ ରହିଛି। ଉଲ୍ଲିଖିତ ପୁରସ୍କାର-ପ୍ରହସନ ତାହାରି ହିଁ ଆଉ ଏକ ନିଦର୍ଶନ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର