୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଭଦ୍ରକ/ବାସୁଦେବପୁର: ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲା। ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ପରେ ବି ନିଶା କାରବାର ଥମୁନି। ଆଜି ବାସୁଦେବପୁର ଥାନା ଅଞ୍ଚଳରୁ ପୁଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ନଖରା ଗ୍ରାମର ମୋହନ ପାତ୍ର (୨୩) ଓ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମସାହିର ପ୍ରତାପ କୁମାର ବିଶ୍ବାଳ (୨୫)। ଏ ନେଇ ବାସୁଦେବପୁର ଥାନା କେସ୍ ନଂ ୨୬୭/୨୦ରେ ଏକ ମାମଲା ରୁଜୁ ହୋଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ଏକ ହ୍ୟୁଣ୍ଡାଇ କାର (ଓଡି୦୨ବିଏ-୫୮୩୧) ଜବତ କରାଯାଇଥିବା ବେଳେ ଏହାର ମାଲିକ ପ୍ରତାପ ବିଶ୍ବାଳ ବୋଲି ଜଣାପଡିଛି। ଅନୁଗୁଳ ଜିଲ୍ଲାର ଗଞ୍ଜେଇ ମାଫିଆ ଭଦ୍ରକରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର