ଅପହୃତ ଚମକ ଫେରିବାକୁ ଅପେକ୍ଷା

ସରଳ କୁମାର ଦାସ

ଜଣେ ଚିତ୍ରକର ହଠାତ୍ ବର୍ଣ୍ଣାନ୍ଧ ହୋଇଗଲେ ତା’ ପାଇଁ ତାର ସମଗ୍ର ଅସ୍ତିତ୍ୱ ଉଦ୍ଦେଶ୍ୟହୀନ ଓ ଏହି ପୃଥିବୀ ଅର୍ଥହୀନ ହୋଇ ପଡ଼େ। କାରଣ ରଙ୍ଗ ହିଁ ତ ତା’ର ଭାଷା। ସେ ଅନ୍ୟ କେଉଁ ଭାଷା ବୁଝେ ନାହିଁ କି ଅନ୍ୟ ଭାଷାରେ ବୁଝାଇ ପାରେନାହିଁ। କରୋନାର ଆତଙ୍କ ସମଗ୍ର ବିଶ୍ୱକୁ କବଳିତ କରିଥିଲା ବେଳେ ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ଅବସ୍ଥା ଅନେକଟା ସେହି ବର୍ଣ୍ଣାନ୍ଧ ଚିତ୍ରକରଙ୍କ ପରି; କାରଣ କରୋନା ସେମାନଙ୍କଠାରୁ ସେମାନଙ୍କ ଭାଷା ଛଡ଼ାଇ ନେଇଛି। ଅବଶ୍ୟ ଫରକ ଏତିକି ଯେ ବର୍ଣ୍ଣାନ୍ଧ ଚିତ୍ରକରଙ୍କ ବର୍ଣ୍ଣାନ୍ଧତ୍ବ ଅପରିବର୍ତ୍ତନୀୟ ହୋଇଥିଲା ବେଳେ ଆଜିର କରୋନା ସଂଦର୍ଭରେ ନିଜର ଅଭିବ୍ୟକ୍ତିର ସମ୍ଭାବନା ଓ ସାମର୍ଥ୍ୟ ହରାଇଥିବା ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ପାଇଁ ଆଶାର କିରଣ ଅଛି ଯେ ଅପହୃତ ଚମକ ପୁନଶ୍ଚ ଫେରିବ।

କ୍ରୀଡ଼ା କ୍ଷେତ୍ର ଉପରେ କରୋନାର କଳା ବାଦଲ ସର୍ବବ୍ୟାପୀ ହେବା ସହିତ ନିଜ କ୍ରୀଡ଼ାନୈପୁଣ୍ୟକୁ ପ୍ରତିପାଦନ କରିବାକୁ ପ୍ରୟାସରତ ଥିବା ଟ୍ରାକ୍‌ ଓ ଫିଲ୍‌ଡର ଆଥଲେଟ୍‌ମାନେ ହିଁ ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଓ ଉଦ୍‌ବିଗ୍ନ। ୨୦୨୦ ମସିହାର ଟୋକିଓ ଅଲିମ୍ପିକ ଆପାତତଃ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ସୁତରାଂ, ଏଥିରେ ଭାଗ ନେବାକୁ ଆଶାୟୀ ଆଥଲେଟ୍‌ମାନଙ୍କ ଚାରି ବର୍ଷର ଅକ୍ଳାନ୍ତ ପରିଶ୍ରମରୁ ଫଳ ପ୍ରାପ୍ତିର ଆଶା ଏଭଳି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବାରୁ ସେମାନେ ନିରାଶାର ଘନ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛନ୍ତି। ପ୍ରକାଶ ଥାଉ କି କୌଣସି ଆଥଲେଟ୍‌ ପାଇଁ ଅଲିମ୍ପିକ ପ୍ରଦର୍ଶନ ହେଉଛି ତା’ ପରାକାଷ୍ଠାର ଅନ୍ତିମ ପରୀକ୍ଷା, ଯେଉଁଥି ଲାଗି ତାକୁ ବର୍ଷ ବର୍ଷ ଧରି ଚରମ ତ୍ୟାଗ ସହିତ ଅତ୍ୟନ୍ତ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ। ପୁଣି ଆଥଲେଟ୍‌ମାନଙ୍କ ଶୀର୍ଷତମ ଉତ୍କର୍ଷ ପ୍ରଦର୍ଶନର ଅବଧି ଖୁବ୍‌ କମ୍ ହୋଇଥାଏ। ସୁତରାଂ, ଏଭଳିି ଅନେକ ଆଥଲେଟ୍‌ ଥିବେ ଯେଉଁମାନଙ୍କ ଅଲିମ୍ପିକ ପଦକ ଜିଣିବାର ଆଶା ସବୁ ଦିନ ଲାଗି ମଉଳି ଯାଇଥିବ। ତା’ ସହିତ ତାଙ୍କ ସହ ଦିନ ରାତି ଏକାକାର କରି ଦେଇଥିବା କୋଚ୍ ଓ ଅନ୍ୟାନ୍ୟ ସହାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ରାଷ୍ଟ୍ରବାସୀ ଦେଖୁଥିବା ସ୍ବପ୍ନ ହୁଏ’ତ ଭାଙ୍ଗିରୁଜି ଯାଇଥିବ। ସାରା ବିଶ୍ୱରେ କରୋନା ପାଇଁ ଅଲିମ୍ପିକ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରି ଦିଆ ଯାଇଥିବାରୁ ଆଥଲେଟ୍‌ମାନେ ଆବଶ୍ୟକ ତାଲିମ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥି ସହିତ ଅନ୍ୟ କୌଣସି ପ୍ରତିଯୋଗିତା ଅନୁଷ୍ଠିତ ହେଉ ନଥିବାରୁ ଏଥିରେ ଜିଣି କେତେକ ବିଶ୍ବ ସ୍ତରୀୟ ‘ମିଟ୍‌’ ଲାଗି ଯୋଗ୍ୟତା ଅ‌ର୍ଜନ କରିବାର ଆଶା ବି ମରି ଯାଇଛି। ତେବେ କେବଳ ଅଲିମ୍ପିକ କାହିଁକି, ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଶୃଙ୍ଖଳା ମଧ୍ୟ ଏହି ବର୍ଷ ଅଦୃଶ୍ୟ ରହିଛି। ଏହି ସମୟ କାଳରେ ଅନେକ ହତାଶାଗ୍ରସ୍ତ ଖେଳାଳିମାନଙ୍କ ଲାଗି କ୍ରୀଡା ମନସ୍ତତ୍ତ୍ୱବିଦ୍‌ଙ୍କ ସାହାଯ୍ୟ ନେବା ଜରୁରୀ ହୋଇ ପଡ଼ିଲାଣି।

ଏ ସଂଦର୍ଭରେ ସ୍ୱିଡେନର ପ୍ରସିଦ୍ଧ କ୍ରୀଡା ମନସ୍ତତ୍ତ୍ୱବିଦ୍ ନାଟାଲିଆ ଷ୍ଟାମ୍‌ବୁଲୋଭାଙ୍କ ଦ୍ବାରା ରଚିତ ତଥା ୨୦୧୧ରେ ପ୍ରକାଶିତ ଏକ ପ୍ରବନ୍ଧ ପ୍ରଣିଧାନଯୋଗ୍ୟ। ସେଥିରେ ଏ ଭଳି ଅପ୍ରତ୍ୟାଶିତ ସମସ୍ୟାର ଦୋ ଛକିରେ ଛିଡ଼ା ହୋଇଥିବା ଖେଳାଳିଙ୍କୁ ନେଇ ତିନିଟି ପରିସ୍ଥିତି ସୃଷ୍ଟି ହେବା କଥା ସେ କହିଛନ୍ତି। ସେଗୁଡ଼ିକ ହେଲା କୌଣସି କୌଣସି ପରିସ୍ଥିତିରେ ପ୍ରତ୍ୟାଖ୍ୟାତ (ରିଜେକ୍‌ସନ) ହେବାର ହତାଶା ଖେଳାଳିଙ୍କ ମନରେ ସେମାନଙ୍କ ଗ୍ରହଣଯୋଗ୍ୟତା (ଆକ୍‌ସେପ୍‌ଟାନ୍‌ସ) ନେଇ ସନ୍ଦେହ ଉପୁଜାଇପାରେ; କିନ୍ତୁ ଯଦି ଖେଳାଳି କୌଣସି ପରିସ୍ଥିତିରେ ବି ହାର ନ ମାନି ଲଢ଼େଇ (ଫାଇଟିଂ) କରିବାକୁ ବାହାରନ୍ତି, ତେବେ ସେମାନେ ଏଥିରେ ଭାଙ୍ଗି ପଡ଼ିବାରୁ ରକ୍ଷା ପାଇ ପୁଣି ଆଗକୁ ଯାତ୍ରା ଜାରି ରଖି ପାରନ୍ତି। ବର୍ତ୍ତମାନ ସେଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଖେଳାଳି ଓ ଖେଳ ସହିତ ସମ୍ବନ୍ଧ ରଖିଥିବା ପ୍ରତ୍ୟେକ ବ୍ୟକ୍ତି ହତାଶାରୁ ବାହାରିବା ବିଜ୍ଞତାର ପରିଚୟ ହେବ।

ଏକ ପରିସଂଖ୍ୟାନ କହିଥାଏ ଯେ ୨୦୧୮ରେ କ୍ରୀଡ଼ା ଶିଳ୍ପର ବୈଶ୍ୱିକ ମୂଲ୍ୟ ଥିଲା ୪୭୧ ବିଲିଅନ ଡଲାର। ୨୦୧୧ ତୁଳନାରେ ଏହା ଥିଲା ପ୍ରାୟ ୪୫% ଅଧିକ। ଏହି ବିଦାୟ ବର୍ଷରେ ଖେଳରୁ ଆଦାୟ ଅର୍ଥର ପରିମାଣ ଶୂନ୍ୟ ତୁଲ୍ୟ ହେବା ସମ୍ଭବ। କ୍ରୀଡ଼ା ଆୟର ତିନିଟି ମୁଖ୍ୟ ଉତ୍ସ- ବ୍ରଡକାଷ୍ଟିଂ ଓ ଟେଲିକାଷ୍ଟିଂ ବା ପ୍ରସାରଣ ଅଧିକାରର ବିକ୍ରି, ବିଜ୍ଞାପନ ଏବଂ ମ୍ୟାଚ୍‌ ଲାଗି ଟିକେଟ୍‌ ବିକ୍ରି ଇତ୍ୟାଦି ଶୁଷ୍କ ହୋଇ ଯାଇଛି। ବିଶ୍ୱର ପ୍ରମୁଖ କ୍ଲବ୍‌ ଓ ଲିଗ୍‌ଗୁଡ଼ିକର ଆୟ ଆଶାତୀତ ହ୍ରାସ ପାଇଥିବାରୁ ଖେଳାଳିମାନଙ୍କ ଆୟ କମିଛି। କୁହାଯାଉଛି ଯେ ଟେନିସ‌େର ୧୫୦ ରୢାଙ୍କ୍‌ ତଳେ ଥିବା ଖେଳାଳି ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ତେବେ, ଚଳିତ ବର୍ଷ ପୃଥିବୀ ହୁଏତ ବିନା‌ କୌଣସି କ୍ରୀଡ଼ା ଶୃଙ୍ଖଳା ସହିତ ସମାପ୍ତ ହୋଇଥାଆନ୍ତା, ଯଦି ଦର୍ଶକ ଶୂନ୍ୟ ଷ୍ଟାଡିଅମରେ କିଛି କ୍ରି‌େକଟ୍‌ ଟୁର୍ନାମେଣ୍ଟ ହୋଇ ନ ଥାଆନ୍ତା। ତେବେ ଆସନ୍ତ‌ା ବର୍ଷ ପୁଣି ପୃଥିବୀ ଖେଳ ଦ୍ବାରା କୋଳାହଳମୟ ହୋଇ ଉଠିବ ବୋଲି ଆଶା କରାଯାଏ।

କ୍ରୀଡ଼ା ଭଳି ସାରା ବିଶ୍ୱର ମନୋରଞ୍ଜନ ଶିଳ୍ପ ମଧ୍ୟ କରୋନା ଦ୍ବାରା ଘୋର ଆକ୍ରା‌ନ୍ତ ହୋଇଛି। ଏଥିରେ ଫିଲ୍ମଠାରୁ ଆରମ୍ଭ କରି ଟେଲିଭିଜନ, ମଞ୍ଚ ପ୍ରଦର୍ଶନ, ଲାଇଭ ଇଭେଣ୍ଟ, ଟ୍ରେଡ୍‌ ସୋ, ପ୍ରଦର୍ଶନୀ ଇତ୍ୟାଦି ସବୁ କିଛି ଅଦୃଶ୍ୟ ପ୍ରାୟ ହୋଇଯାଇଛନ୍ତି। ୱାର୍ନର ବ୍ରସ, ସୋନି, ୱାଲଟ ଡିସନି, ଚାଇନା ଫିଲ୍ମ ଗ୍ରୁପ ଭଳି ବିଶ୍ୱର ସବୁ ପ୍ରମୁଖ ମନୋରଞ୍ଜନ ପ୍ରସ୍ତୁତ ଓ ଯୋଗାଣକାରୀ ସଂସ୍ଥାଙ୍କ ଆୟ କରୋନାଜନିତ ପରିସ୍ଥିତି ଯୋଗୁଁ ପ୍ରଚୁର ହ୍ରାସ ପାଇଛି। ଫିକି ଅନୁସାରେ ୨୦୧୯ରେ ଭାରତରେ ମିଡିଆ ଓ ମନୋରଞ୍ଜନ ଶିଳ୍ପର ଆକାର ୧.୮୨ ଲକ୍ଷ କୋଟି ଟଙ୍କା ଥିଲା ବେଳେ କରୋନା ଯୋଗୁ ୨୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି (କ୍ରିସିଲ ସଂସ୍ଥା ଆକଳନ)। କରୋନା କଟକଣା ହେତୁ ଫିଲ୍ମ ବା ଟେଲି ଧାରାବାହିକର ସୁଟିଂ ଅନେକ ମାସ ଧରି ବନ୍ଦ ରହିଥିଲା, ଯାହା ବର୍ତ୍ତମାନ ଟିକିଏ ଟିକିଏ ଖୋଲିବାରେ ଲାଗିଛି; ଅନ୍ତତଃ କିଛି ଟିଭି ଧାରାବାହିକର ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ପ୍ରେକ୍ଷାଳୟ ସବୁ ବନ୍ଦ ରହିଥିବାରୁ ସେଗୁଡ଼ିକ ମଧ୍ୟରୁ କିଛି ‘ଆମାଜନ ପ୍ରାଇମ୍‌’ ଇତ୍ୟାଦି ଭଳି ସାମାଜିକ ଗଣମାଧ୍ୟମ ମଞ୍ଚରେ ରିଲିଜ ‌େହବାକୁ ବାଧ୍ୟ ହେଲେ। ଲକ୍‌ଡାଉନ୍‌ ସମୟରେ ଟିଭି ଦର୍ଶକଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ଘଟିଥିଲେ ମଧ୍ୟ ବିଜ୍ଞାପନଦାତାମାନେ ସେହି ଅବଧିରେ ଆର୍ଥିକ କ୍ଷତି ସହୁଥିବା କାରଣରୁ ଟିଭି ରାଜସ୍ୱ ଅଧିକ ବୃଦ୍ଧି ପାଇ ପାରି ନ ଥିଲା। କେବଳ ସେତିକି ନୁହେଁ, ଆୱାର୍ଡ ସୋ’, ପ୍ରଦର୍ଶନୀ, ପ୍ରତିଯୋଗିତା, ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଦିର ଆୟୋଜନ କରାଯାଇ ପାରୁ ନ ଥିବାରୁ ଏଥିରୁ ହେଉଥିବା ଆୟର ୯୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେଗୁଡ଼ିକ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭର କରୁଥିବା ପ୍ରାୟ ୫ କୋଟି ଲୋକଙ୍କ ମଧ୍ୟରୁ ଅନେକେ ନିଯୁକ୍ତି ହରାଇଛନ୍ତି ବା ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ପ୍ରେକ୍ଷାଳୟ ଓ ମଞ୍ଚ ଆଦି ଖୋଲି ପାରୁ ନ ଥିବାରୁ ଏହି ସମୟରେ ଓଟିଟି ପ୍ଲାଟ୍‌ଫର୍ମରେ ଥିବା ‘ନେଟ୍‌ଫ୍ଲିକ୍ସ’ ବା ‘ଆମାଜନ୍‌ ପ୍ରାଇମ୍‌’ ଭଳି ସଂସ୍ଥାଙ୍କ ଗ୍ରାହକ ସଂଖ୍ୟାରେ ୭୫ ପ୍ରତିଶତ ବୃଦ୍ଧି ଘଟିଛି। ଅନେକ ଏଥି ନେଇ ମଧ୍ୟ ଚିନ୍ତିତ ଯେ ଏହି ଅଭ୍ୟାସ ଜାରି ରହିଲେ ହୁଏ’ତ ଆଗାମୀ ଦିନରେ ପ୍ରେକ୍ଷାଳୟଗୁଡ଼ିକ ଖୋଲିବା‌ ପରେ ବି ଦର୍ଶକଙ୍କ ସଂଖ୍ୟା କମି ଯାଇପାରେ। ସେମିତି ଏହି ପ୍ଲାଟ୍‌ଫର୍ମଗୁଡ଼ିକରେ ବଡ଼ ବଜେଟ୍‌ର ସିନେମା ପ୍ରଦର୍ଶିତ ହେବାର ସୁଯୋଗ କମ୍‌ ଥିବାରୁ ହୁଏ’ତ ଛୋଟ ବଜେଟ୍‌ ଫିଲ୍ମ ଅଧିକ ସଂଖ୍ୟାରେ ନିର୍ମାଣ ହୋଇପାରେ। ହୁଏ’ତ ବିଜ୍ଞାପନଦାତା ଟିଭିରୁ ଓହରି ଇଣ୍ଟରନେଟ୍‌କୁ ଯିବାକୁ ଚିନ୍ତା କରିପାରନ୍ତି। କରୋନା ପରବର୍ତ୍ତୀ ସମୟରେ ହୁଏ’ତ ମନୋରଞ୍ଜନ ମାଧ୍ୟମଗୁଡ଼ିକ ନୂତନ ଭାବେ ପରିଭାଷିତ ହୋଇପାରନ୍ତି।

ଏହି ସମୟରେ କଳାକାରମାନେ ଅତ୍ୟନ୍ତ ଦୈନ୍ୟ ଓ ଦୁର୍ଦଶା ମଧ୍ୟରେ କାଳାତିପାତ କରି ଚାଲିଛନ୍ତି। ଲକ୍‌ଡାଉନ୍‌ ସମୟରେ ପଶ୍ଚିମବଙ୍ଗର ଜଣେ ସଙ୍ଗୀତ ଶିଳ୍ପୀ ଅନାହାରରେ ରହୁଥିବା ହେତୁ ଆତ୍ମହତ୍ୟା କରିବାର ଉଦ୍ୟମ କରି ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଆମ ରାଜ୍ୟରେ ମଞ୍ଚ ଓ ଲୋକ କଳାକାରଙ୍କ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ। ସାମାଜିକ ଗଣମାଧ୍ୟମ ବା‌ ମୁଖ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ଯେ କିଛି ସିନେମା ଓ ଯାତ୍ରା କଳାକାର ପରିବା ବିକ୍ରି କରିବା ଠାରୁ ଆରମ୍ଭ କରି ଲୁହା ଗ୍ରିଲ କାରଖାନାରେ ଲୁହା ପିଟା କାମରେ ଲାଗିଛନ୍ତି। କରୋନାର ପ୍ରା‌ଦୁର୍ଭାବ ସେହି କଳାକାରମାନଙ୍କୁ ସେମାନଙ୍କ ପରିବାରର ପ୍ରତିପୋଷଣ ଲାଗି ସ୍ବପ୍ନର ଦୁନିଆରୁ ନିର୍ବାସିତ କରି ଏକ କ୍ରୂର ବାସ୍ତବତା ମଧ୍ୟକୁ ଠେଲି ଦେଇଛି। ତେବେ ସାନ୍ତ୍ବନାର କଥା ଏଭଳି ଦୁଃସ୍ଥ କଳାକାରମାନଙ୍କୁ ଆର୍ଥିକ ସହାୟତା ଲାଗି କିଛି ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି। ପ୍ରସିଦ୍ଧ ଗାୟକ ଟି ଏମ କୃଷ୍ଣ ଓ ଅନ୍ୟମାନଙ୍କ ଦ୍ୱାରା ‘କୋଭିଡ ୧୯ ଆର୍ଟିଷ୍ଟ ଫଣ୍ଡ’, ଶୋଭା ମୁଦଗଲ ଆଦିଙ୍କ ଦ୍ୱାରା ‘ଆଡା’ ଓ ପଶ୍ଚିମବଙ୍ଗରେ ‘ମ୍ୟୁଜିସିଆନସ ଫର ମ୍ୟୁଜିସିଆନସ’ ଇତ୍ୟାଦି ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ଉଦ୍ୟମ ଉଲ୍ଲେଖନୀୟ। ଓଡ଼ିଶାରେ ବ୍ୟକ୍ତିଗତ ସ୍ତରରେ କିଛି ଉଦ୍ୟମ ହୋଇଥିଲେ ବି ସଂଗଠିତ ଉଦ୍ୟମ ପ୍ରାୟ ଦେଖିବାକୁ ମିଳିନାହିଁ। କରୋନାଜନିତ ପରିସ୍ଥିତିରୁ ଅନ୍ତତଃ ଗୋଟିଏ ଶିକ୍ଷା ମିଳିଛି ଯେ ଭବିଷ୍ୟତ୍‌ ନିରାପତ୍ତା ବ୍ୟବସ୍ଥା ଅଭାବରୁ ଅଳ୍ପ ଆୟ କରୁଥିବା ଶିଳ୍ପୀମାନେ କିଭଳି ବିପତ୍ତିର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଛନ୍ତି।

ବିଡ଼ମ୍ୱନା ଯେ ସାଧାରଣ ଜନତାଙ୍କୁ ଆଶା ଓ ସ୍ୱପ୍ନ ବାଣ୍ଟିବା ସହିତ ଆମୋଦ ପ୍ରଦାନ କରୁଥିବା ଦୁଇ କ୍ଷେତ୍ର କ୍ରୀଡ଼ା ଓ କଳା ଆଜି ନିଜେ ନିରାଶାର ଅନ୍ଧକାର ମଧ୍ୟରେ। ଏହି ବିପତ୍ତି ସମୟରେ ସେହି କ୍ଷେତ୍ର ଦୁଇଟିକୁ ସହଯୋଗର ହାତ ବଢାଇବା ଏକ ଜାତୀୟ କର୍ତ୍ତବ୍ୟ। ଏହି କ୍ଷେତ୍ର ଦ୍ବୟ ଆଜି ଅଭିବ୍ୟକ୍ତିଶୂନ୍ୟ; କିନ୍ତୁ ଏମାନେ ପ୍ରାଣଶକ୍ତି ହରାଇ ନାହାନ୍ତି। କରୋନାର କଟକଣା ଉଠିଗଲା ପରେ ଦୁଇ କ୍ଷେତ୍ରକୁ ସେମାନଙ୍କ ଅପହୃତ ଚମକ ପୁଣି ଫେରିବ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର