ମୁହଁ ଖୋଲିଲା ବିଜେଡି, ତେଲ ଉପରୁ ବର୍ଦ୍ଧିତ ସେସ୍‌ ପ୍ରତ୍ୟାହାର କରୁ କେନ୍ଦ୍ର

ବନ୍ଦରେ ବିଜେଡି ସାମିଲ ହେବନି, ବିରୋଧ କରିବନି

ଯାଜପୁର/ଧର୍ମଶାଳା : ତେଲ ଦର ବୃଦ୍ଧି ପ୍ରସଙ୍ଗରେ ବିଳମ୍ବରେ ମୁହଁ ଖୋଲିଛି ବିଜେଡି। ଦର ବୃଦ୍ଧିକୁ ତୀବ୍ର ବିରୋଧ କରିବା ସହ କେନ୍ଦ୍ରକୁ କଡ଼ା ସମ‌ାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା। ତେବେ ସୋମବାର କଂଗ୍ରେସର ବନ୍ଦ ଡାକରାରେ ବିଜେଡି ସାମିଲ ହେବ ନାହିଁ କି ବିରୋଧ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଧର୍ମଶାଳା ବ୍ଲକ୍‌ସ୍ଥିତ ଜାରକାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଲେ ଯେ ତୈଳ ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ ହୋଇଛି। କେନ୍ଦ୍ର ସରକାର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୃଷିର ବିକାଶ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ସେସ୍‌ ବୃଦ୍ଧି କରିଥିଲେ। ଏହା ଖାଉଟିମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଘୋଷଣା କରିଥିଲେ। ମାତ୍ର ଏବେ ତୈଳ ଦର ଅହେତୁକ ବୃଦ୍ଧି ପାଇଛି। ୨୦୧୫ ମସିହାରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୧.୩୬ ଡଲାର ଥିବା ବେଳେ ଖାଉଟିମାନଙ୍କୁ ଲିଟର ପିଛା ପେଟ୍ରୋଲ ୬୬ଟଙ୍କା ୩୦ ପାଇସା ମୂଲ୍ୟରେ ମିଳୁଥିଲା। ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୬୧.୩୬ ଡଲାର ରହିଥିବା ବେଳେ ଡିଜେଲ ୯୩ ଟଙ୍କା ଓ ପେଟ୍ରୋଲ ୯୦ ଟଙ୍କାରେ ପହଞ୍ଚିଛି। ତୈଳ ଦର ଇତିମଧ୍ୟରେ ୧୭ ଥର ବୃଦ୍ଧି ହେବା ଯୋଗୁଁ ସାଧାରଣ ଜନତା ନୟାନ୍ତ ହୋଇପଡ଼ିଲେଣି। ଦେଶବାସୀ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ତୈଳର ଅହେତୁକ ବୃଦ୍ଧି ଖାଉଟିଙ୍କ ମେରୁଦଣ୍ତକୁ ଦୋହଲାଇ ଦେଇଛି। ତୈଳ ଦର ବୃଦ୍ଧି ଅନୁଯାୟୀ ରାଜ୍ୟ ସରକାର ସେସ୍‌ ଅଂଶ ପାଉନାହାନ୍ତି। କେନ୍ଦ୍ର ସରକାର ହାଣ୍ତିଶାଳରେ ମଧ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି। ଗ୍ୟାସର ମୂଲ୍ୟ ଅହେତୁକ ବୃଦ୍ଧି ପାଇ ୭୭୬ଟଙ୍କା ୫୦ ପଇସାରେ ପହଞ୍ଚିଛି। କେନ୍ଦ୍ରରେ ଶାସନକୁ ଆସିବାର ମାତ୍ର ୬ ବର୍ଷ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଶାତୀତ ଭାବେ ବୃଦ୍ଧି ପାଇଛି। କେନ୍ଦ୍ରର ଏପରି ଜନବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବା ସହିତ ବର୍ଦ୍ଧିତ ସେସ୍‌କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର