ବନୀକରଣ ନାଁରେ ମହାଦୁର୍ନୀତି : କିଏ ଫିଙ୍ଗିଲା ଶହଶହ ଚାରା?

ବଲାଙ୍ଗୀର : ବନ ବିଭାଗରେ ମହାଦୁର୍ନୀତି। ବନୀକରଣରେ ସର୍ବାଧିକ। କୋଟି କୋଟି ଟଙ୍କା ବନୀକରଣ ନାଁରେ ଖର୍ଚ୍ଚ ହେଉଛି। ମନରେଗା ଯୋଜନାରୁ ନେଇ କାମ୍ପା। ଗ୍ରିନ ମହାନଦୀ ଯୋଜନାରୁ ନେଇ ଏଭେନ୍ୟୁ ପ୍ଲାଣ୍ଟେସନ। ବନୀକରଣ ପାଇଁ ଏଠି ଅନେକ ଯୋଜନା। ପ୍ରତି ବର୍ଷ ହଜାର ହଜାର ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରକ୍ଷଣାବେକ୍ଷଣରେ ବି ଖର୍ଚ୍ଚ ପ୍ରତି ବର୍ଷ ହେଉଛି। ହେଲେ ବନୀକରଣରେ ହେଉଛି ମହାଘୋଟାଲା। ଆଉ ତାହାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ନିକଟସ୍ଥ ପୁଇନ୍ତଳା ପଞ୍ଚାୟତ ପିପଲବାହାଲ ଗାଁରେ। ଗତ ପାଞ୍ଚ ମାସ ତଳେ ଗାଁରେ ବୃକ୍ଷରୋପଣ ପାଇଁ ଗଛ ଆସିଥିଲା। ଗାତ ବି ଖୋଳିଥିଲେ ଶ୍ରମିକ। ହେଲେ ଗଛ ଲାଗିଲା ନାହିଁ। ଗାଁର ସ୍କୁଲ ନିକଟରେ ଶହ ଶହ ସଂଖ୍ୟାରେ ଚାରା ଗଛ ପଡ଼ି ପଡ଼ି ଖତ ହୋଇସାରିଲାଣି। କିନ୍ତୁ କିଏ କେଉଁ ଯୋଜନାରୁ ଗଛ ଲଗାଇବାକୁ ଆଣିଥିଲେ ଓ ତାହା ପକାଇଥିଲେ ତାହା ଜଣାପଡ଼ି ନାହିଁ।

ଗାଁ ଲୋକଙ୍କ ସୂତ୍ରରୁ ଜଣାଯାଇଛି ଯେ ଗତ ପାଞ୍ଚ ମାସ ତଳେ ପୁଇନ୍ତଳା ପଞ୍ଚାୟତର ଜିଆରଏସ ଓ ସରପଞ୍ଚ ଓ ଅନ୍ୟ କର୍ମଚାରୀମାନେ ଚାରା ଗଛ ଗୁଡ଼ିକ ଆଣିଥିଲେ। କିଛି ଶ୍ରମିକଙ୍କୁ ଗାଁ ରାସ୍ତାର ଉଭୟ ପାର୍ଶ୍ବରେ ଗାତ ଖୋଳିବାକୁ ଲଗାଇଥିଲେ। ଶ୍ରମିକମାନେ ପାଞ୍ଚ ଦିନ ଧରି ଗାତ ଖୋଳିଥିଲେ। କିନ୍ତୁ ଏହା ପରେ ପଂଚାୟତର କାହାରି ଦେଖାଦର୍ଶନ ମିଳିନଥିଲା। ଗାତଗୁଡ଼ିକ ଧୀରେ ଧୀରେ ପୋତି ହେବାକୁ ବି ବସିଲାଣି। ହେଲେ ବହୁ ଦିନ ବିତିଯାଇ ଗଛ ଲଗାଇବାକୁ ଆସିଲେ ନାହିଁ। ଗଛଗୁଡ଼ିକ ରକ୍ଷଣାବେକ୍ଷଣ ନହୋଇ ପଡ଼ି ରହି ନଷ୍ଟ ହୋଇଗଲାଣି। ପ୍ରାୟ ୫୦୦ ଚାରା ନଲଗାଇ ବିଲ୍‌ କରିଦେଇ ଟଙ୍କା ହଡ଼ପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁ ଶ୍ରମିକମାନେ ଗାତ ଖୋଳିଥିଲେ ସେମାନେ ତାଙ୍କର ପାଉଣା ବି ପାଇ ନାହାନ୍ତି। ବାରବାର ପଞ୍ଜାୟତକୁ ଦୌଡୁଥିଲେ ବି ହଇରାଣ ହରକତ ହେଉଛନ୍ତି। ପିପଲବାହାଲି ଗାଁରେ ଶହ ଶହ ଗଛ ନଷ୍ଟ ହୋଇଯାଇଥିଲେ ବି ତାହା କେଉଁ ଯୋଜନାରୁ ଲଗାଇବାକୁ ଆସିଥିଲା ତାକୁ ନେଇ ଗ୍ରାମବାସୀ ବି ଅନ୍ଧାରରେ ଅଛନ୍ତି। କେଉଁଠୁ ଏତେ ପରିମାଣର ଚାରା ଅଣାଯାଇଥିଲା? କଣ ପାଇଁ ଗାତ ଖୋଳିଦେଇ ତାକୁ ରାସ୍ତାକଡ଼ରେ ଲଗାଗଲା ନାହିଁ? ଏହାର ଉତ୍ତର କେହି ଦେଇପାରୁ ନାହାନ୍ତି। ବିଡିଓ ଏ ସଂପର୍କରେ ଜିଆରଏସ ଓ ପୁଇନ୍ତଳା ସରପଞ୍ଚଙ୍କୁ ପଚାରି ବୁଝିଥିଲେ। ସେମାନେ କିଏ ଗଛ ଆଣିଲା, କେଉଁଠୁ ଆଣିଲା ଜାଣି ନାହୁଁ କହୁଥିବା ସେ କହିଛନ୍ତି। ଏହାରି ଭିତରେ ଗାଁ ଲୋକ କିନ୍ତୁ ପଂଚାୟତ ପକ୍ଷରୁ ଗଛ ଅଣାଯାଇ ଗାତ ଖୋଳାଯାଉଥିବା କହୁଛନ୍ତି। ଏଣୁ ଏହି ଗଛ ଲଗା କାର୍ଯ୍ୟକ୍ରମରେ ବ୍ୟାପକ ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। ମନରେଗା ଯୋଜନାରେ ଗଛ ଆସିଥିଲା ନା ଆଉ କିଛି ଯୋଜନାରେ ଗଛ ଆସିଥିଲା ତାହାର ତଦନ୍ତ କରାଗଲେ ଏକ ବଡ଼ ଘୋଟାଲା ସାମ୍ନାକୁ ଆସିବ। ଏହାର ତଦନ୍ତ କରାଯିବ ବୋଲି ବିଡିଓ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର