ଭିଜିଲାନ୍ସ ପଞ୍ଝାରେ କୋଟିପତି କନିଷ୍ଠ ଯନ୍ତ୍ରୀ, ୨ କୋଟିର ସମ୍ପତ୍ତି ତାଲିକା, ନଗଦ ୬୦ଲକ୍ଷ ୯୦ହଜାର ଜବତ

ପତ୍ନୀଙ୍କ ନାମରେ ରହିଛି ୮ଟି ପ୍ଲଟ୍‌, ଇଟାଭାଟିରେ ଭାଗିଦାରୀ

ବ୍ରହ୍ମପୁର/ପାରଳାଖେମୁଣ୍ତି : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ବର ସେନାପତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ନାଗେଶ୍ବର ସେନାପତିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶ ଅନୁସାରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଶାନ୍ତନୁ ପାଢ଼ୀଙ୍କ ତତ୍ତ୍ବାବଧାନରେ ଚଢ଼ଉ ହୋଇଥିଲା। ଆଜି ସକାଳୁ ଭିଜିଲାନ୍ସ ଟିମ୍‌ କନିଷ୍ଠ ଯନ୍ତ୍ରୀ ପାତ୍ରଙ୍କ ପାରଳାଖେମୁଣ୍ଡି ଜଗନ୍ନାଥବିହାରରେ ଥିବା ଘରେ ଚଢ଼ଉ କରିଥିଲେ। ଏହି ଦୁଇ ମହଲା ଘର ସହ ରାୟଗଡ଼ ବ୍ଲକ୍ କାର୍ଯ୍ୟାଳୟ ଏବ˚ ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ଥିବା ପୈତୃକ ଘର, ବ୍ରହ୍ମପୁର ସିଦ୍ଧ ବିନାୟକ ମନ୍ଦିର ରୋଡ଼ରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଶ୍ୟାଳକ ସି. ରାମଚନ୍ଦ୍ର ପାତ୍ରଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଥିଲା। ଯାଞ୍ଚ ପରେ କନିଷ୍ଠ ଯନ୍ତ୍ରୀ ସେନାପତି ଓ ପରିବାର ବର୍ଗଙ୍କ ନାମରେ ମୋଟ ୨କୋଟି ୧୩ଲକ୍ଷ ୪୯ହଜାର ୭୨୩ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଶୀନଗର ବ୍ଲକ୍ ମିନି ଗାଁରେ ଏକ ସିମେଣ୍ଟ୍ ଇଟା କାରଖାନାରେ ମଧ୍ୟ ଚଢ଼ଉ କରାଯାଇଥିଲା। ସୂଚନା ଥାଉ କି ଅନେକ ବର୍ଷ ହେଲା ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କନିଷ୍ଠ ଯନ୍ତ୍ରୀ ସେନାପତି କାମ କରି ଆସୁଥିଲେ। ତାଙ୍କ ନାମରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ରହିଥିଲା। ସେହିପରି ସେ ସ୍ଥାନୀୟ କିଛି ରାଜନୈତିକ ନେତାଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି।
ପାରଳାଖେମୁଣ୍ଡି ଜଗନ୍ନାଥବିହାରରେ ଥିବା ଦୁଇ ମହଲା ଘରର ମୂଲ୍ୟ ୩୬ଲକ୍ଷ ୪୬ହଜାର ୫୭୬ ଟଙ୍କା ଆକଳନ କରାଯାଇଥିବା ବେଳେ ଇଟା କାରଖାନାରେ ୨୧ଲକ୍ଷ ୯୨ହଜାର ଟଙ୍କାର ସେୟାର୍‌ ରହିଛି। କନିଷ୍ଠ ଯନ୍ତ୍ରୀ ସେନାପତିଙ୍କ ପତ୍ନୀ କେ. ସୁସ୍ମିତା ସେନାପତିଙ୍କ ନାମରେ ୭ଲକ୍ଷ ୫୫ହଜାର ୫୦୫ଟଙ୍କାର ୮ଟି ପ୍ଲଟ୍‌, ଖୋର୍ଦ୍ଧା ଜିଲ୍ଲା ସୁନ୍ଦରପଦାରେ ଗୋଟିଏ ପ୍ଲଟ୍‌ ରହିଛି। ସେହିପରି ୬୦ଲକ୍ଷ ୯୦ହଜାର ୬୪୦ଟଙ୍କା ନଗଦ ଜବତ ହୋଇଥିବା ବେଳେ ଘର କରଣା ସାମଗ୍ରୀ ୪ଲକ୍ଷ ୬୯ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। କନିଷ୍ଠ ଯନ୍ତ୍ରୀ ସେନାପତି ଓ ପରିବାର ବର୍ଗଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ୬୬ଲକ୍ଷ ୮୯ହଜାର ୨୭୧ ଟଙ୍କା ଜମା ରହିଛି। ୧୦ଲକ୍ଷ ୩୨ହଜାର ଟଙ୍କାର କାର୍‌, ସ୍କୁଟି ଓ ବାଇକ୍‌ ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର