ଚନ୍ଦ୍ରଶେଖରପୁର : ମନରେ ମୋର ରହିଛି ଏକ ବଡ଼ ବିପ୍ଳବର ସ୍ବପ୍ନ। କାହିଁ କେଉଁ କାଳରୁ ଆମ ସମ୍ପ୍ରଦାୟରେ ଥିବା କମ୍ ବୟସ ବିବାହକୁ ମୁଁ ବିରୋଧ କରିବି। କାରଣ କମ୍ ବୟସ ବିବାହ ହିଁ ଆମ ସମ୍ପ୍ରଦାୟର ଦାରିଦ୍ର୍ୟର କାରଣ। ଶିକ୍ଷା ଅଭାବରୁ ଏହି ପ୍ରଥା ବିଲୋପ ହୋଇପାରୁନାହିଁ ବୋଲି ମୁଁ ବୁଝିଛି। ତେଣୁ ଏଥିପାଇଁ ମୋତେ ସଂଗ୍ରାମ କରିବାକୁ ପଡ଼ିବ। ମୁଁ ଆଗ ଉଚ୍ଚଶିକ୍ଷିତ ହେବା ପରେ ସିନା ସଂଗ୍ରାମ କରିବି। କିନ୍ତୁ ଏକ ମହାମାରୀ କରୋନା ତ ମୋ ସ୍ବପ୍ନକୁ ଭାଙ୍ଗି ଚୂର୍ମାର କରିବାକୁ ବସିଛି। ମୋ ପାଠପଢ଼ାରେ ବାଧକ ସାଜିଛି। ତେଣୁ ମୁଁ ଏବେ ହତାଶ ହୋଇପଡ଼ୁଛି। ମନରେ ଦମ୍ଭ ଧରିଲେ ବି ବେଳେବେଳେ ଏକ ଅସହାୟ ବୋଧ ମୋତେ ବିବ୍ରତ କରୁଛି।’ ଉଚ୍ଚ ଶିକ୍ଷା ପାଇଁ ରାଜଧାନୀ ଚାଲି ଆସିଥିବା ଆଦିବାସୀ ଝିଅ ଆଶିକା କୁଲୁ କରୋନାର ଦ୍ବିତୀୟ ଲହର ଓ ସେଥିପାଇଁ ଉପୁଜୁଥିବା ପରିସ୍ଥିତିକୁ ନେଇ ଏମିତି ଆତଙ୍କିତ ହୋଇପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନ୍ଦରଗଡ଼ରୁ ରାଜଧାନୀକୁ ଚାଲି ଆସିଛନ୍ତି ଆଶିକା କୁଲୁ। ଏଠାରେ ରହି ଡିଷ୍ଟାନ୍ସ କୋର୍ସ ଜରିଆରେ ପିଜି କରୁଛନ୍ତି। ନିଜ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ଖଣ୍ଡଗିରିସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀଭାବେ କାମ କରୁଥିଲେ। ଗତ ବର୍ଷ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଲା। ଯେତିକି ଦିନ ବିଦ୍ୟାଳୟ ବନ୍ଦ ରହିଲା, ସେତିକି ଦିନ ତାଙ୍କୁ ଦରମା ମିଳିଲା ନାହିଁ। ତେବେ ଘରୋଇ ଟିଉସନ୍ କରି ସେ ନିଜ ଗୁଜୁରାଣ ମେଣ୍ଟାଇବା ସହ ପାଠପଢ଼ା ଜାରି ରଖିଲେ। କରୋନା କଟକଣା କୋହଳ ହେବା ପରେ ସେ ପୁଣି ବିଦ୍ୟାଳୟରେ ଯୋଗ ଦେଲେ ଓ ପୁଣି ସବୁ କିଛି ସ୍ବାଭାବିକ ହେବାକୁ ଲାଗିଲା। ତେଣୁ ତାଙ୍କ ମନରେ ଥିବା ସ୍ବପ୍ନ ଫଳବତୀ ହେବ ବୋଲି ସେ ବଡ଼ ଆଶା କରିଥିଲେ। କିନ୍ତୁ ମାତ୍ର ମାସ କେଇଟା ପରେ ପୁଣି ଚିତ୍ର ବଦଳିଛି। କରୋନାର ଦ୍ବିତୀୟ ଲହର ପାଇଁ ପୁଣି ବିଦ୍ୟାଳୟ ବନ୍ଦ। ଘରୋଇ ଟିଉସନ ବି ବନ୍ଦ ହୋଇଯାଇଛି। ତେଣୁ ଖଣ୍ଡଗିରିରେ ରହୁଥିବା ଘରର ଭଡ଼ା ଦେବାକୁ ସକ୍ଷମ ନ ହୋଇ ସେ ରସୁଲଗଡ଼ସ୍ଥିତ ଏକ ବସ୍ତିକୁ ଚାଲି ଆସିଛନ୍ତି। ଗାଁର ଜଣେ ଯୁବତୀଙ୍କ ସହ ଗୋଟିଏ ରୁମ୍ରେ ରହୁଛନ୍ତି। ରୋଜଗାର ନଥିବାରୁ ଚଳିବା କଷ୍ଟକର ହୋଇପଡ଼ିଛି। ଏବେ ସେ ବସ୍ତିର କିଛି ପିଲାଙ୍କୁ ପଢ଼ାଉଛନ୍ତି। କିନ୍ତୁ ବସ୍ତି ଲୋକେ ତ ରୋଜଗାର ହରାଇବା ଆଶଙ୍କାରେ। ତେଣୁ ସେମାନେ କି ପଇସା ଦେବେ ବୋଲି ଆଶିକା କହିଛନ୍ତି।
ଅବଶ୍ୟ ବାପା ଗାଁରୁ କିଛି ପଇସା ପଠାଉଛନ୍ତି। କିନ୍ତୁ ବାପାଙ୍କ ଇଛା ପଢ଼ା ଯେତିକି ହେଲା ସେତିକି ଥାଉ! ଆଶିକା ଗାଁକୁ ଫେରୁ ଓ ସେମାନେ ତାଙ୍କ ବାହାଘର କରି ବୋଝରୁ ମୁକ୍ତି ପାଇବେ। ଏହା ହିଁ ଆଶିକାଙ୍କ ମନର ଭୟ। ଗାଁକୁ ଗଲେ ବାପାମା ବାହାଘର କରାଇ ଦେବେ। ଫଳରେ ଅଧିକ ପାଠ ପଢ଼ିବାର ସ୍ବପ୍ନ ତାଙ୍କର ଅଧୁରା ରହିଯିବ। ତେବେ ଏହା ତାଙ୍କୁ ଯେତିକି ବାଧିବ ନାହିଁ, ଅଧିକ ବାଧିକ ତାଙ୍କ ମନର ବିପ୍ଳବ ଅଧୁରା ରହିଯିବ। ନିଜେ ଏକ ଉଦାହରଣ ସାଜିବାକୁ ସଂକଳ୍ପ ନେଇଥିବା ଆଶିକା ଏତେ ଶୀଘ୍ର ବାହା ହେବାକୁ ଚାହାନ୍ତି ନାହିଁ। ବରଂ ଗାଁରେ ଏକ ସ୍ବତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରି ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ ରହିଛି ତାଙ୍କର। କିନ୍ତୁ ସବୁ ଏବେ ସୂତା ଖିଅରେ ଝୁଲୁଛି। ଆଶିକା ପିଜି ପାଠ୍ୟକ୍ରମ ସାରିବା ଚିନ୍ତାରେ ପଡ଼ିଛନ୍ତି। ଅର୍ଥାଭାବ ତାଙ୍କୁ ବ୍ୟଥିତ କରିଛି। କରୋନା ନଥିଲେ, ତାଙ୍କୁ କିଛି ସମସ୍ୟା ନଥିଲା। ମାତ୍ର କରୋନା ପାଇଁ ତାଙ୍କୁ ସ୍ବପ୍ନ ଉଜୁଡ଼ିଯିବାକୁ ବସିଛି ବୋଲି ସେ ଭୟରେ ଅଛନ୍ତି।