ଶ୍ମଶାନବନ୍ଧୁଙ୍କ ଜରିଆରେ ‘ଜୁହାର’ ଫାଉଣ୍ଡେସନ ଖୋଲିଲା ଅକ୍ସିଜେନ ବ୍ୟାଙ୍କ

ସୁନ୍ଦରଗଡ଼: କରୋନା ମୁକାବିଲାରେ ସୁନ୍ଦରଗଡ଼ର ଶ୍ମଶାନବନ୍ଧୁଙ୍କ ସହ ସାମିଲ ହୋଇଛି ମୁମ୍ବାଇର ‘ଜୁହାର ଫାଉଣ୍ଡେସନ୍’। ସୁନ୍ଦରଗଡ଼ ସ୍ବର୍ଗଦ୍ବାର ନିକଟରେ ଖୋଲିଛି ଅକ୍ସିଜେନ୍ ବ୍ୟାଙ୍କ। ଗୃହ ସଂଗରୋଧରେ ଥିବା ସଂକ୍ରମିତଙ୍କ ଜରୁରୀ ସମୟରେ ଏହି ଅକ୍ସିଜେନ୍ ଯୋଗାଇ ଦିଆଯିବ। କରୋନା କାଳରେ ଶତାଧିକ ମୃତକଙ୍କ ଶବ ସତ୍କାର କରି ଏକ ମାନବୀୟ ଚେହେରା ପାଲଟିଥିବା ଶ୍ମଶାନବନ୍ଧୁଙ୍କ ହାତରେ ଏହି ଦ୍ବିତୀୟ ସେବା ଥୋଇଛି ‘ଜୁହାର ଫାଉଣ୍ଡେସନ୍’।

ଆଜି ଭର୍ଚୁଆଲ୍ ମିଟ୍ ଜରିଆରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ କରିବା ସହ ‘ଜୁହାର ଫାଉଣ୍ଡେସନ’ର ଏହି ଉଦ୍ୟମକୁ ପ୍ରସଂଶା କରିଥିଲେ। ସୁନ୍ଦରଗଡ଼ ସହରରେ ଗୃହ ସଂଗରୋଧରେ ଥିବା କୋଭିଡ ସଂକ୍ରମିତଙ୍କୁ ଅକ୍ସିଜେନ ଦରକାର ହେଲେ ଶ୍ମଶାନ ବନ୍ଧୁ ଟିମ୍ ଜରିଆରେ ମାଗଣା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଉପସ୍ଥିତ ରହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅନ୍ୟପଟେ ଦେଶବିଦେଶର ବିଭିନ୍ନ ସ୍ଥାନରୁ ଭର୍ଚୁଆଲ ମିଟ୍ରେ ମୁମ୍ବାଇର ପ୍ରତ୍ୟୁଷ ପଣ୍ଡା, ଆଇପିଏସ ସଞ୍ଜୀବ ପାଟ୍ଟଯୋଶୀ, ପ୍ରଫେସର ବିପିନ ଯୋଯୋ, ଡ୍ରିମ ଟିମ, ରାଉରକେଲାରୁ ପଦ୍ମିନୀ ପାଣିଗ୍ରାହୀ, ଦିବ୍ୟେନ୍ଦୁ ପଟ୍ଟନାୟକ, ଆଲୋକ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ‘ଜୁହାର ଫାଉଣ୍ଡେସନ’ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜାଗାରେ ସାମାଜିକ କାର୍ଯ୍ୟକ୍ରମମାନ ଜାରି ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ ମଧ୍ୟ ସଙ୍ଗରୋଧରେ ଥିବା କୋଭିଡ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶିର କୁମାର ବେହେରା, କମଲେଶ ନଥାନୀ, ବିଜୟ କୁମାର ହୋତା, ଦେବେନ ସାହୁ, ସୁମନ୍ତ କୁମାର ସାହୁ, ଟିଟୁ ପଟ୍ଟନାୟକ, ଦେବାଶିଷ ଦାସ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର