ପଛୁଆ ଇଲାକା ପାଇଁ ଟିକା ବି ଅପହଞ୍ଚ; ମୋବାଇଲ ନେଟ୍‌ୱର୍କ ନାହିଁ, ପଞ୍ଜୀକରଣରେ ବାଧା

୬୨୭୮ ଗାଁରେ କିଭଳି ହେବ କୋଭିଡ୍‌ ଟିକାକରଣ?

ଭୁବନେଶ୍ବର, (ଗାର୍ଗୀ ଶତପଥୀ) : ରାଜଧାନୀ ଭୁବନେଶ୍ବରରେ ହାତରେ ସ୍ମାର୍ଟଫୋନ ଥାଇ ବି କୋଭିଡ୍‌ ଟିକା ପଞ୍ଜୀକରଣ ପାଇଁ ନାକେଦମ୍‌ ହୋଇ ପଡ଼ୁଛନ୍ତି ୧୮ରୁ ୪୫ ବର୍ଷର ଅନେକ ଯୁବବର୍ଗ। ଏଭଳି ସ୍ଥିତିରେ ମୋବାଇଲ ନେଟ୍‌ୱର୍କ ନଥିବା ରାଜ୍ୟର ପଛୁଆ ଇଲାକାର ୬୨୭୮ ଗାଁରେ ୧୮ରୁ ୪୫ ବର୍ଷର ଲୋକଙ୍କ ଟିକା ପଞ୍ଜୀକରଣ କିଭଳି ହେବ? ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ମାତ୍ର ୨୮.୨୨ ପ୍ରତିଶତ ଲୋକଙ୍କ ଇଣ୍ଟରନେଟ ସବ୍‌ସ୍କ୍ରିପସନ ରହିଛି। ଦେଶର ହାରାହାରି ଟେଲି ଡେନ୍‌ସିଟି ୯୧.୦୯ ପ୍ରତିଶତ ରହିଛି। ସେଥିରୁ ଓଡ଼ିଶାର ସ୍ଥିତିର ୭୯.୫୮ ପ୍ରତିଶତ। ମାତ୍ର ବାସ୍ତବ କ୍ଷେତ୍ରରେ ରାଜ୍ୟର ଅନେକ ପଛୁଆ ଇଲାକାରେ ମୋବାଇଲ ନେଟୱାର୍କ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି।

ଟେଲିକମ ଅଥରିଟି ଅଫ୍‌ ଇଣ୍ଡିଆ, ଓଡ଼ିଶା ଶାଖାର ମହାପ୍ରବନ୍ଧକ ପିକେ ନାଏକଙ୍କ ସୂଚନା ଅନୁଯାୟୀ; ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଭଳି ଜିଲ୍ଲାର ଅନେକ ଗାଁରେ ମୋବାଇଲ ନେଟୱର୍କ ନାହିଁ। ରାଜ୍ୟର ସମୁଦାୟ ୬୨୩୪ ଗ୍ରାମପଞ୍ଚାୟତ ମଧ୍ୟରୁ ୩୪୭ଟି ଏମିତି ପଞ୍ଚାୟତ ରହିଛି, ଯେଉଁଠି ଆଦୌ ନେଟ୍‌ୱର୍କ ନାହିଁ। ତେବେ ବାସ୍ତବରେ ୩୪୭ ପଞ୍ଚାୟତ କେବଳ ନୁହେଁ, ରାଜ୍ୟର ଆହୁରି ଅନେକ ଅଞ୍ଚଳରେ ନେଟ୍‌ୱାର୍କ ନାଁକୁ ମାତ୍ର ଆସେ। ଏସବୁ ଇଲାକାରେ ମୋବାଇଲ ନେଟ୍‌ୱର୍କ ଅଛି ସତ, କିନ୍ତୁ ଇଣ୍ଟର୍‌ନେଟ୍‌ର ଗତି ଏତେ ମନ୍ଥର ଯେ ଟିକା ପାଇଁ ଆପ୍ ଡାଉନ୍‌ଲୋଡ୍ କରି ପଞ୍ଜୀକରଣ କରିବା ସମ୍ଭବ ହେଉ ନାହିଁ। ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ବିକଳ୍ପ ବ୍ୟବସ୍ଥା ନ କଲେ କୋଭିଡ ମୁକାବିଲାରେ ରାଜ୍ୟର ଏକ ବିରାଟ ବର୍ଗ ପଛରେ ପଡ଼ିଯିବେ।

ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତର ଭୁବନେଶ୍ବର ଦ୍ବିବେଦୀ କହନ୍ତି, ଟିକିଲିପଡ଼ା ସମେତ ନିକଟସ୍ଥ ୪ଟି ପଞ୍ଚାୟତରେ ବିଜୁଳି ଥିଲେ ବିଏସ୍‌ଏନ୍‌ଏଲ୍‌ ଓ ଜିଓର ଫୋନ ନେଟୱର୍କ ଆସେ। କିନ୍ତୁ ଇଣ୍ଟରନେଟ ନେଟୱର୍କ ପାଇଁ ୧୭ରୁ ୨୨ କିଲୋମିଟର ଦୂର ଜମନକିରା ଯିବାକୁ ପଡ଼େ। ଏପରିକି ୨୦୧୪ ମସିହାରେ ଆଦର୍ଶ ପଞ୍ଚାୟତ ଭାବରେ ଗ୍ରହଣ କରାଯାଇଥିବା ସର୍ଡାରେ ଫୋନ ନେଟୱର୍କ ବି ସହଜରେ ଆସେ ନାହିଁ। ତେଣୁ ଏଠାରେ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇନି। ଅନେକ ୪୫ ବର୍ଷରୁ ଊର୍ଧ୍ବ ବ୍ୟକ୍ତି ମଧ୍ୟ ଦ୍ବିତୀୟ ଡୋଜ ନେଇନାହାନ୍ତି। ଯଦି ସମ୍ବଲପୁର ଭଳି ଜିଲ୍ଲାର ଅବସ୍ଥା ଏଭଳି; ତେବେ ବଣପାହାଡ଼ଘେରା ଜିଲ୍ଲାଗୁଡ଼ିକର ଅବସ୍ଥା କିଭଳି ଥିବ ତାହା ଅନୁମାନ କରାଯାଇପାରେ।

ମାଲକାନଗିରି ଜିଲ୍ଲାର ମାଲକାନଗିରି ସହରକୁ ବାଦ୍‌ଦେଲେ ୭ଟି ଯାକ ବ୍ଲକ୍‌ ମଧ୍ୟରୁ କେଉଁଠି ନେଟ୍‌ୱର୍କ ନାହିଁ ତ କେଉଁଠି ନେଟ୍‌ୱର୍କ ସ୍ଥିତି ଅତି ଦୁର୍ବଳ ରହିଛି। ଚିତ୍ରକୋଣ୍ଡାର ଅନେକ ଅଧିବାସୀ ଅଭିଯୋଗ କରିଛନ୍ତି ଯେ ଟିକା ପାଇଁ କୌଣସି ପ୍ରକାରେ ପଞ୍ଜୀକରଣ ପରେ ୧୧୦ କିଲୋମିଟର ଦୂରବର୍ତ୍ତୀ କାଳିମେଳା କିମ୍ବା ୭୫ କିଲୋମିଟର ଦୂର ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ଟିକା ପାଇଁ ଯିବାକୁ ସ୍ଲଟ ମିଳିଛି। କେ.ନମୋଶଙ୍କର କହନ୍ତି, ରାୟଗଡ଼ା ଜିଲ୍ଲାର ସମୁଦାୟ ୧୧ଟି ବ୍ଲକ ମଧ୍ୟରୁ ନେଟଓ୍ବାର୍କ ନଥିବା ଚନ୍ଦ୍ରପୁର, କାଶିପୁର, କଲ୍ୟାଣୀସିଂପୁର, ପଦ୍ମପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଟିକାକରଣରେ ପଛରେ ପଡ଼ିଯାଇଛନ୍ତି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ଟିକା ପାଇଁ ଲୋକଙ୍କୁ ଅନେକ ସମସ୍ୟା ହେଉଥିଲା। ସ୍ମାର୍ଟଫୋନ ଅଧିକାଂଶ ଲୋକଙ୍କ ପାଖରେ ନାହିଁ। ଯେଉଁମାନଙ୍କ ପାଖରେ ଅଛି ସେମାନଙ୍କ ମଧ୍ୟରୁ ବି ଅନେକ ପଞ୍ଜୀକୃତ ହୋଇ ପାରୁନାହାନ୍ତି। ବର୍ତ୍ତମାନ ଜନସେବା କେନ୍ଦ୍ରଗୁଡ଼ିକରେ କିଛି ବ୍ୟକ୍ତି ସ୍ଲଟ୍‌ ବୁକିଂ କରୁଛନ୍ତି।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ସୁଶାନ୍ତ କହିଛନ୍ତି, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କନ୍ଦରାଭଟା, ନୂଆପାଲି, ମହୁଲପାଲି, ସାପମୁଡ଼, ଜମୁନାପାଲି, ଖୁରିପାଏନ, ତୁରେଇକେଲା ଆଦି ଜଙ୍ଗଲ ଇଲାକାରେ ନେଟୱର୍କ ନାହିଁ। ଜିଲ୍ଲାର ପଞ୍ଚାୟତରେ ନେଟୱର୍କ ଆସୁଥିଲେ ବି ଗାଁରେ ନାହିଁ। ଏଠାରେ ଟିକାକରଣ କାର୍ଯ୍ୟକ୍ରମ ତ ଦୂରର କଥା, ଆବଶ୍ୟକ ଟେଷ୍ଟ ମଧ୍ୟ ହେଉନାହିଁ। ଏହି ଗାଁଗୁଡ଼ିକରେ ପ୍ରତିଦିନ ଅନେକ ଲୋକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହେଉଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ୁ ନାହିଁ। ଜିଲ୍ଲାର ଅନେକ ପଞ୍ଚାୟତରେ ମୋବାଇଲ ନେଟୱର୍କ ଅପହଞ୍ଚ। ସେହି ଅଞ୍ଚଳବାସୀଙ୍କୁ ଟିକାକରଣରେ ସାମିଲ ପାଇଁ ସରକାର କଣ ବ୍ୟବସ୍ଥା କରିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି।
ରାଜ୍ୟରେ ସହର ଅପେକ୍ଷା ଗାଁମାନଙ୍କରେ କୋଭିଡ ଅଧିକ ବ୍ୟାପିବାରେ ଲାଗିଛି। ଆବଶ୍ୟକ ପରୀକ୍ଷା ହେଉନଥିବାରୁ ଗାଁର ଆକ୍ରାନ୍ତ ବା ମୃତ୍ୟୁ ସଂଖ୍ୟା ଲୋକଲୋଚନକୁ ଆସୁ ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପଛୁଆ ଅଞ୍ଚଳର ଲୋକେ ଟିକାକରଣରୁ ବାଦ୍‌ ପଡ଼ିଲେ କୋଭିଡ ବିରୋଧୀ ଲଢ଼େଇରେ ଓଡ଼ିଶା ପଛରେ ପଡ଼ିଯିବା ନିଶ୍ଚିତ।

ଭିକାରି, ଯାଯାବରଙ୍କୁ ଟିକା ଦେବା ବି ଚ୍ୟାଲେଞ୍ଜ:
ଖାଲି ରାଜ୍ୟର ଅପହଞ୍ଚ ଇଲାକା ନୁହେଁ; ରାଜଧାନୀଠାରୁ ଆରମ୍ଭ କରି ବିଭିନ୍ନ ଗାଁରେ ରହୁଥିବା ଭିକାରି, ଯାଯାବର ଓ ଗୃହହୀନ ଲୋକଙ୍କୁ ଟିକା ଦେବା ମଧ୍ୟ ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଦେଶରେ ଯାଯାବରଙ୍କ ଏକ ବିରାଟ ଗୋଷ୍ଠୀ ଅଛି, ଯେଉଁମାନେ ଦେଶ ସାରା ଘୂରି ବୁଲନ୍ତି। ସେମାନଙ୍କ ସ୍ଥାୟୀ ଠିକଣା ନାହିଁ। ସେମାନଙ୍କ ପ୍ରତି ଦୃଷ୍ଟି ଦିଆନଗଲେ କରୋନା ମୂଳୋତ୍ପାଟନ ଅସମ୍ଭବ ହେବ। କରୋନା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏହି ବର୍ଗ ଟିକାରୁ ବାଦ ପଡ଼ିଲେ ତାଙ୍କଠାରୁ ଅନ୍ୟମାନଙ୍କୁ ଏହା ଡେଇଁବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର