କଟକ ସହରରେ ବ୍ୟାପୁଛି ସଂକ୍ରମଣ!

କଟକ: ମହାନଗର ନିଗମରେ ପ୍ରତିନିଦ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ଏପ୍ରିଲ ୧୫ ତାରିଖରୁ ଚଳିତମାସ ୧୫ ତାରିଖ ମଧ୍ୟରେ ସିଏମ୍‌ସିରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ହଜାର ପାର କରିଛି। ସିଏମ୍‌ସି ପକ୍ଷରୁ ଲକ୍ଷଣ ନଥିବା କିମ୍ବା କମ୍‌ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ୍‌(ଏଚ୍‌.ଆଇ)ରେ ରହି ଚିକିତ୍ସିତ ହେବାକୁ ଉତ୍ସାହିତ କରାଯାଉଛି। ତେବେ ସିଏମ୍‌ସି ପକ୍ଷରୁ ହୋମ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଆବର୍ଜନାକୁ ଅଲଗା ସଂଗ୍ରହ କରାଯାଉ ନାହିଁ। ଗତବର୍ଷ ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ଅଳିଆ ନେବାକୁ ନିଗମ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ବେଳେ ଏଥର ସାଧାରଣ ଅଳିଆ ଗାଡ଼ିରେ ସଂକ୍ରମିତଙ୍କ ଅଳିଆକୁ ଏକାଠି ସଂଗ୍ରହ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ସହରରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଅନ୍ୟପଟେ ୱାର୍ଡ କମିଟିକୁ ନିଗମ ପକ୍ଷରୁ କୌଣସି ସୂଚନା ଦିଆଯାଉ ନଥିବାରୁ ଅମାନିଆ ଆକ୍ରାନ୍ତମାନେ ବାହାରେ ବୁଲୁଥିବା ବେଳେ ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି।

ସହରରେ ଗତ ଏପ୍ରିଲ ୧୫ରୁ ମେ’ ୧୫ ତାରିଖ ମଧ୍ୟରେ ମୋଟ ୯,୫୮୫ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲାଣି। ସେମାନଙ୍କ ମଧ୍ୟାରୁ ୫ହଜାର ୪ଶହରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସାଢେ ୪ ହଜାରରୁ ଅଧିକ ସଂକ୍ରମିତ ଗୃହ ସଙ୍ଗରୋଧରେ ଅଛନ୍ତି। ସେମାନଙ୍କୁ ସିଏମ୍‌ସି ପକ୍ଷରୁ ହୋମ୍‌ ଆଇସୋଲେସନ୍‌ କେୟାର କିଟ୍‌ ପ୍ରଦାନ କରାଯାଇଛି। ଯେଉଁଥିରେ ସଂକ୍ରମିତଙ୍କ ପାଇଁ ଔଷଧ, ଡାକ୍ତରୀ ଚିଠା, ମାସ୍କ୍‌ ଆଦି ସହିତ ଗାରବେଜ୍‌ ବ୍ୟାଗ୍ ବା ଅଳିଆ ସଂଗ୍ରହ ଥଳି ରହିଛି। ଅଳିଆ ଥଳିରେ ସଂକ୍ରମିତଙ୍କ ଅଇଁଠା ଖାଦ୍ୟ ସହିତ ତାଙ୍କ ଦ୍ବାରା ବ୍ୟବହାର ହେଉଥିବା ଅନ୍ୟାନ୍ୟ ଆବର୍ଜନାକୁ ସେଥିରେ ରଖିବାକୁ କୁହାଯାଇଛି। ଗତବର୍ଷ ପ୍ରତି ୩ ଦିନରେ ଥିରେ ହୋମ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ଠାରୁ ଉକ୍ତ ଆବର୍ଜନାକୁ ସିଏମ୍‌ସି ପକ୍ଷରୁ ସଂଗ୍ରହ କରାଯାଉଥିଲା। ମାତ୍ର ଏଥିର ନିଗମ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ସାଧାରଣ ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ିରେ ସଂକ୍ରମିତଙ୍କ ଅଳିଆ ସଂଗ୍ରହ କରାଯାଉଛି। ଏଥିରେ ସଂକ୍ରମଣ ଅଧିକ ବ୍ୟାପିବା ସହ ବିଶେଷ ଭାବେ ସିଏମ୍‌ସିର ସଫେଇ କର୍ମଚାରୀମାନେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି।

ସେପଟେ ସିଏମ୍‌ସି ପକ୍ଷରୁ କରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ଗତଥର ଗଠନ ହୋଇଥିବା ୱାର୍ଡ କମିଟିକୁ ଏଥିର ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ୱାର୍ଡର ବିଭିନ୍ନ ସାହି‌ରେ କେଉଁମାନେ ସଂକ୍ରମିତ ବାହାରୁଛନ୍ତି ତାହାର ସୂଚନା ୱାର୍ଡ ଅଫିସରଙ୍କ ନିକଟରେ ନାହିଁ। ଏଥିରେ ଆକ୍ରାନ୍ତଙ୍କ ସୂଚନା ସ୍ଥାନୀୟ ପୂଜା କମିଟି କିମ୍ବା ସ୍ଥାନୀୟ ୱାର୍ଡ କମିଟି ନିକଟରେ ରହୁ ନାହିଁ। ଫଳରେ ଅନେକ ଅମାନିଆ ଆକ୍ରାନ୍ତ ବାହା‌ରେ ବୁଳିବା ସହିତ ଅନ୍ୟମାନଙ୍କ ସହିତ ମିଳାମିଶା କରୁଛିନ୍ତି। ଏଥିରେ ସଂକ୍ରମଣ ଅଧିକ ବ୍ୟାପୁଥିବାର ଅଭିଯୋଗ ‌ହୋଇଛି।

ସମ୍ବନ୍ଧିତ ଖବର