କଟକରେ ୮୭୦ ସଂକ୍ରମିତ

ସହରରୁ ୪୬୯, ଗ୍ରାମାଞ୍ଚଳରୁ ୩୭୪; ସୁସ୍ଥ ହେଲେ ୯୧୬ କଟକରେ କମୁଛି ଟେଷ୍ଟିଂ

କଟକ: ସହରଠୁ ଗାଁ। ସବୁଠି ବେକାବୁ କରୋନା ସଂକ୍ରମଣ। କଟକରେ ଗତକାଲି ୧୧୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି  କମିଛି ସଂକ୍ରମିତଙ୍କ ସଂଖ୍ୟା। ଅର୍ଥାତ୍‌ ଆଜି ୮୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସୁସ୍ଥତା ସଂଖ୍ୟା ରବିବାର ୯୧୬ ଛୁଇଁଥିବା ବେଳେ ସହରରୁ ୪୬୯ ଜଣ  ଓ ଗ୍ରାମାଞ୍ଚଳରୁ ୩୭୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଟୁଇଟର୍‌ରୁ ଜଣାପଡ଼ିଛି। ଅନ୍ୟପଟେ ୫ଶହ ଶଯ୍ୟାବିଶିଷ୍ଟ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ  ଗତ ଦୁଇଦିନ ହେଲା ରୋଗୀ ଭର୍ତ୍ତି। ତୁରନ୍ତ ଏସ୍‌ସିବିରେ ପ୍ରସ୍ତାବିତ ଶହେ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍‌ ନ ଖୋଲିଲେ ସଂକ୍ରମିତଙ୍କ ଚିକିତ୍ସା ନେଇ ବଡ଼ ସମସ୍ୟା ଦେଖାଦେବାର ଆଶଙ୍କା ସୃଷ୍ଟି ହେଲାଣି। କଟକ-ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲରେ ରୋଗୀ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ବେଡ୍‌ ଖଣ୍ଡିଏ ପାଇଁ ଆମ୍ବୁଲାନ୍ସରେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ସଂପର୍କୀୟମାନେ ଗୁରୁତର ରୋଗୀଙ୍କୁ ଧରି ଘୂରି ବୁଲୁଛନ୍ତି। ଅନେକ ସମୟରେ ସେହି ଆମ୍ବୁଲାନ୍ସରେ ବି ରୋଗୀଙ୍କ ଜୀବନ ଚାଲଇଯାଉଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହେଉଛି।

କଟକ ଗ୍ରାମାଞ୍ଚଳର ଟାଙ୍ଗୀରୁ ସର୍ବାଧିକ  ୫୧ଜଣ,  ଆଠଗଡ଼ରୁ ୪୬ଜଣ, ବାରଙ୍ଗରୁ ୪୨ଜଣ, କଟକସଦରରୁ ୩୬, ସାଲେପୁରରୁ ୩୨, ବାଙ୍କୀରୁ ୨୯, ଚୌଦ୍ବାରୁ ୨୫, ନରସିଂହପୁରରୁ ୨୧ଜଣ, ନିଆଳିରୁ ୧୯, ମାହାଙ୍ଗା ୧୮, ନିଶ୍ଚିନ୍ତକୋଇଲିରୁ ୧୬, କଣ୍ଟାପଡା ଓ ବଡମ୍ବାରୁ ୧୩ ଜଣ ଲେଖାଏ, ତିଗିରିଆରୁ ୮, ଡମପଡାରୁ ୫ଜଣ   ଓ ଅନ୍ୟଜିଲ୍ଲାରୁ ୨୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରେ ରବିବାର  ହୋଇଥିବା ଆଣ୍ଟିଜେନ ପରୀକ୍ଷାରେ ୧୪୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ବାଙ୍କୀ ୧୭, ଆଠଗଡ଼ରୁ ୧୧, ଟାଙ୍ଗୀ ୧୨, କଣ୍ଟାପଡା ୧୧, ନରସିଂହପୁରରୁ  ୩ଜଣ, ନିଆଳିରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକ ରେଳ ଷ୍ଟେସନ୍‌ରୁ ୨ଜଣ, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ୪୭ଜଣ ଓ ଚାଉଳିଆଗଞ୍ଜ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଟେଷ୍ଟିଂରୁ ୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର