କରୋନା ମୃତ୍ୟୁ ପାଇଁ କ’ଣ ସରକାର ଦାୟୀ?

ମହାମେଘବାହନ ଐର ଖାରବେଳ ସ୍ୱାଇଁଁ

ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଏବେ ୩ ଲକ୍ଷ ଟପିଥିବାରୁ, ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ନ୍ୟାୟରେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଉପରେ ଏହାର ବିରୋଧୀମାନେ ଦୋଷ ଲଦିବା ପାଇଁ ସୁଯୋଗ ପାଇଛନ୍ତି। କୁହାଯାଉଛି, ଯେତେବେଳେ ଭାରତର ଲୋକମାନଙ୍କୁ ଟିକା ଦେବା ପାଇଁ ଭାରତ ସରକାର ସକ୍ଷମ ହେଉନାହାନ୍ତି, ସେତେବେଳେ ‘ଟିକା ମୈତ୍ରୀ’ ନାମରେ ବିଦେଶକୁ ଟିକା ପଠାଇ ଭାରତ ସରକାର ବାହାବା ନେଉଥିଲେ କାହିଁକି? କୁହାଯାଉଛି, ଯେତେବେଳେ କରୋନାର ଦ୍ୱିତୀୟ ଝଡ଼ ମାଡ଼ି ଆସୁଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଥିଲେ, ସେତେବେଳେ ଭାରତ ସରକାର ଆତ୍ମଶାନ୍ତିରେ ଶୋଇଥିଲେ କାହିଁକି? ହସ୍‌ପିଟାଲ ଶଯ୍ୟା, ଭେଣ୍ଟିଲେଟର, ଅମ୍ଳଜାନ ଆଦିର ବ୍ୟବସ୍ଥା କରିନଥିଲେ କାହିଁକି? କୁହାଯାଉଛି, ଏତିକିବେଳେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ମୋଦୀ ସରକାର ନୂଆ ସଂସଦ ଭବନ ଓ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ ଜାରି ରଖିଛନ୍ତି କାହିଁକି? ସେହି ଅର୍ଥରେ କରୋନା ରୋଗୀମାନଙ୍କୁ ସାହାଯ୍ୟ କରାଯାଇପାରିଥାନ୍ତା! କେତେକ ଜନମତ ସର୍ଭେ କରୁଥିବା ସଂସ୍ଥା ଏହା ଦ୍ୱାରା ମୋଦୀଙ୍କର ଜନ ସମର୍ଥନ କମିଗଲାଣି ବୋଲି କହିଛନ୍ତି, ଯାହା କିଛିଟା ସତ୍ୟ ମଧ୍ୟ ହୋଇପାରେ।

କିନ୍ତୁ ଏଠାରେ ଏହା ଲକ୍ଷ୍ୟ କରିବା ମହତ୍ତ୍ବପୂର୍ଣ୍ଣ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁ.ଏଚ୍‌.ଓ.) ପକ୍ଷରୁ କୁହାଯାଇଛି ଯେ, ସାରା ବିଶ୍ୱର ସରକାରମାନେ ସେମାନଙ୍କ ଦେଶରେ କରୋନା ହେତୁ ଯେତେ ଲୋକ ମରିଲେଣି ବୋଲି ହିସାବ ଦେଇଛନ୍ତି, ବାସ୍ତବରେ ତା’ର ଦୁଇ ତିନିଗୁଣ ମରିଛନ୍ତି। ଏବେ ବିଶ୍ୱରେ ପ୍ରାୟ ୩୫ ଲକ୍ଷ ଲୋକ ମରିଛନ୍ତି ବୋଲି ସରକାରମାନେ ହିସାବ ଦେଉଥିଲା ବେଳେ ବାସ୍ତବରେ ୬୦ରୁ ୮୦ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ସେହି ଦୃଷ୍ଟିରୁ ଭାରତର ୩ ଲକ୍ଷ ଜାଗାରେ ହୁଏ’ତ ୫ ଲକ୍ଷ ଲୋକ ମରିଥାଇପାରନ୍ତି। ଆମେରିକା, ୟୁରୋପ, ବ୍ରାଜିଲ ଆଦି ଦେଶମାନେ ସଦାବେଳେ ସେମାନଙ୍କ ମୃତ୍ୟୁ ସଂଖ୍ୟା କମ୍‌ ଅଛି ବୋଲି ହିସାବ ଦେଇଛନ୍ତି।

ବାସ୍ତବରେ ଦେଖିଲେ ଏ ପର୍ଯ୍ୟନ୍ତ ଆମେରିକାରେ ୬ ଲକ୍ଷ, ବ୍ରାଜିଲରେ ସାଢ଼େ ଚାରି ଲକ୍ଷ, ମେକ୍ସିକୋରେ ଅଢ଼େଇ ଲକ୍ଷ ଓ ୟୁରୋପର ୟୁକେ, ଇଟାଲି, ରୁଷିଆ, ଫ୍ରାନ୍‌ସ ପରି ପ୍ରତ୍ୟେକ ଦେଶମାନଙ୍କରେ ପାଖାପାଖି ଦେଢ଼ ଲକ୍ଷ ଲୋକ ମରିଛନ୍ତି ବୋଲି ସରକାରୀ ଭାବରେ ହିସାବ ଦିଆହୋଇଛି। ଭାରତ ସାଙ୍ଗରେ ସେମାନଙ୍କ ଜନସଂଖ୍ୟାକୁ ତୁଳନା କଲେ ଆମେରିକାର ମୃତ୍ୟୁ ହାର ଅନୁସାରେ ଭାରତରେ ଏତେବେଳକୁ ପ୍ରାୟ ୨୫ ଲକ୍ଷ ଲୋକ ମରି ସାରିଥିବା କଥା। ୟୁରୋପୀୟ ଦେଶମାନେ ସେହି ଦୃଷ୍ଟିରୁ ଅନେକ ଛୋଟ ଅଟନ୍ତି। ସେମାନଙ୍କ ତୁଳନାରେ ଭାରତରେ ପ୍ରାୟ ୨୦ରୁ ୨୫ ଲକ୍ଷ ଲୋକ ମରିସାରିଥାନ୍ତେ। ସେହିପରି ଭାରତରେ କରୋନା ସଂକ୍ରମଣର ହାର ଜନସଂଖ୍ୟାର ୧.୮% ହୋଇଥିଲା ବେଳେ ଆମେରିକାର ୧୦.୧%, ଫ୍ରାନ୍‌ସରେ ୯%, ଇଟାଲିରେ ୭.୪%, ବ୍ରାଜିଲରେ ୭.୩% ଓ ତୁର୍କୀରେ ୬% ଲୋକ ସଂକ୍ରମିତ ହୋଇଛନ୍ତି।

ପ୍ରଥମେ ଭାରତ ତା’ର ପଡ଼ୋଶୀ ଦେଶମାନଙ୍କୁ ୧ କୋଟି ୭୦ ଲକ୍ଷ ଡୋଜ୍ ଟିକା ସାହାଯ୍ୟ ଆକାରରେ ଯୋଗାଇ ଦେଇଥିଲା। ଏହା ଯୋଗାଇ ନଥିଲେ ଭାରତରେ ମାତ୍ର ୫ ଦିନ ମଧ୍ୟରେ ଏହି ଟିକା ସରିଯାଇଥାନ୍ତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାରମ୍ଭିକ ଅବସ୍ଥାରେ ବିଦେଶୀ ରାଷ୍ଟ୍ରମାନେ ଭାରତର ଟିକା ଉତ୍ପାଦନ କମ୍ପାନି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆଠାରୁ ସାଢ଼େ ତିନି କୋଟି ଡୋଜ୍‌ର ଟିକା କିଣି ନେଇଥିଲେ। ତାହା ଦାନ ନଥିଲା। ତଥାପି ମଧ୍ୟ କେହି ଯଦି ଏହାକୁ ନେଇ ଯୁକ୍ତି କରେ ତେବେ ମନେରଖିବାକୁ ପଡ଼ିବ ଯେ, ଗୋଟିଏ ଦେଶ ବିଶ୍ୱ ଶକ୍ତି ହେବାକୁ ହେଲେ ପ୍ରଥମେ ତାକୁ ଆଞ୍ଚଳିକ ଶକ୍ତି ହେବାକୁ ପଡ଼ିବ। ଆଞ୍ଚଳିକ ଶକ୍ତି ହେବାକୁ ପଡ଼ିଲେ ପ୍ରଥମେ ପଡ଼ୋଶୀମାନଙ୍କ ଠାରୁ ସେମାନଙ୍କର ସମର୍ଥନ ହାସଲ କରିବାକୁ ପଡ଼ିବ। ଅାମେରିକାର ଦୁଇ ପଟରେ ଥିବା କାନାଡା ଓ ମେକ୍ସିକୋ ତା’ର ଦୁଇଟି ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଅଟନ୍ତି। କାନାଡା ସହ ଆମେରିକାର ସମ୍ପର୍କ ଭାରତ- ନେପାଳ ସମ୍ପର୍କ ପରି ଅଟେ। ମେକ୍ସିକୋ ଦେଇ ଅନେକ ବିଦେଶୀ ଆମେରିକାରେ ପ୍ରବେଶ କରୁଛନ୍ତି। ସୋଭିଏତ ୟୁନିୟନ ଏକ ବିଶ୍ୱ ଶକ୍ତି ଥିଲାବେଳେ ଏହାର ପଡ଼େ‌ାଶୀ ହଙ୍ଗେରୀ, ପୋଲାଣ୍ଡ, ପୂର୍ବ ଜର୍ମାନି, ଚେକୋସ୍ଲୋଭାକିଆ, ରୁମାନିଆ, ବୁଲଗେରିଆ ଆଦି ଦେଶମାନେ ଏହାର ମିତ୍ର ରାଷ୍ଟ୍ର ଥିଲେ।

ଏବେ ଚୀନର ପଡ଼େ‌ାଶୀ ଜାପାନ, ଦକ୍ଷିଣ କୋରିଆ, ଫିଲିପାଇନ୍‌ସ୍‌, ଭିଏତନାମ ଓ ଭାରତ ଆଦି ଦେଶମାନଙ୍କ ସହ ଚୀନ ସୁସମ୍ପର୍କ ରଖି ନ ଥିବାରୁ ଏ ଦେଶ କେବେ ବିଶ୍ୱ ଶକ୍ତି ହେବା କଷ୍ଟକର। ପ୍ରଥମେ ପଡ଼େ‌ାଶୀ ଇତ୍ୟାଦିଙ୍କୁ ଟିକା ଯୋଗାଇ ଭାରତ ସେମାନଙ୍କ ହୃଦୟ ଜୟ କରିବାକୁ ଚେଷ୍ଟା କରିଛି। କେବଳ ଆମେ ବଞ୍ଚିବୁ ଏବଂ ଅନ୍ୟ ସମସ୍ତେ ମରନ୍ତୁ ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରର ଲକ୍ଷ୍ୟ ହୋଇନପାରେ। ସେଥିପାଇଁ ଭାରତର ଦୁର୍ଦଶା ବେଳେ ଅନେକ ଦେଶ ହୃଦ ଖୋଲି ଏହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନହେଲେ ଭାରତ ପ୍ରତି ଅନ୍ୟ ଦେଶମାନଙ୍କର ଶ୍ରଦ୍ଧା ସୃଷ୍ଟି ହୋଇନଥାନ୍ତା।
ସେହିପରି ସଂସଦ ଭବନ ଓ ସେଣ୍ଟ୍ରାଲ ଭିସ୍‌ଟା ତିଆରି କରିବା କରୋନା ପରି ଏକ ଗୁରୁତର ବ୍ୟାପାର ନୁହେଁ। ଯଦିଓ ଏହି ପ୍ରକଳ୍ପ ପାଇଁ ଟ.୨୦,୦୦୦ କୋଟି ଖର୍ଚ୍ଚ ହେବ ବୋଲି ବିରୋଧୀମାନେ ଆପତ୍ତି ଉଠାଉଛନ୍ତି, ଏହି ଖର୍ଚ୍ଚ ଆଗାମୀ ୫ ବର୍ଷ ମଧ୍ୟରେ କରାଯିବ। ଚଳିତ ବର୍ଷ ମାତ୍ର ୨୦୦୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଛି। ଏହି ଅର୍ଥ ଖର୍ଚ୍ଚ କରିନଥିଲେ ମଧ୍ୟ କରୋନା ରୋଗ ଚିକିତ୍ସା ପାଇଁ ବହୁ ଅଧିକ କିଛି କରାଯାଇ ପାରି ନ ଥାନ୍ତା। ଏହାଛଡ଼ା ଗୋଟିଏ ସରକାର ପାଖରେ ଯଥେଷ୍ଟ ଅର୍ଥ ଥାଏ। କରୋନା ମହାମାରୀରୁ ନିଜର ନାଗରିକମାନଙ୍କୁ ରକ୍ଷା କରିବାକୁ ହେଲେ ସରକାରଙ୍କ ପାଖରେ ଅର୍ଥ ନଥିଲେ ବି ବାହାରୁ ଋଣ କରି ସରକାର ତାହା କରିପାରିବେ। କେତେକ କୋଠା ଓ ରାସ୍ତା ନିର୍ମାଣ ବନ୍ଦ କରି ସେହି ଅର୍ଥରେ ସରକାର ଦେଶର ଜନତାଙ୍କୁ କରୋନା ପ୍ରକୋପରୁ ରକ୍ଷା କରିପାରିବେ ନାହିଁ। ଯେଉଁ ଦେଶ ଋଣ କରି ମଧ୍ୟ ନିଜ ନାଗରିକମାନଙ୍କୁ ଏକ ମହାମାରୀ କବଳରୁ ରକ୍ଷା କରିପାରିବ ନାହିଁ, ସେ ଦେଶ ରହି ଲାଭ କଅଣ!

ତେବେ ସବୁଠାରୁ ବଡ଼ ଅଭିଯୋଗ ହେଲା, ଭାରତ ସରକାର କରୋନାର ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ହେଲେନାହିଁ କାହିଁକି? ହୁଏ’ତ କେତେକ ବିଶେଷଜ୍ଞ ଏ ଧରଣର ଏକ ଲହର ଆସିପାରେ ବୋଲି କିଛି ସଙ୍କେତ ଦେଇଥିଲେ। ଏଇଠି ନିଶ୍ଚିତ ଭାବରେ ସରକାରଙ୍କର କିଛି ତ୍ରୁଟି ରହିଗଲା ବୋଲି ମନେ କରାଯାଇପାରେ। କାରଣ, ଗତ ୨୦୨୦ ସେପ୍ଟେମ୍ବରରୁ କରୋନା ସଂକ୍ରମଣ ହାର କମି ଦିନକୁ ଏକ ଲକ୍ଷରୁ ଖସି ୧୦ ହଜାରରୁ କମ୍‌କୁ ଆସିଯାଇଥିଲା ଓ ସର୍ବୋଚ୍ଚ ଦୈନିକ ମୃତ୍ୟୁ ସଂଖ୍ୟା ୧୩୦୦ରୁ ଖସି ୧୦୦ରୁ କମ୍‌ ପର୍ଯ୍ୟନ୍ତ ଚାଲିଆସିଥିଲା। ଭାରତ ସରକାର ବୋଧହୁଏ ସେତେବେଳେ ଭାବି ନେଇଥିଲେ ଯେ କରୋନାର ପ୍ରକୋପ କମିଗଲା। ଯଦି ବି ଏହା ପୁଣି ଆକ୍ରାନ୍ତ କରେ ତେବେ ଭାରତରେ ଦୁଇଟି କମ୍ପାନି ଯେତେ ଟିକା ଉତ୍ପାଦନ କରୁଛନ୍ତି ସେତିକିରେ ଏହାକୁ ରୋକିହେବ। ସେତିକିବେଳେ ବିହାର ନିର୍ବାଚନ ଅନୁଷ୍ଠିତ ହେଲା ଓ ପାଞ୍ଚଟି ରାଜ୍ୟର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ବାସ୍ତବରେ କେବଳ ଭାରତ ସରକାର ନୁହନ୍ତି ଦେଶର ଜନସାଧାରଣ ଏକ ପ୍ରକାର ଧରିନେଲେ ଯେ, କରୋନା ଉପରେ ବିଜୟ ହାସଲ ହୋଇଗଲା। ତେଣୁ ସେମାନେ ବାହାଘର, ସାମାଜିକ କର୍ମ, କ୍ରିକେଟ୍‌ ମ୍ୟାଚ୍‌, କୁମ୍ଭ ମେଳା ପରି ଧର୍ମୀୟ କାର୍ଯ୍ୟ ଓ ନିର୍ବାଚନରେ ଖୋଲାଖୋଲି ଅଂଶଗ୍ରହଣ କଲେ। ଯେଉଁ କରୋନା ସଂକ୍ରମଣ ହେତୁ ୨୦୨୦ର ଆଇ.ପି.ଏଲ. ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ନହୋଇ ୟୁ.ଏ.ଇ.ରେ ଆୟୋଜିତ ହୋଇଥିଲା, ସେହି ଆଇପିଏଲକୁ ପୁଣି ଭାରତରେ ଆୟୋଜନ କରାଗଲା। ଭାରତର କ୍ରିକେଟ୍‌ କଣ୍ଟୋଲ ବୋର୍ଡ ( ବି.ସି.ସି.ଆଇ) ଓ ଏହାର ସହଯୋଗୀମାନେ ଧରିନେଲେ ଯେ, କରୋନାର ଆଉ ଲହର ଆସିବନାହିଁ। ବିଦେଶୀ ଖେଳାଳିମାନେ ମଧ୍ୟ ଏହି ବିଶ୍ୱାସ କରି ଭାରତକୁ ଆସିଲେ ଖେଳିବା ପାଇଁ ଓ ଅର୍ଥ ଉପାର୍ଜନ ସକାଶେ। କେବଳ ଖେଳ ମଝିରେ ସେମାନେ ଯେତେବେଳେ ଦେଖିଲେ ଯେ, ଭୟାନକ ଭାବରେ କରୋନା ତା’ର କାୟା ବିସ୍ତାର କରୁଛି ସେତେବେଳେ ସେମାନେ ବିକଳ ହୋଇ ଖେଳକୁ ଅଧାରୁ ଛାଡ଼ି ନିଜ ଦେଶକୁ ପଳାଇଗଲେ। ଏ କ୍ଷେତ୍ରରେ ବି.ସି.ସି.ଆଇ. ବା ଖେଳାଳିମାନେ ବା ନିର୍ବାଚନ ଅୟୋଜନ କରିଥିବା ନିର୍ବାଚନ କମିସନ ଦାୟିତ୍ୱହୀନ ବା ସେମାନେ ଜାଣିଶୁଣି ଏପରି ଭୁଲ୍‌ କରିଥିଲେ ତାହା କୁହାଯାଇପାରିବ ନାହିଁ।

ଆମେରିକା ଓ ଅନ୍ୟ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅବଶ୍ୟ ପୂର୍ବରୁ ଅଗ୍ରୀମ ଭାବେ ବିପୁଳ ଦେଇ ଟିକା କମ୍ପାନିମାନଙ୍କ ଠାରୁ ଟିକା କିଣିବା ଆରମ୍ଭ କରିଥିଲେ। କିନ୍ତୁ ତାହା ହୋଇଥିଲା ଯେତେବେଳେ ସେ ଦେଶମାନଙ୍କରେ ପ୍ରବଳ କରୋନା ଲହର ଚାଲିଥିଲା ଓ ବହୁସଂଖ୍ୟକ ଲୋକ ମରୁଥିଲେ। ସେତେବେଳେ ଭାରତରେ ଏତେ ଲୋକ କେବେ ମରିବେ ସେ କଥା କେହି କଳ୍ପନା ମଧ୍ୟ କରୁନଥିଲେ। ତେଣୁ ଭାରତ ସରକାର ଅଗ୍ରୀମ ଅର୍ଥ ଟିକା କିଣିବା ପାଇଁ ସେତେବେଳେ ଦେଇନାହାନ୍ତି। ସରକାରଙ୍କ ଧାରଣା ହେଲା ଯେ, ଭାରତ କରୋନାମୁକ୍ତ ହୋଇଗଲା ବା କରୋନାମୁକ୍ତ ହେବାକୁ ଯାଉଛି। ତେଣୁ ଅଯଥାରେ ବିଦେଶୀ ଔଷଧ କମ୍ପାନିମାନଙ୍କୁ ଅର୍ଥ ଦେଇ ସେମାନଙ୍କ ପାଖରୁ ଟିକା କିଣିବାର ଆବଶ୍ୟକତା ନାହିଁ। ବରଂ ଭାରତର ଟିକା କମ୍ପାନିମାନେ ଯେଉଁ ଟିକା ଉତ୍ପାଦନ କରୁଛନ୍ତି, ସେତିକିରେ କରୋନାର ମୁକାବିଲା କରିବା ସମ୍ଭବ ହେବ। ହୁଏ’ତ ସରକାରଙ୍କର ଏଇ ଧାରଣା ଭୁଲ୍‌ ଅଟେ। କିନ୍ତୁ ସରକାର ଜାଣିଶୁଣି ଏଇ ଭୁଲ୍‌ କରିଥିଲେ ବା ଅତ୍ୟଧିକ ଆତ୍ମପ୍ରଶସ୍ତିରେ ମତ୍ତ ହୋଇ ଏକଥା କରିଥିଲେ; ତାହା କହିବା ଠିକ୍ ହେବନାହିଁ। ଆମେରିକା ପରି ରାଷ୍ଟ୍ରମାନଙ୍କରେ ମଧ୍ୟ ପ୍ରଥମ ଲହରରେ ଯେତେଲୋକ ମରିଥିଲେ ତା’ର ଦୁଇଗୁଣ ଲୋକ ଦ୍ୱିତୀୟ ଲହରରେ ମରିଗଲେଣି।

ଯେଉଁ ଅଭିଯୋଗ ଉଠୁଛି ଯେ ସରକାର ଯଦି କୁମ୍ଭ ମେଳା, ନିର୍ବାଚନ ପରି ବିପୁଳ ଜନସମାଗମର ଅନୁଷ୍ଠାନମାନ ଆୟୋଜନ କରିପାରୁଛନ୍ତି ତେବେ ସବୁ ଲୋକଙ୍କୁ ସଙ୍ଗେ ସଙ୍ଗେ ଟିକା ଦେଇପାରୁନାହାନ୍ତି କାହିଁକି? ଏଠାରେ କଥା ହେଉଛି, କୁମ୍ଭ ମେଳା ଓ ନିର୍ବାଚନ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୁଏ। ଅନେକ ଲୋକମାନଙ୍କର ଧର୍ମଗତ ଓ ରାଜନୈତିକ ଭାବନା ସହିତ ଏହା ଜଡ଼ିତ। ଏହାକୁ ସେତେବେଳେ ରୋକିଥିଲେ ସରକାର ଗଣତନ୍ତ୍ର ବିରୋଧୀ ଓ ଧର୍ମ ବିରୋଧୀ ବୋଲି କୁହାଯାଇଥାନ୍ତା। କାରଣ ନିର୍ବାଚନ ଓ କୁମ୍ଭ ମେଳା ପରି ଅନୁଷ୍ଠାନମାନଙ୍କରେ ଆରମ୍ଭରୁ କରୋନାର ଦ୍ୱିତୀୟ ଝଡ଼ ଏତେ ବେଗରେ ମାଡ଼ି ନଥିଲା। ଏହା ପରେ ଘଟିଲା। ଅପର ପକ୍ଷରେ ଟିକା ଦାନ ଏକ ମନ୍ଥର ପ୍ରକ୍ରିୟା। ବିଭିନ୍ନ ଟିକାମାନଙ୍କର ବିଭିନ୍ନ ମାତ୍ରା। ଗୋଟିଏ ଟିକାର ଦୁଇ ମାତ୍ରା ମଧ୍ୟରେ କେତେ ଦିନ ବ୍ୟବଧାନ ରହିବ ତାହା ମଧ୍ୟ ବୈଜ୍ଞାନିକମାନେ ଏଯାଏ ସିଦ୍ଧାନ୍ତ କରିପାରିନାହାନ୍ତି। ଭାରତର ଟିକା କମ୍ପାନିମାନେ ଏ ଦିଗରେ ଏତେ ଦକ୍ଷ ହୋଇନାହାନ୍ତି ଯେ, ରାତାରାତି କୋଟି କୋଟି ମାତ୍ରାର ଟିକା ଉତ୍ପାଦନ କରିଦେବେ। ଭାରତର ନିଜସ୍ୱ କୋଭାକ୍‌ସିନ ଟିକାକୁ ଏଯାଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇନାହିଁ। ଏଥିପାଇଁ ପୃଥିବୀର ଅନ୍ୟ ଦେଶମାନେ ଏହି ଟିକାକୁ ଏଯାଏ ଗ୍ରହଣ କରିପାରିନାହାନ୍ତି। ଆମେ କେବଳ ଆମ ନିଜ ଦେଶ ଉପରେ ଭରସା କରି ଏହାକୁ ଗ୍ରହଣ କରିଚାଲିଛୁ।

ଏହାଛଡ଼‌ା କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ଟିକା କିଣିବା ପାଇଁ ଦାୟିତ୍ୱ ଦେଇ କୌଣସି ଭୁଲ୍‌ କରିନାହାନ୍ତି। କାରଣ ଭାରତ ପରି ଦେଶରେ କାର୍ଯ୍ୟର ବିକେନ୍ଦ୍ରୀକରଣ ଯୋଗୁଁ ସଫଳତା ଅାସିଥାଏ। ଏତେ ବଡ଼ ଦେଶରେ ଗୋଟିଏ ସଂସ୍ଥା ବା ସଂଗଠନ ସବୁ କିଛି କରିଦେବା ସମ୍ଭବ ନୁହେଁ।

ଏଠାରେ ମୁଖ୍ୟ କଥା ହେଲା, ଭାରତ ସରକାର ଓ ଜନତା ଏଥିରୁ ଭବିଷ୍ୟତ୍‌ ପାଇଁ ଶିକ୍ଷା ଲାଭ କରିବା ଉଚିତ ଯାହା ହେବ ବାସ୍ତବ ସଫଳତା। କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଏବେ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର