ସିଡିଏରେ ସ୍ବେରେଜ୍, ଡ୍ରେନ୍ ବ୍ୟବସ୍ଥା ସୁଧୁରିବ କେବେ?
କଟକ: କଟକ ସିଡିଏ ଅଂଚଳରେ ଏବେ ସ୍ବେରେଜ୍ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି। କେଉଁଠି ସ୍ବେରେଜ୍ ଲାଇନ ଜାମ୍ ହୋଇ ରାସ୍ତା ଉପରେ ମଇଳା ପାଣି ଲହଡ଼ି ମାରୁଛି ତ’ ଆଉ କେଉଁଠି ସ୍ବେରେଜ୍ ଚାମ୍ବର ଭାଙ୍ଗି ମାଟିରେ ମିଶିଲାଣି। ଅନ୍ୟପଟେ ଯେଉଁ ଯାଗାରେ ସ୍ବେରେଜ୍ ଲାଇନ୍ ଜାମ୍ ହୋଇ ମଇଳା ଦିନ ଦିନ ଧରି ରାସ୍ତାରେ ଭାସୁଛି, ତାହାର ପ୍ରତିକାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନଥିବା ଦେଖାଯାଉଛି। ଲୋକେ ଏ ନେଇ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଫଳରେ ମଇଳା ସବୁ ବହୁଦିନ ଧରି ରାସ୍ତା ଉପରେ ଭାସି ବୁଲିବା ସହ ପରିବେଶ ଦୂଷିତ ହେଉଛି ଓ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ୁଛି। ଲୋକେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି। ରାସ୍ତାରେ ମଇଳା ଜମାହୋଇ ରହିବା କାରଣରୁ ମଶା ବଂଶ ବୃଦ୍ଧି ପାଉଛନ୍ତି ଲୋକ ଘର କବାଟ ଝରକା ଖୋଲି ପାରୁ ନାହାନ୍ତି। ସ୍ବେରେଜ ଲାଇନ୍ ଜାମ୍ ହେବା ଓ ରାସ୍ତାରେ ମଇଳା ଜମା ହେବା ଏଠାରେ ନିତିଦିନିଆ ଘଟଣାରେ ପରିଣତ ହେଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବିପର୍ଯ୍ୟସ୍ତ ସ୍ବେରେଜ ବ୍ୟବସ୍ଥା ପାଇଁ ଲୋକେ ନିମ୍ନମାନର କାମକୁ ଦାୟୀ କରିଛନ୍ତି। ସିଡିଏ ନିର୍ମାଣ ବେଳେ ସ୍ବେରେଜ୍ ଲାଇନ ପକାଯାଇଥିଲା। ସେତେବେଳେ ଲୋକସଂଖ୍ୟା ଢେର୍ କମ୍ ଥିଲେ ଏବଂ ଯେଉଁ ପାଇପ୍ ଯୋଗେ ମଇଳା ନିଷ୍କାସନ ହେଉଥିଲା ତାହା ମଧ୍ୟ ନିମ୍ନମାନର ଥିବା ସହ ସଠିକ ଢଙ୍ଗରେ ପକାଯାଇ ନଥିଲା ବୋଲି ଅଭିଯୋଗ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘବର୍ଷ ପରେ ସେହି ପୁରୁଣା ପାଇପ୍କୁ ବଦଳାଇବାର ଆବଶ୍ୟକତା ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଫଳରେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ, ଏହି ଅଞ୍ଚଳରେ ନୂଆ ପାଇପ୍ ପକାଇବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ସ୍ବେରେଜ୍ ବ୍ୟବସ୍ଥା ପ୍ରଥମେ ସିଡିଏ କର୍ତ୍ତୃପକ୍ଷ ଅଧୀନରେ ଥିଲା। ପରେ ଏହା ସିଏମ୍ସି ଅଧୀନକୁ ଯାଇଥିଲା ଯାହା ଏବେ ସ୍ବେରେଜ୍ ବୋର୍ଡ ଅଧୀନକୁ ଆସିଛି। ବିଭାଗ ପରେ ବିଭାଗ ପରିବର୍ତ୍ତନ ହୋଇଛି, ହେଲେ ବ୍ୟବସ୍ଥାରେ କିନ୍ତୁ ପରିବର୍ତ୍ତନ ହୋଇପାରିଲାନି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି।