ଦେଶବିଦେଶରେ ମିଳିବ ‘କୋରାପୁଟ କଫି’, ଦାୟିତ୍ବ ନେଲା ‘ଟାଟା କଫି’
ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ବଡ଼ ଭୂମିକା ନିର୍ବାହ କରିବ କଫି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଖୁବ୍ ଶୀଘ୍ର ରାଜ୍ୟ ତଥା ଦେଶ ବାହାରେ ନିଜ ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟରେ କଫି ଚାଷକୁ ବ୍ୟାପକ ଓ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶିପୁର, ଦସମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗୀ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରି ସଂଗ୍ରହ କରିଛି। ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।