ସରକାରୀ ଅଧିକାରୀଙ୍କ ଅସହଯୋଗ ଯୋଗୁ ଆଦିବାସୀମାନେ ପାଇପାରୁ ନାହାନ୍ତି ଜଙ୍ଗଲ ଜମିର ପଟ୍ଟା

ବାଣପୁର : ସରକାରୀ ଅଧିକାରୀଙ୍କ ଅସହଯୋଗ ଯୋଗୁ ଆଦିବାସୀମାନେ ଜଙ୍ଗଲ ଜମିର ପଟ୍ଟା ପାଇପାରୁ ନାହାନ୍ତି। ଦୁଇ ବର୍ଷ ହେବ ବାଣପୁର ବ୍ଲକ୍‌ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର ୩୦ଟି ଆଦିବାସୀ ପରିବାର ଦୁର୍ଦ୍ଦିନରେ କାଳାତିପାତ କରିବା ସହ ଜାତିଗତ ପ୍ରମାଣ ପତ୍ର ପାଇବାରୁ ବ‌ଞ୍ଚିତ ହୋଇଥିବା ଅଭିଯୋଗ ହେଉଛି।

ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲ ଭାବେ ପରିଚିତ ସଂରକ୍ଷିତ ବରବରା ଜଙ୍ଗଲ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତ ଅବସ୍ଥିତ। ପଞ୍ଚାୟତର ପଣସଡିହ ଓ ଗୁରୁପଡ଼ା ଗ୍ରାମରେ ତିରିଶରୁ ଅଧିକ ଆଦିବାସୀ ପରିବାର ଦୀର୍ଘଦିନ ହେବ ବସବାସ କରି ଆସୁଛନ୍ତି। ତେବେ ୨୦୦୬ ମସିହାରେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ନିମନ୍ତେ ବନ ଅଧିକାର ଅଧିନିୟମ ଆଇନ ପ୍ରଣୟନ ହେବାପରେ ଜବରଦଖଲ କରିଥିବା ଜଙ୍ଗଲ ଜମିର ସତ୍ତ୍ବ ପରିବର୍ତ୍ତନ କରି ପୁରୁଷାନୁକ୍ରମେ ଭୋଗ ଦଖଲ କରିଆସୁଥିବା ଆଦିବାସୀଙ୍କୁ ଜମିର ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏନେଇ ପଣସଡିହ ଓ ଗୁରୁପଡ଼ା ଜଙ୍ଗଲ ଜମିରେ ବସବାସ କରୁଥିବା ୩୦ଟି ପରିବାର ୨୦୧୯ ଜାନୁଆରି ମାସରେ ବାଣପୁର ତହସିଲଦାରଙ୍କୁ ଆବେଦନ କରିଥିଲେ। ପ୍ରତାପ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ଘଟଣାର ତଦନ୍ତ କରାଇ ବନ ବିଭାଗ ମଞ୍ଜୁରି ପାଇଁ ବାଣପୁର ତହସିଲଦାର ବାଲୁଗାଁ ବନାଞ୍ଚ‌ଳ ଅଧିକାରୀଙ୍କୁ ଏପ୍ରିଲ ୨୦୧୯ରେ ଜଣାଇଥିଲେ। ତେବେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ବନ ଅଧିକାର ଅଧିନିୟମ ଆଇନ ଅନୁଯାୟୀ ଗଠିତ ସ୍ବତନ୍ତ୍ର ଗ୍ରାମ କମିଟିର ବୈଠକ ଡକାଇ ଦରଖାସ୍ତଗୁଡ଼ିକର ତଦନ୍ତ କରିବା ପାଇଁ ରାଜସ୍ବ ଓ ବନ ବିଭାଗ ପକ୍ଷରୁ ବାଣପୁର ବ୍ଳକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ୨୦୧୯ ଅଗଷ୍ଟ ମାସରେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

ତେବେ ଆଦିବାସୀଙ୍କ ବାରମ୍ବାର ଅନୁରୋଧ ଏବଂ ଉଭୟ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦୀର୍ଘ ଦୁଇ ବର୍ଷ ହେବ ଗ୍ରାମ ସଭା ନଡକାଇ ସମୟ ଗଡ଼ାଇ ଚାଲିଛନ୍ତି । ତେବେ ଜମି ପଟ୍ଟା ନଥିବାରୁ ଆଦିବାସୀମାନେ ଜାତିଗତ ପ୍ରମାଣ ପତ୍ର ପାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସେମାନଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ଗ୍ରାମସଭା ଡକାଇବାରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗ୍ରାମସଭା କରାଇବା ପାଇଁ ପଣସଡିହ ଓ ଗୁରୁପଡା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର