ଦଶପଲ୍ଲା ବ୍ଲକ୍‌ରେ କ୍ଷେତପୋଖରୀ କାର୍ଯ୍ୟରେ ଅନିୟମିତତା

ପୋଖରୀ ଖୋଳାନଯାଇ ହିତାଧିକାରୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ଅଭିଯୋଗ

ଦଶପଲ୍ଲା : ଚାଷ ଏବଂ ଚାଷୀଙ୍କ ବିକାଶ ହେବ। ଏନେଇ ସରକାରୀ ସ୍ତରରେ ପ୍ରତିବର୍ଷ ପ୍ରସ୍ତୁତ ହେଉଛି ନୂଆ ନୂଆ ଯୋଜନା। ହେଲେ ସେସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଚଳୁ କରିଚାଲିଛନ୍ତି ବିଭାଗୀୟ ଅଧିକାରୀ। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖନନ ହୋଇଥିବା କ୍ଷେତ ପୋଖରୀ କାର୍ଯ୍ୟରେ।

ଚଳିତ ବର୍ଷ ଦଶପଲ୍ଲା ବ୍ଲକ୍‌ରେ ଏହି ଯୋଜନା ଦିଗହରା ହୋଇପଡ଼ିଛି। କିଛିଦିନ ତଳେ ଡିହଗାଁ ପଞ୍ଚାୟତ ଡିଗିରି ଗ୍ରାମରେ ହୋଇଥିବା ଅନିୟମିତତା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ବିଭାଗର ବଡ଼ ଗୁମର ସାମ୍ନାକୁ ଆସିଛି। ହିତାଧିକାରୀଙ୍କୁ କୌଣସି ବି କାର୍ଯ୍ୟାଦେଶ ମିଳିନଥିବା କିମ୍ବା ହିତାଧିକାରୀଙ୍କୁ ସୂଚନା ଦିଆଯାଇନଥିବା ବେଳେ ତାଙ୍କ ନାମରେ ପ୍ରାୟ ଲକ୍ଷାଧିକ ଟଙ୍କା ଉଠାଇ ହଡ଼ପ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି, ନଛିପୁର ପଞ୍ଚାୟତ ପଥୁରିଆ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସୁଶାନ୍ତ ନାଏକଙ୍କ ନାମରେ ପୋଖରୀ ଖୋଳିବା ପାଇଁ ପୂର୍ବରୁ ପ୍ରସ୍ତାବ ଥିବା ବେଳେ ପରେ ପୋଖରୀ ହୋଇପାରିବ ନାହିଁ କୁହାଯାଇଥିଲା; ପୁନଶ୍ଚ ତାଙ୍କ ନାମରେ ପୋଖରୀ ଖୋଳିବା ପାଇଁ କୋଡ୍‌(୨୪୨୨୦୦୩/ଆଇଏଫ୍/୧୦୬୨୦୮୪୪) ବାହାରିବା ସହ ୯୨ ହଜାର ୮ ଶହ ୮୦ ଟଙ୍କା ଉଠାଯାଇଛି। ନିୟମ ଅନୁଯାୟୀ ମନରେଗା ଯୋଜନାରେ କାର୍ଯ୍ୟ କରିବା ପୂର୍ବରୁ ହିତାଧିକାରୀ ଶ୍ରମିକଙ୍କ ନାମରେ ପ୍ରଥମେ ସି-୧ ରେ ଫର୍ମରେ କାମ ପାଇଁ ଆବେଦନ କରିବା ପରେ ସି-୨ରେ କାମ କରିବା ପାଇଁ ଅନୁମତି ମିଳିଥାଏ। ଏହା ପରେ ମଷ୍ଟରରୋଲ୍ ବାହାରିଥାଏ। ମାତ୍ର ସଂପୃକ୍ତ ହିତାଧିକାରୀ ଘଟଣା ସମ୍ପର୍କରେ କୈାଣସି କଥା ଜାଣି ନଥିବା ବେଳେ ତାଙ୍କ ନାମରେ ୧୨୯୪ଠାରୁ ୧୨୯୮ ପର୍ଯ୍ୟନ୍ତ ମୋଟ ୫ଟି ମଷ୍ଟର ରୋଲ୍ ବାହାରିଛି। ଯେଉଁଥିରେ ଗତ ଏପ୍ରିଲ୍ ମାସରେ ସମୁଦାୟ ୩୬ ଜଣ ଶ୍ରମିକଙ୍କ ନାମରେ ୪ ଶହ ୩୨ଟି ଶ୍ରମ ଦିବସ ସୃଷ୍ଟି କରାଯାଇ ୯୨ ହଜାର ୮ ଶହ ୮୦ ଟଙ୍କା ଉଠାଯାଇଥିବା ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଏସମ୍ପର୍କରେ ସୁଶାନ୍ତଙ୍କୁ ପଚାରିବାରୁ, ସେ କୌଣସି ପୋଖରୀ ଖୋଳିନଥିବା କଥା ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମର ଲୋଚନ ନାଏକ ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ନାମରେ ଅଳ୍ପ ପରିମାଣର ପୋଖରୀ ଖୋଳାଯାଇ ୧ ଲକ୍ଷ ୧୬ ହଜାର ଟଙ୍କା ଉଠାଇ ନିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଅଧପନ୍ତରିଆ ଅବସ୍ଥାରେ ପୋଖରୀ ଖୋଳି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ବେଳେ ‌ସେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଭଳି ଅନେକ ହିତାଧିକାରୀଙ୍କ ନାମରେ ପୋଖରୀ ଖୋଳାନଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର