ଜାଣନ୍ତୁ, ଭାରତକୁ ନେଇ ତାଲିବାନ କ’ଣ ଭାବେ?

ନୂଆଦିଲ୍ଲୀ: ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲ କରିସାରିଛି | ଏହା ସହିତ ଆଫଗାନିସ୍ତାନ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ଦେଶ ଛାଡିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ତାଲିବାନ ଭାରତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି। ଏଥିରେ ତାଲିବାନ କହିଛି ଯେ ଆଫଗାନିସ୍ତାନରେ ଭାରତ ଯେଉଁ ପ୍ରକଳ୍ପରେ କାମ କରୁଥିଲା ତାହାକୁ ସମ୍ପୂର୍ଣ୍ଣ କରିବା ଉଚିତ। ଆଫଗାନିସ୍ତାନରେ ଭାରତ ଅନେକ ବିକାଶମୂଳକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ଏବଂ ସେଠାରେ ପ୍ରାୟ ୩ ବିଲିୟନ ଡଲାର ବିନିଯୋଗ କରିଛି।

ତାଲିବାନ ମୁଖପାତ୍ର ସୁହେଲ ଶାହିନ ପାକିସ୍ତାନର ହମ ନ୍ୟୁଜ ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ଆଫଗାନିସ୍ତାନରେ ଭାରତ ଏହାର ପ୍ରକଳ୍ପ ସମାପ୍ତ କରିବା ଉଚିତ। ପାକିସ୍ତାନୀ ନ୍ୟୁଜ୍ ଆଙ୍କର୍ ପ୍ରଶ୍ନ କରିଥିଲେ ଯେ ଆଫଗାନିସ୍ତାନରେ ଭାରତ ବିପୁଳ ପୁଞ୍ଜି ବିନିଯୋଗ କରିଛି, କିନ୍ତୁ ତାଲିବାନକୁ କଦାପି ସ୍ୱୀକୃତି ଦେଇ ନାହିଁ, ତେବେ ଏହି ପରିବର୍ତ୍ତିତ ପରିସ୍ଥିତିରେ କ’ଣ ହେବ?

ଏହାର ଜବାବରେ ମୁଖପାତ୍ର କହିଛନ୍ତି ଯେ ଆମେ କୌଣସି ଦେଶକୁ ଆଫଗାନିସ୍ତାନର ଜମିକୁ ଏହାର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ବ୍ୟବହାର କରିବାକୁ ଦେବୁ ନାହିଁ କିମ୍ବା ଅନ୍ୟ କୌଣସି ଦେଶ ବିରୋଧରେ ଛିଡା ହେବୁ ନାହିଁ। ତେବେ ଯେଉଁ ସବୁ ପ୍ରକଳ୍ପ ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା, ତାହାକୁ ସମ୍ପୂର୍ଣ୍ଣ କରିବା ଉଚିତ | କାରଣ ଲୋକଙ୍କ ହିତ ପାଇଁ ଯେଉଁ ଦେଶ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ସେମାନେ ତାହାକୁ ସମ୍ପୂର୍ଣ୍ଣ କରିପାରିବେ |

ସମ୍ବନ୍ଧିତ ଖବର