ଭାରତ ବିରୋଧରେ ପାକିସ୍ତାନର ବିଜୟ: ପାକିସ୍ତାନରେ ଗୁଳିଚାଳନାରେ ୧୨ ଜଣ ଆହତ

କରାଚୀ: ରବିବାର ଦୁବାଇରେ ଭାରତ ବିପକ୍ଷରେ ଟି -୨୦ ଅନ୍ତର୍ଜାତୀୟ ବିଶ୍ୱକପ ମ୍ୟାଚରେ ପାକିସ୍ତାନର ପ୍ରଥମ ବିଜୟକୁ ନେଇ ଏବେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି | ତେବେ ପାକିସ୍ତାନର କିଛି ଅଞ୍ଚଳରେ ଏବେ ଅତ୍ୟଧିକ ଖୁସି ଦୁଃଖର କାରଣ ମଧ୍ୟ ପାଲଟିଛି | ଭାରତ ବିରୋଧରେ ପାକିସ୍ତାନର ବିଜୟକୁ ନେଇ କିଛି ଲୋକ ଏତେ ଖୁସି ହୋଇଯାଇଥିଲେ ଯେ ଆକାଶକୁ ଗୁଳିଚାଳନା(ଗନ ଫାୟାରିଂ) କରିଥିଲେ | ଆଉ ଏହି ଗୁଳିଚାଳନାବେଳେ ୧୨ ଜଣ ଆହତ ହୋଇଥିବାର ଖବର ଆସିଛି |

ପାକିସ୍ତାନର ଜିଓ ନ୍ୟୁଜର ଖବର ମୁତାବକ କରାଚିର ବିଭିନ୍ନ ସ୍ଥାନରେ ଲୋକମାନେ ଆକାଶକୁ ଗୁଳିଚାଳନା କରିଥିଲେ | ଏଥିରେ ୧୨ ଜଣଙ୍କୁ ଗୁଳି ବାଜିଥିବାର ଜଣାପଡିଛି | ଆହତଙ୍କ ମଧ୍ୟରେ ଜଣେ ପୁଲିସ ସବ ଇନ୍ସପେକ୍ଟର ମଧ୍ୟ ରହିଛନ୍ତି | ସୂଚନା ମୁତାବକ କରାଚିର ଓରଙ୍ଗି ଟାଉନର ସେକ୍ଟର ୪ ରେ ଏକ ଅଜ୍ଞାତ ଦିଗରୁ ଗୁଳି ବାଜିବା କାରଣରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଏଥିସହିତ ଗୁଲଶାନ-ଇ-ଇକବାଲ ଅଞ୍ଚଳରେ ଆକାଶକୁ ଗୁଳି ଚଳାଉଥିବା ଲୋକମାନଙ୍କୁ ମନା କରିବାକୁ ଯାଇଥିବା ଅବଦୁଲ ଘାନି ନାମକ ଜଣେ ସବ-ଇନ୍ସପେକ୍ଟରଙ୍କୁ ମଧ୍ୟ ଗୁଳି ବାଜିଛି | କରାଚିର ସଚ୍ଚାଲ ଗୋଥ, ଓରଙ୍ଗି ଟାଉନ, ନୂଆ କରାଚି, ଗୁଲଶାନ-ଇ-ଇକବାଲ ଏବଂ ମଲିର ସହିତ ଆଉ କିଛି ଅଞ୍ଚଳରେ ୧୨ ଜଣ ଆହତ ହୋଇଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର