ମନ ମୋହୁଛି ପିପଳପଦରର ଜଳପ୍ରପାତ: ବିକାଶ ପ୍ରତି ପ୍ରଶାସନ ଆଖିବୁଜିଛି

ନାରାୟଣପାଟଣା,ବନ୍ଧୁଗାଁ: ଶୀତ ବଢ଼ିଛି, ଶୀତୁଆ ସକାଳର ପ୍ରପାତ ଭରା ସବୁଜିମାକୁ ଉପଭୋଗ କରିବାକୁ ମେଳି ହେଉଛନ୍ତି ପର୍ଯ୍ୟଟକ। ସବୁଜିମା ଭରା କୋରାପୁଟର ବିଭିନ୍ନ ସ୍ଥାନ ପର୍ଯ୍ୟଟନ ଋତୁର ମହକରେ ମହକାୟିତ ହେବାରେ ଲାଗିଛି। ମନ୍ଦିରଠାରୁ ଆରମ୍ଭ କରି ଘଞ୍ଚ ଜଙ୍ଗଲରେ ଥିବା ପ୍ରପାତ, ଝରଣା, ନଦୀ ଓ ଆଦିବାସୀ ଓ ଶବର ସମ୍ପ୍ରଦାୟର ପରମ୍ପରାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ବିଶେଷ କରି ପର୍ଯ୍ୟଟକଙ୍କ ମନମୋହୁଛି ପିପଳପଦର ଜଳ ପ୍ରପାତ। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ସୁବିଧା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପଡୋଶୀ ୩ ରାଜ୍ୟର ପର୍ଯ୍ୟଟକଙ୍କ ଆଖି ଏହି ପର୍ଯ୍ୟଟନସ୍ଥଳ ଉପରେ ପଡ଼ିଥିଲେ ବି ପ୍ରଶାସନ ଏଠାକାର ବିକାଶ ପ୍ରତି ଆଖିବୁଜିଛି।

ଓଡ଼ିଶାର ଦାରିଙ୍ଗବାଡ଼ି ଭଳି କୋରାପୁଟ ପ୍ରକୃତିର ଗନ୍ତାଘର। ଶାବର ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପାଇନ ବଗିଚା, କଫି ବଗିଚା, ମନ୍ଦିର, ପ୍ରପାତ, ନଦୀ, ଝରଣା, ଡ୍ୟାମ ଆଦି ରହିଛି। ଅନେକ ସ୍ଥାନ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇନଥିଲେ ବି ପର୍ଯ୍ୟଟକଙ୍କ ମନକୁ ଆନ୍ଦୋଳିତ କରୁଛି। ତେଣୁ ଶୀତ ଋତୁ ଆସିଲେ ଏହି ସବୁ ସ୍ଥାନଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଲାଗୁଛି। କିଛି ବର୍ଷ ହେବ କୋରାପୁଟର କିଛି ଲୁକ୍କାୟିତ ଜଳପ୍ରପାତ ସୋସିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ତାହା ପର୍ଯ୍ୟଟକଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। କୋରାପୁଟର ପୁଜିସିଲ ହେଉ, ନନ୍ଦପୁର ରାଣୀ ଡୁଡୁମା, ନାରାୟଣପାଟଣାର ବାରୀ ଜଳପ୍ରପାତ, ଲକ୍ଷ୍ମୀପୁର ବ୍ଲକ୍‌ର ତଳମିଟିଙ୍ଗ ଜଳପ୍ରପାତ, ବନ୍ଧୁଗାଁ ବ୍ଲକ  କାପଲୋଡା ପଞ୍ଚାୟତର ପିପଳପଦର ଜଳପ୍ରପାତ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ସୀମାନ୍ତ ଆନ୍ଧ୍ରରୁ ହଜାର ହଜାର ପର୍ଯ୍ୟଟକ ଭୋଜିଭାତ କରି ସେଲଫି ଉଠାଇ, ଜଳପ୍ରପାତରେ ଗାଧୋଇ ମଜା ନେଉଛନ୍ତି। ବୀସ୍ତିର୍ଣ୍ଣ ପର୍ବତମାଳା ଶୂନ୍‌ଶାନ ଘଞ୍ଚ ଜଙ୍ଗଲ ଭିତରେ ପାହାଡ ଶୀର୍ଷରୁ ବହି ଆସିଥିବା ଝରଣା ପ୍ରାୟ ୫୦ ଫୁଟ ତଳକୁ ଖସୁଛି। ଝରଣା ଉପରେ ପଡୁଥିବା ସୂର୍ଯ୍ୟକିରଣ ଶବୁଜ ରଙ୍ଗର ଶାଢ଼ୀର ଭ୍ରମ ସୃଷ୍ଟି କରୁଛି। ଶୀତୁଆ ସକାଳରେ ଝରଣାର ନିନାଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସବୁଜିମା ପରିବେଶରେ ସ୍ଥାନେ ସ୍ଥାନେ ସମସ୍ତେ ଭୋଜିଭାତରେ ମସଗୁଲ ହେବା ପରିବେଶକୁ ମୁଖରିତ କରିବାରେ ସହାୟକ ହେଉଛି। ବହୁ ଦୂରଦୁରାନ୍ତରୁ ପର୍ଯ୍ୟଟକ ଆସୁଥିବାବେଳେ ଉକ୍ତ ସ୍ଥାନକୁ ଯିବାକୁ ଜଙ୍ଗଲି ରାସ୍ତା ସମସ୍ତଙ୍କୁ ମନରେ ଅସନ୍ତୋଷ ଭରି ଦେଉଛି। ଗତ ବର୍ଷ ବ୍ଲକ ପ୍ରଶାସନ ରାସ୍ତା ତିଆରି  ସହ ପୋଲ ନିର୍ମାଣ କରି ସାରିଛି ପର୍ଯ୍ୟଟକଙ୍କ ପାଇଁ।

ବନ୍ଧୁଗାଁ ବ୍ଲକ ସଦର ମହକୁମାରୁ ୧୨ କିମି ଆଲମଣ୍ଡା ଗାଁ ଛକକୁ ଆସି ସେଠାରୁ ସିଧାସଳଖ ୬ କିମି ଗଲେ ପିପଳପଦର ଜଳପ୍ରପାତକୁ ଯାଇ ହେବ।  ୬ କିମି ରାସ୍ତା ଜଙ୍ଗଲିଆ ରହିଛି। ଜଳପ୍ରପାତର ପାଦ ଦେଶରେ ପିକନିକ୍ର ମଜା ନେବାକୁ ଆନୁସାଙ୍ଗିକ ବ୍ୟବସ୍ଥା ଯଥା ବିଶୁଦ୍ଧ ପାନୀୟ ଜଳ, ସେଲଫି ପଏଣ୍ଟ, ବିଶ୍ରାମ ସ୍ଥଳୀ, ରୋଷେଇ କରି ଖାଇବା ସ୍ଥାନ, ଲାଇଟ୍, ପକ୍କା ରାସ୍ତା, ୱାଚ ଟାୱାର, ଟେଲିଫୋନ ବ୍ୟବସ୍ଥା କଲେ ଏଠାକୁ ବହୁ ପର୍ଯ୍ୟଟକ ଆସିପାରିବେ। ସେପଟେ ଜଙ୍ଗଲ ପାହାଡ କୁ କାଟି ସମତୁଲ କରି ମାଟି ରାସ୍ତା କରିଛି ବ୍ଲକ ପ୍ରଶାସନ। ଆଗକୁ ବି ଆହୁରି ଉନ୍ନତ କରାଯାଇ ପର୍ଯ୍ୟଟକଙ୍କ ପାଇଁ ଭଲ ଭଲ ବ୍ୟବସ୍ଥା କରିବାକୁ ଚେଷ୍ଟା ଜାରି ରହିଥିବା ବ୍ଲକ ବିଡ଼ିଓ ଆକାଶ ପଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର