ଭୁବନେଶ୍ୱର : ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଜଗତସିଂହପୁର ଜିଲ୍ଲା ନୂଆଗାଁ ଅଞ୍ଚଳର ସୌମ୍ୟରଞ୍ଜନ ମହାରଣା(୨୦)। ଏଠାରେ ସାଲିଆସାହି ମାରୁତିବିହାରେ ରୁହେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, କିଛି ବର୍ଷ ହେବ ପିନାକି ବଳିଆରସିଂହ ନାମକ ଜଣେ ମହିଳା ନୂଆପଲ୍ଲୀ ଆଇଡି ମାର୍କେଟ୍ରେ ଥିବା ସୌମ୍ୟରଞ୍ଜନଙ୍କ ବାପା ସୁକାନ୍ତ ମହାରଣାଙ୍କ ଟେଲର୍ ଦୋକାନରେ କାମ କରୁଥିଲେ। କିଛିଦିନ ତଳେ ସୁକାନ୍ତ ଅସୁସ୍ଥ ହୋଇପଡ଼ିଲେ। ଏହି ସମୟରେ ପିନାକି ସୁକାନ୍ତଙ୍କ ମେଡିକାଲ ଖର୍ଚ୍ଚ ବାବଦକୁ ୩୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଗତ ପାଖାପାଖି ୬ ମାସ ତଳେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସୌମ୍ୟରଞ୍ଜନ ଓ ତାଙ୍କ ମା’ ମମତା ମହାରଣା ଭୁବନେଶ୍ୱର ଆସି ଦୋକାନର ବୁଝାସୁଝା କରିଥିଲେ। ଯାହାକୁ ପିନାକି ସହ୍ୟ କାରିପାରି ନଥିଲେ। ପିନାକି ଦୋକାନକୁ ଆସି ସୁକାନ୍ତଙ୍କ ସହ ଥିବା ସମ୍ପର୍କ ବିଷୟରେ ମମତାଙ୍କୁ କହିଥିଲେ। ଏହାଛଡ଼ା ସୁକାନ୍ତଙ୍କ ମେଡିକାଲ ଖର୍ଚ୍ଚ ବାବଦକୁ ୩୫ ହଜାର ଟଙ୍କା ଓ ସାଲିଆସାହି ଘରର ଭାଗ ମାଗିଥିଲେ। ହେଲେ ମମତା ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ସେଠାରେ ଥିବା ସୌମ୍ୟରଞ୍ଜନ ଉତ୍ତ୍ୟକ୍ତ ହୋଇ ପିନାକିଙ୍କୁ ମାଡ଼ ମାରିଥିଲା। ଏନେଇ ପିନାକି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ସୌମ୍ୟରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚୋରାମଦ ବ୍ୟବସାୟୀ ଗିରଫ
ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଚୋରାମଦ ବିକ୍ରି ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଅଲାରପୁର ଗ୍ରାମର ମିଟୁ ଓରଫ ସୁଶାନ୍ତ ଭୋଇଙ୍କୁ (୩୯) ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ପୁଲିସ ଚୋରାମଦ ବ୍ୟବସାୟରେ ବ୍ୟବହୃତ ଏକ ବାଇକ୍ ସହିତ ଘଟଣାସ୍ଥଳରୁ ୧୦୦ ବୋତଲ ଆସ୍କାଫର୍ଟି ମଦ ଜବତ କରିଛି। ଆସନ୍ତାକାଲି ମିଟୁକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଏ ସଂକ୍ରାନ୍ତରେ ବାଲିଅନ୍ତା ଥାନାରେ କେସ୍ ନଂ ୩୬/୧୮ ରେ ଏକ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ମିଟୁ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା।