ପୁଣେରେ ଛତ୍ରପତି ଶିବାଜୀ ମହାରାଜଙ୍କ ୫.୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପୁଣେ ମହାନଗର ନିଗମ’ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ବ୍ରୋଞ୍ଜ୍‌ ଓ ଜିଙ୍କ୍‌ ମିଶ୍ରିତ ଧାତୁରେ ନିର୍ମିତ ୧,୮୫୦ କିଲୋ ଓଜନର ଉକ୍ତ ପ୍ରତିମୂର୍ତ୍ତିଟି ପ୍ରାୟ ୯.୫ ଫୁଟ୍‌ ଉଚ୍ଚ।

ଉପରୋକ୍ତ ଉନ୍ମୋଚନ ଉତ୍ସବରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରି, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌, ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବୀଶ ଏବଂ ପୁଣେ ମେୟର୍‌ ମୁରଲୀଧର ମୋହୋଲ୍‌ ମଧ୍ୟ ଉପସ୍ଥିତ ଥିଲେ।

Image Courtesy of PM’s Tweeter Handle

ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ ସମୁଦାୟ ୩୨.୨ କିଲୋମିଟର୍‌ ଦୀର୍ଘ ‘ପୁଣେ ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ’ର ୧୨ କିଲୋମିଟର୍‌ ରାସ୍ତା ଉଦ୍‌ଘାଟନ କରିଥିଲେ। ୧୧,୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ହେଉଛି ପୁଣେ ନଗରାଞ୍ଚଳ ଗମନାଗମନ ପାଇଁ ଉତ୍କୃଷ୍ଟମାନର ଭିତ୍ତିଭୂମି ଯୋଗାଇ ଦେବାର ଉପକ୍ରମ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଏହି ମେଟ୍ରୋ ଟ୍ରେନ୍‌ରେ ଆନନ୍ଦନଗର ମେଟ୍ରୋ ଷ୍ଟେସନ୍‌କୁ ଯାଇଥିଲେ। ୨୦୧୬ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହାଛଡ଼ା, ଆଜି ପ୍ରଧାନମନ୍ତ୍ରୀ ପୁଣେରେ କେତେଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ସମ୍ବନ୍ଧିତ ଖବର