‘ମନୋଜଙ୍କ ଯଶ ଶଙ୍ଖାରି ଗାଁକୁ ସାହିତ୍ୟ ତୀର୍ଥରେ ପରିଣତ କରିଛି’

ଯୁଗସ୍ରଷ୍ଟା ସାରସ୍ବତ ସାଧକ ମନୋଜ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିସଭା

ଜଳେଶ୍ବର/ଭୋଗରାଇ/ଚନ୍ଦନେଶ୍ବର: ଭାରତୀୟ ସାରସ୍ବତ ପରମ୍ପରାରେ ମନୋଜ ଦାସଙ୍କ ସାହିତ୍ୟ କୃତୀ ଅନନ୍ୟ। ଓଡ଼ିଆ ଓ ଇଂରାଜୀ ଭାଷାରେ ରଚିତ ତାଙ୍କ ସାହିତ୍ୟ ତାଙ୍କୁ ବିଶ୍ବ ବିଦିତ କରିଛି। କାଳିଦାସ, ବ୍ୟାସଦେବ, ବାଲ୍ମିକୀ ଓ ରବୀନ୍ଦ୍ରନାଥଙ୍କ ପରେ ଯଦି ଆଉ କେହି ଭାରତୀୟ ସାହିତ୍ୟକୁ ମହିମାମଣ୍ଡିତ କରିଛନ୍ତି ସେ ହେଉଛନ୍ତି ମନୋଜ ଦାସ। ନିଜ ମାଆ ମାଟିକୁ ନେଇ ସାହିତ୍ୟ ସର୍ଜନା କରି ସମଗ୍ର ବିଶ୍ବର ପାଠକଙ୍କ ମନ ଜିଣିବାରେ ମନୋଜ ହେଉଛନ୍ତି ଏକମାତ୍ର ଭାରତୀୟ ଲେଖକ। ତାଙ୍କ ଯଶ, ଗୌରବ ହିଁ ଶଙ୍ଖାରି ଗାଁକୁ ସାହିତ୍ୟ ତୀର୍ଥରେ ପରିଣତ କରିଛି ବୋଲି ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସର୍ବଶ୍ରେଷ୍ଠ ପ୍ରବକ୍ତା କୋଟି ହୃଦୟର କଥାକାର ଯୁଗସ୍ରଷ୍ଟା, ସାହିତ୍ୟ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମି ଆନୁକୁଲ୍ୟ ଓ ମନ୍ମଥ-ମନୋଜ ଫାଉଣ୍ଡେସନ ସହଯୋଗରେ ଶଙ୍ଖାରିସ୍ଥିତ ମନୋଜ ଦାସଙ୍କ ପୈତୃକ ବାସଭବନ ପରିସରରେ ଅନୁଷ୍ଠିତ ଏହି ସ୍ମୃତିସଭାକୁ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମନୋଜଙ୍କ କାଳଜୟୀ ସାହିତ୍ୟର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ସମସ୍ତ ଓଡ଼ିଆ ଓ ଇଂରାଜୀ ଭାଷାରେ ରଚିତ ସାହିତ୍ୟ କୃତୀକୁ ନେଇ ଗବେଷଣା ହେବ, ସେ ଦାୟିତ୍ବ ସରକାର ନେଇଛନ୍ତି ବୋଲି କହିଥିଲେ। ସେହିପରି ମନୋଜଙ୍କ ସ୍ମୃତି ରକ୍ଷା ପାଇଁ ସରକାର ନେଇଥିବା ବିଭନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା ସ୍ବାଗତ ଅଭିଭାଷଣ ରଖିବା ସହ ମନୋଜଙ୍କ ସାହିତ୍ୟ କୃତୀ ପାଇଁ ଆମ ମୁଣ୍ତ ଉପରେ ଯେଉଁ ଗୌରବର ଆକାଶ ସୃଷ୍ଟି ହୋଇଛି ତାହା ଆମ ପାଇଁ ଗର୍ବର ବିଷୟ ବୋଲି କହିବା ସହ ଯୁଗସ୍ରଷ୍ଟାଙ୍କ ପବିତ୍ର ଜନ୍ମପୀଠକୁ ସ୍ମୃତିପୀଠ ଭାବେ ଗଢ଼ି ତୋଳିବା ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଅଭିହିତ କରିଥିଲେ।

ଅନ୍ୟତମ ବକ୍ତା ଭାବେ ବାଲେଶ୍ବର ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପ୍ରାକ୍ତନ ବିଧାୟକ ତଥା ଫାଉଣ୍ଡେସନର ସଭାପତି ସୁଶାନ୍ତ କୁମାର ଚାନ୍ଦ, ବିଶିଷ୍ଟ ସାହିତ୍ୟିକ ଡ. ରମାକାନ୍ତ ବେହେରା, ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ରବିନାରାୟଣ ଦାଶ, ମନୋଜାୟନର ସମ୍ପାଦକ ଡ. ସୁବାସ ଚନ୍ଦ୍ର ପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ କାଳିପଦ ପଣ୍ଡା, ଭରତ ଚନ୍ଦ୍ର ଦାସ, ଭୋଗରାଇ ବ୍ଲକ୍ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାର, ମନ୍ମଥନାଥ ଦାସଙ୍କ ପୁତ୍ରବଧୂ ଡ. ରଞ୍ଜିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ଡ. ରଞ୍ଜିତା ଦାସ ମନୋଜ ସ୍ମୃତିପୀଠ ପାଇଁ ହସ୍ତାନ୍ତର ହୋଇଥିବା ଜମିର ପଟ୍ଟା ମନ୍ତ୍ରୀଙ୍କୁ ଅର୍ପଣ କରିଥିଲେ। ଫାଉଣ୍ଡେସନ ତରଫରୁ ମଧ୍ୟ ସୁବାସ ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଙ୍ଗୀତ ଗୁରୁ ଦେବବ୍ରତ ଦାସଙ୍କ ତତ୍ତ୍ବାବଧାନରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଓ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କୁନି ନୃତ୍ୟଶିଳ୍ପୀ ସଂଯୁକ୍ତା ବାରିକ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ଅମୂଲ୍ୟ ଚନ୍ଦ୍ର ନାୟକଙ୍କ ସମ୍ଭ୍ରାନ୍ତ ପଥିକ କବିତା ସଙ୍କଳନ ଏ ଅବସରରେ ଉନ୍ମୋଚିତ ହୋଇଥିଲା। ସେହିପରି ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଏକ ବାର୍ତ୍ତା ମଧ୍ୟ ପାଠ କରାଯାଇଥିଲା। ଯୁଗ୍ମ ସମ୍ପାଦକ ସୁଶାନ୍ତ ନାୟକ ଅତିଥିଙ୍କୁ ମଞ୍ଚ ଆହ୍ବାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ସଭା ପୂର୍ବରୁ ବ୍ଲକସ୍ତରୀୟ ଶ୍ରୀମା ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ସୁବାସ ଦାସ, ପ୍ରାକ୍ତନ ବିଧାୟକ ସୁଶାନ୍ତ ଚାନ୍ଦ, ଶ୍ରୀକାନ୍ତ ଜେନା, ଅମୂଲ୍ୟ ଘଡ଼େଇ, ରଞ୍ଜନ ଜେନା, ମନାଙ୍କ ଶେଖର ପାତ୍ର, ସୁଦୀପ କୁମାର ଦାସ, ବିପିନ ବିହାରୀ ପ୍ରଧାନ, ଅଜୟ ପାତ୍ର, ଦେବବ୍ରତ ଜେନା, ସୁନୀଲ ସ, ଶ୍ରୀପତି ସ, ସନ୍ତୋଷ ଜେନା ଓ ସୁନୀଲ ପରିଡ଼ା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏକ ପ୍ରଶ୍ନତ୍ତୋର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଅନ୍ୟପକ୍ଷରେ ପୂର୍ବାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ତାଳସାରିସ୍ଥିତ କଳିଙ୍ଗ ସାଗର ମହୋଦଧିରେ ତିଳତର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ. ହୃଷୀକେଶ ମଲ୍ଲିକ, ଡ. ଶୁଭଶ୍ରୀ ଲେଙ୍କା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି, ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ପାତ୍ର, ସୁଶାନ୍ତ ନାୟକ, ଶିବାନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅନନ୍ତ ପ୍ରଧାନ, ରାଜେନ୍ଦ୍ର ମହାନ୍ତି, ଶାଶ୍ବତ ଜେନା, ସୁବାସ ଚନ୍ଦ, ବରେନ୍ଦ୍ରନାଥ ପ୍ରଧାନ, ରାଧାବିନୋଦ ଦାସ, ସୁଧାଂଶୁ ଶେଖର ପ୍ରଧାନ, ନଳିନୀକାନ୍ତ ପାତ୍ର, ପ୍ରଦୀପ ଜେନା, ରଞ୍ଜନ ଜେନା ଓ ବୁଦ୍ଧଦେବ ପଣ୍ଡାଙ୍କ ସମେତ ଫାଉଣ୍ଡେସନର ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର