ମେ’ ପ୍ରଥମ ସପ୍ତାହରେ ମିଳିପାରେ ଆଶ୍ବସ୍ତି: ୨୯ ଓ ୩୦ରେ ୪୬ ଡିଗ୍ରି ଛୁଇଁପାରେ

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହରେ ତାତିରୁ ମିଳିପାରେ ଆଶ୍ବସ୍ତି। ପାଗରେ ସାମାନ୍ୟ ପରିବର୍ତନ ଆସିବ। ଦିନର ତାପମାତ୍ରା ହ୍ରାସ ପାଇବା ସହ ଅଧିକାଂଶ ସ୍ଥାନରେ କାଳବ‌ୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ଦକ୍ଷିଣ ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହିବା ଯୋଗୁ ତାପମାତ୍ରା କମିବ। ମାତ୍ର ସେତେ‌ଦିନ ପର୍ଯ୍ୟନ୍ତ ତତଲା ତାଉଆରେ ଭାଜି ହେବ ସାରା ଓଡ଼ିଶା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ମେ’ ୨ ଯାଏ ତାତି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ବିଶେଷକରି ୨୮ରୁ ୩୦ ତାରିଖ ମଧ୍ୟରେ ଅର୍ଧାଧିକ ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ସ୍ଥାନେ ସ୍ଥାନେ ତାପମାତ୍ରା ୪୬ ଡିଗ୍ରି ଛୁଇଁଯିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଏବଂ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି ଅଧିକ ରହିବ। ଅଂଶୁଘାତ ପରି ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ବୟସ୍କ, ଶିଶୁ, ଅସୁସ୍ଥ ବ୍ୟକ୍ତିବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୨୯ ତାରିଖ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ହିଟ୍‌ୱେଭ୍‌ ସ୍ଥିତି ଲାଗିରହିବ। ୩୦ ତାରିଖରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମେ’ ମାସ ଆରମ୍ଭରୁ ପାଗରେ ପରିବର୍ତନ ଆସିବ। ପ୍ରଥମ ସପ୍ତାହରେ ଆଂଶିକ ମେଘୁଆ ପାଗ ଓ କାଳବୈଶାଖୀ ବର୍ଷା ସହ ସାମୁଦ୍ରିକ ପବନ ହେତୁ ସାରା ରାଜ୍ୟରେ ଗରମ କମିବ। ଦ୍ବିତୀୟ ସପ୍ତାହରେ କାଳବୈଶାଖୀ ପ୍ରଭାବ ହେତୁ ତାତି କମ୍‌ ରହିବ। ଭୁବନେଶ୍ବର ତାପମାତ୍ରା ଗୁରୁବାର ସର୍ବାଧିକ ୩୯ ଡିଗ୍ରି ପାଖାପାଖି ରହିବ। ପରବର୍ତୀ ୫ ଦିନ ଯାଏ ୩୭ରୁ ୩୮ ଡିଗ୍ରି ଭିତରେ ରହିବ। ମାତ୍ର ମେ’ ୧ ଯାଏ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ୨୯ ତାରିଖରେ କେତେକ ସ୍ଥାନରେ ୪୬ ଡିଗ୍ରି ଛୁଇଁପାରେ। ମେ’ ୨ରୁ କାଳବୈଶାଖୀ ସମ୍ଭାବନା ଯୋଗୁଁ ତାପମାତ୍ରା କିଛି ମାତ୍ରାରେ କମିବ। ୪ ତାରିଖରୁ କାଳବୈଶାଖୀ ସମ୍ଭାବନା ଆହୁରି ଅଧିକ ରହିଛି। ଅଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪୧ ଡିଗ୍ରି ରହିବାକୁ ଥିବା ବେଳେ ଅଭ୍ୟନ୍ତରୀଣ ଉତ୍ତରରେ ୪୦ ଡିଗ୍ରି ତଳକୁ ଖସିବ। ୨୯ରୁ ମେ’ ୨ ମଧ୍ୟରେ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ତେବେ ମେ’ ୨ରୁ ୭ ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ କାଳବୈଶାଖୀ ହେବ। ୪ରୁ ୬ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବା ନେଇ ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର