ଡିନାମାଇଟ ବିସ୍ଫୋର​ଣରେ ଜଣେ ମୃତ

ବଡ଼ବିଲ/ପଦ୍ମପୁର: କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ମାଛ ମାରିବା ପାଇଁ ବ୍ୟବହାର ହେଉଛି ଡିନାମାଇଟ୍‌। ଲୋକେ ବିଭିନ୍ନ ଜଳଉତ୍ସ ଗୁଡ଼ିକରେ ବେଆଇନ ଭାବେ ଡିନାମାଇଟ୍‌ ବିସ୍ଫୋରଣ କରାଯାଇ ବେଧଡ଼କ ମାଛ ମରାଯାଉଛି। ଡିନାମାଇଟ୍‌ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଡୁମୁର୍ତ୍ତା ଗ୍ରାମର ମୋହନ ମୁଣ୍ଡାଙ୍କ ପୁଅକୁ ମାଙ୍ଗୁଆ ମୁଣ୍ଡା (୫୦)। ସେ ସେଲ୍‌ କମ୍ପାନିରେ ଗାଡ଼ି ଚାଳକ ଥିଲେ ବୋଲି ଜଣାପଡ଼ିଛି।
ଗତକାଲି ମାଙ୍ଗୁଆ ପାଚେରି ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ପୂର୍ବରୁ ନାଳରେ ମାଛ ମାରିବା ପାଇଁ କେହି ଡିନାମାଇଟ୍‌ ପକାଇଥିଲା। ଗାଧୋଇବା ସମୟରେ ପାଣିରେ ପଡ଼ିଥିବା ଡିନାମାଇଟ୍‌କୁ ମାଙ୍ଗୁଆ ହାତରେ ଉଠାଇଥିଲେ। ଏହି ସମୟରେ ଖୁବ ଜୋରରେ ବିସ୍ଫୋରଣ ହେବାରୁ ତାଙ୍କ ବାମହାତ ଛିଣ୍ଡିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ବଲାଣିସ୍ଥିତ ସେଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଆଜି ବଲାଣି ଥାନା ପୁଲିସ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଖଣିଖାଦାନରେ ବିସ୍ଫୋରଣ ପାଇଁ ବ୍ୟବହାର ହେଉଥିବା ଡିନାମାଇଟ୍‌ କିପରି ନଦୀନାଳକୁ ଆସୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ପକ୍ଷରୁ ଡିନାମାଇଟ୍‌ ଭଳି ବିସ୍ଫୋରକ ବିକ୍ରି କରିବାକୁ ଲାଇସେନ୍ସ ପ୍ରଦାନ କରାଯାଇଥାଏ। କେତେ ପରିମାଣରେ ବିସ୍ଫୋରକ ଜିଲ୍ଲାକୁ ଆସୁଛି ଓ କେତେ ବ୍ୟବହାର ହେଉଛି ତାହାର ତଦାରଖ କରିବାପାଇଁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବିଭାଗ ରହିଛି। ପ୍ରଶାସନ ପକ୍ଷରୁ ଏହାର ସଠିକ ତଦାରଖ କରାଯାଉ ନଥିବାରୁ ଖଣି ଅଞ୍ଚଳରେ ଡିନାମାଇଟ୍‌ ଭଳି ବିସ୍ଫୋରକ ସାଧାରଣ ଲୋକଙ୍କ ହାତରେ ଲାଗୁଛି। ଲୋକେ ଏହାକୁ ବ୍ୟବହାର କରି ମାଛ ମାରୁଛନ୍ତି। ଏହି ଘଟଣାରେ ଖଣି ଅଞ୍ଚଳରେ ଡିନାମାଇଟ୍‌ କାରବାର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ପ୍ରିୟସ ରଂଜନ ଛୋଟରାୟଙ୍କୁ ପଚାରିବାରୁ, ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଡିନାମାଇଟ୍‌ କେମିତି ନଦୀନାଳକୁ ଆସିଲା ତା’ର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର